ନିଆରା ଢଙ୍ଗରେ ଶିକ୍ଷକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦେଲେ ପୁରାତନ ଛାତ୍ରଛାତ୍ରୀ

ବାଜା ବାଜୁଥିଲା ନାଚବି ଜମୁଥିଲା । ଆଉ ସୁସଜିତ ରଥରେ ବସିଥିଲେ ଅବସରପ୍ରାପ୍ତ ଶିକ୍ଷକ । ପ୍ରାୟ ୪କିମି ଶୋଭାଯାତ୍ରାରେ ପାଛୋଟି ଆଣି ନିଜର ପ୍ରିୟ ଶିକ୍ଷକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦେଇଥିଲେ ପୁରାତନ ଛାତ୍ର ଛାତ୍ରୀ ଓ ଗ୍ରାମବାସୀ ।

ଆଳି (କେନ୍ୟୁଜ): ବାଜା ବାଜୁଛି ବାଣ ଫୁଟୁଛି । ଜମାଣିଆ ନାଚ ବି ହେଉଛି । ଏହାରି ଭିତରେ ବିରାଟ ଶୋଭାଯାତ୍ରା ମଧ୍ୟ ଚାଲିଛି । ଯେମିତି ଲାଗୁଛି କୌଣସି ନେତାଙ୍କ ରାଲି ଯାଉଛି । କିନ୍ତୁ ନାଁ ଆଜ୍ଞା ୨୯ ବର୍ଷ ଧରି ଶିକ୍ଷାଦାନ କଲାପରେ ଜଣେ ଶିକ୍ଷକଙ୍କୁ ତାଙ୍କ ପ୍ରିୟ ପୁରାତନ ଛାତ୍ରଛାତ୍ରୀ ମାନେ ବିଦାୟ କାଳୀନ ସମ୍ବର୍ଦ୍ଧନା ଦେବା ପାଇଁ ସାରଙ୍କୁ ଏଭଳି ଭବ୍ୟ ପ୍ରସେସନ କରିନେଉଛନ୍ତି । ଏ ଦୃଶ୍ୟ ହେଉଛି କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକ ଅନ୍ତର୍ଗତ କାଏମା ଦୋମଣ୍ଡା ଗାଁର ।

ନିଜ ଗାଁରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପୂର୍ବତନ ଶିକ୍ଷକ ନିଜାମ ସାର ଏଠାରେ ଦୀର୍ଘଦିନ ଧରି ଶିକ୍ଷାଦାନ କଲା ପରେ ଅନ୍ୟ ସ୍କୁଲକୁ ବଦଳି ହୋଇଥିଲେ । ଚାରିମାସ ତଳେ ସାର ସେଠାରୁ ଅବସର ନେବା ପରେ ସାରଙ୍କ ପୁରାତନ ଛାତ୍ରଛାତ୍ରୀ ଓ ଗ୍ରାମବାସୀ ମାନେ ଏଭଳି ଭବ୍ୟ ଆୟୋଜନ କରିଛନ୍ତି । ଏକ ସୁସଜିତ ରଥରେ ବସାଇ ୪ କି.ମି ଧରି ଏକ ଭବ୍ୟ ଶୋଭାଯାତ୍ରାରେ ଆଣି ସାରଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

ନିଜାମ ସାରଙ୍କ ଘର ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅଞ୍ଚଳରେ । ୧୯୯୦ ମସିହାରେ କାଏମାଦୋମଣ୍ଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମେ ଶିକ୍ଷକତା ଆରମ୍ଭ କରିଥିଲେ ନିଜାମ ସାର । ଯେଉଁ ସମୟରେ ବିଶେଷକରି ଗମନାଗମନର ସୁବିଧା ନଥିଲା । ଅନ୍ୟ ଶିକ୍ଷକମାନେ ଏହି ସ୍କୁଲକୁ ଆସିବା ପାଇଁ ମନା କରୁଥିଲେ । ସେହି ସମୟରେ ନିଜାମ ସାର ଗାଁରେ ରହି ଛାତ୍ରଛାତ୍ରୀ ମାନଙ୍କୁ ପାଠ ପଢ଼ାଇବା ସହ ସ୍କୁଲର ଉନ୍ନତି ପାଇଁ ଆଗଭର ହୋଇଥିଲେ ।

ଏହି ସ୍କୁଲରେ ଦୀର୍ଘ ୨୯ ବର୍ଷ ଶିକ୍ଷାଦାନ ଭିତରେ ଅନେକ ଛାତ୍ରଛାତ୍ରୀ ତାଙ୍କ ଠାରୁ ପାଠପଢ଼ି ଏବେ ବିଭିନ୍ନ ପଦପଦବୀରେ ରହି ସମାଜରେ ଆଗଧାଡ଼ିରେ ପ୍ରତିଷ୍ଠିତ ହୋଇପାରିଛନ୍ତି । ନିଜାମ ସାର ସରକାରୀ ଚାକିରୀରୁ ଅବସର ନେଇଛନ୍ତି ସତ ହେଲେ ସାର ଯେଉଁଠି ଥାଆନ୍ତୁ ନା କାହିଁକି ଆମ ହୃଦୟରେ ସବୁଦିନ ପାଇଁ ଆଦର୍ଶ ହୋଇରହିବେ ବୋଲି କହିଛନ୍ତି ତାଙ୍କ ଛାତ୍ର ଛାତ୍ରୀ ମାନେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.