ସାବଧାନ୍! ବିନା OTP ନମ୍ବରରେ ବି ଆକାଉଣ୍ଟରୁ ଟଙ୍କା ଗାଏବ କରୁଛନ୍ତି ସାଇବର ଅପରାଧୀ, ଏହି ଆପ୍ ସାହାଯ୍ୟରେ କରୁଛନ୍ତି ଠକେଇ

ବିଭିନ୍ନ ସାଇବର ଠକେଇରୁ ଦୁରେଇ ରହିବା ପାଇଁ ବ୍ୟାଙ୍କ ସବୁବେଳେ ନିଜର ଗ୍ରାହକଙ୍କୁ ସେମାନଙ୍କର ଡେବିଟ୍ / କ୍ରେଡିଟ୍ କାର୍ଡର PIN ନମ୍ବର କିମ୍ବା OTP ନମ୍ବରକୁ କାହାକୁ ନଦେବାକୁ ପରାମର୍ଶ ଦେଇଥାନ୍ତି। ଖାଲି ସେତିକି ନୁହେଁ ଏହା ସହିତ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଯେପରି କୌଣସି ଅର୍ଥ ରାଶି ସେମାନଙ୍କ ବିନା ଅନୁମତିରେ କାହାକୁ ପଠାଯାଇ ପାରିବନାହିଁ ସେଥିପାଇଁ ସର୍ବଦା ସତର୍କ ରହିଥାନ୍ତି ।
କିନ୍ତୁ ଦୁର୍ଦ୍ଦାନ୍ତ ଅପରାଧୀମାନେ ବ୍ଯାଙ୍କ ଆକାଉଣ୍ଟରୁ ଟଙ୍କା ଉଡାଇ ନେବା ପାଇଁ ବିଭିନ୍ନ ଉପାୟ କରିଥାନ୍ତି । ଠିକ୍ ସେହିଭଳି ଆଉ ଏକ ଉପାୟ ବାହାର କରିଛନ୍ତି ଏହି ଅପରାଧି ମାନେ। ଯେଉଁଥିରେ ସେମାନେ OTP ନମ୍ବର ନ ଜାଣି ମଧ୍ଯ ଆକାଉଣ୍ଟରୁ ଟଙ୍କା ନେଇଯାଇ ପାରୁଛନ୍ତି । ଏଥିପାଇଁ, ସେମାନେ ଲୋକଙ୍କୁ ସାହାଯ୍ୟ କରିବା ବାହାନାରେ କୌଣସି ପ୍ରକାରେ ଏକ ଆପ୍ ଡାଉନଲୋଡ୍ କରିବାକୁ କହୁଛନ୍ତି ଏବଂ ଏହା ମାଧ୍ୟମରେ ସେମାନେ ତଥ୍ୟ ଚୋରି କରି ଠକାମି କରୁଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ, ପ୍ରଥମେ ସେମାନେ ଏକ ନମ୍ବରରେ କଲ୍ କରିଥାନ୍ତି ଏବଂ ତାଙ୍କ ପେଟିଏମ୍ ଆକାଉଣ୍ଟ୍ ବହୁଦିନ ହେବ KYC ଯାଞ୍ଚ କରାଯାଇନଥିବା କହିଥାନ୍ତି । ଏହାସହ ଯଦି ସେ KYC ଯାଞ୍ଚ କରିବେନାହିଁ, ତେବେ ତାଙ୍କର ପେଟିଏମ୍ ଆକାଉଣ୍ଟ୍ ୨୪ ଘଣ୍ଟା ମଧ୍ୟରେ ବନ୍ଦ ହୋଇଯିବ ବୋଲି ସୂଚେଇ ଦେଇଥାନ୍ତି। ଏହି କାର୍ଯ୍ୟ ଅନଲାଇନରେ କରିବାକୁ ପଡିବ କହି ଠକ ମାନେ କଲ୍ କରିଥିବା ବ୍ଯକ୍ତିଙ୍କଠାରୁ ସମସ୍ତ ଡକ୍ଯୁମେଣ୍ଟ ସଂଗ୍ରହ କରି ନେଇଥାନ୍ତି ।
ଏହାପରେ ସେମାନେ କଲ୍ କରିଥିବା ବ୍ଯକ୍ତି ଜଣଙ୍କୁ ତାଙ୍କ ମୋବାଇଲରେ ‘କ୍ବିକ୍ ସପୋର୍ଟ’ ଆପ୍ ଡାଉନଲୋଡ୍ କରିବାକୁ କୁହନ୍ତି । ଯଦି ବ୍ଯକ୍ତିଜଣଙ୍କ ଏହି ଆପ୍ କୁ ନିଜ ଫେନରେ ଇନଷ୍ଟଲ୍ କରିନେଲେ, ତେବେ ଅପରାଧୀମାନେ ଯଥାଶୀଘ୍ର ତାଙ୍କ ଫୋନ୍ କୁ ହ୍ୟାକ୍ କରିନିଅନ୍ତି। ଏହା ପରେ ଉକ୍ତ ବ୍ୟକ୍ତିଙ୍କୁ ତାଙ୍କ ପେଟିଏମ୍ ଆକାଉଣ୍ଟରେ ଏକ ଟଙ୍କା ଛାଡିବାକୁ କହିଥାନ୍ତି । ଏହାପରେ ପରେ ଅପରାଧୀ ମାନେ ପୂର୍ବରୁ ହ୍ୟାକ୍ କରିନେଇଥିବା ଫୋନରୁ ତାଙ୍କ କ୍ରେଡିଟ୍ କାର୍ଡର PIN ନମ୍ବର ଦେଖିଥିଲେ । ଏହାପରେ କିଛି ସମୟ ଭିତରେ ତାଙ୍କ ଆକାଉଣ୍ଟରୁ ଟଙ୍କା ହଡପ କରି ନେଇଥାନ୍ତି ଏହି ସାବର କ୍ରିମିନାଲ୍ ମାନେ ।