ନିଜର ଦୋଷ ଲୁଚାଇବାକୁ ଅନ୍ୟ ଉପରେ ଦୋଷ ଲଦିଲା ଉଦଳା ପୋଲିସ, ବିନା ଦୋଷରେ ଗିରଫ କଲା ଜଣେ ବ୍ୟକ୍ତିଙ୍କୁ

ଉଦଳା(କେନ୍ୟୁଜ୍):   ପୁଣି ପୋଲିସର ଅପାରଗତା ନେଇ ଅଭିଯୋଗ । ନିଜର ଦୋଷ ଓ ଦୁର୍ବଳତା ଲୁଚାଇବାକୁ ଅନ୍ୟ ଉପରେ ଦୋଷ ଲଦୁଥିବା ନେଇ ଚର୍ଚ୍ଚା। ଉଦଳା ଥାନା ନୂଆସାହି ଗାଁର ରମାକାନ୍ତ ନାୟକଙ୍କୁ ଗତ ୨୦୧୮ ମସିହା ନଭେମ୍ବର ୮ ତାରିଖ ଦିନ ପୋଲିସ ଗିରଫ କରି ଉଦଳା ଉପ ଜିଲ୍ଲାପାଳଙ୍କ କୋର୍ଟରେ ହଜାର କରିଥିଲା। ଅଭିଯୁକ୍ତ ରମାକାନ୍ତ ନାୟକ ନାଁରେ ଉଦଳା ଥାନା ନନ୍‌ ଏଫଆଇଆର ନମ୍ବର ୭୫/୧୮ ରୁଜୁ ହୋଇଥିବା ବେଳେ ୧୧୦ ସିଆରପିସିରେ ସେ ଗିରଫ ହୋଇଥିବା ପୋଲିସ ଦର୍ଶାଇଥିଲା । ଅଭିଯୁକ୍ତଙ୍କ ଜାମିନ ନାମଞ୍ଜୁର ହେବା ପରେ ତାଙ୍କୁ ନଭେମ୍ବର ୨୨ ତାରିଖ ପର୍ଯ୍ୟନ୍ତ ଜେଲକୁ ପଠାଇ ଦିଆଗଲା । ପୁଣି ଥରେ ୨୨ ତାରିଖରେ ଜାମିନ ନାମଞ୍ଜୁର ହେବାରୁ ସେ ଜେଲରେ ବିଚାରାଧିନ କଏଦୀ ଭାବେ ରହିଥିଲେ । ଶେଷରେ ନଭେମ୍ବର ୨୯ ତାରିଖ ଦିନ ୨୦ ହଜାର ଟଙ୍କାର ବେଲ ବଣ୍ଡରେ ସେ ଜାମିନ ପାଇଥିଲେ । ହେଲେ ୨୦୧୮ ନଭେମ୍ବର ୧୧ ତାରିଖ ବିଳମ୍ବିତ ରାତିରେ ଉଦଳା ଥାନା ଭୀମତାଳି ଛକ ନିକଟରେ ଥିବା ସାଇ ମନ୍ଦିରରୁ ଚୋରି ହୋଇଥିଲା । ଯାହାକୁ ନେଇ ୧୨ ତାରିଖ ଦିନ ପୋଲିସ ନିକଟରେ ଅଭିଯୋଗ ହୋଇଥିଲା । କେଶ ନମ୍ବର ୧୬୫/୧୮ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ପୋଲିସ ।

ହେଲେ ଗତ ୨୦୧୯ ଫେବ୍ରୁଆରୀ ୨୪ ତାରିଖ ଦିନ ଭୀମତାଳି ସାଇ ମନ୍ଦିର ଚୋରି ଘଟଣାରେ ପୋଲିସ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଗିରଫ ଅଭିଯୁକ୍ତ ମାନଙ୍କ ମଧ୍ୟରେ ରହିଥିଲେ ଜଗତସିଂହପୁର ଜିଲ୍ଲା ନାଉଗାଁ ଗାଁର ବାଲୁଙ୍କେଶ୍ୱର ପରିଡା, ଉଦଳା ନାଗପାଳ ଓ୍ଵାର୍ଡ ନଂ-୨ର ଦିବାକର ରଣା ଓ ନୂଆସାହି ଗାଁର ରମାକାନ୍ତ ନାୟକ । ଏଇଠି ପ୍ରଶ୍ନ ଉଠୁଛି ଯେ ୨୦୧୮ ନଭେମ୍ବର ୮ ତାରିଖରୁ ୨୯ ତାରିଖ ଯାଏ ଜେଲରେ ରହିଥିବା ନୂଆସାହି ଗାଁର ରମାକାନ୍ତ ନାୟକ ଏହି ଚୋରି ଘଟଣାରେ ଗିରଫ ହେଲେ କିପରି ? ଜେଲରେ ଥିବା ଅଭିଯୁକ୍ତ କିପରି ଆସି ଚୋରି କଲେ, ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପୋଲିସ ନିଜର ଦୋଷ ଲୁଚାଇବାକୁ ଯାଇ ଜେଲରେ ଥିବା ଜଣେ ଅପରାଧିଙ୍କୁ ଅନ୍ୟ ଏକ ମାମଲାରେ ଛନ୍ଦି ଦେବା ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.