ଫେସ୍‌ବୁକର ପ୍ୟାରେଣ୍ଟ୍ କମ୍ପାନୀ ‘ମେଟା’ ୧୧,୦୦୦ କର୍ମଚାରୀଙ୍କୁ କଲା ଚାକିରିରୁ ବହିଷ୍କାର! ମୁଁ ଦୁଃଖିତ ବୋଲି କହିଲେ ମାର୍କ ଜୁକରବର୍ଗ

ଫେସବୁକର ପ୍ୟାରେଣ୍ଟ୍ କମ୍ପାନୀ ମେଟା ୧୧,୦୦୦ରୁ ଅଧିକ କର୍ମଚାରୀଙ୍କୁ ଚାକିରିରୁ ବିଦା କରିଛି। ସୂଚନା ଅନୁସାରେ, ମେଟା ପ୍ଲାଟଫର୍ମସ୍ ଇଙ୍କ୍‌ ବୁଧବାର ବ୍ୟାପକ ରୂପେ ନିଜ କମ୍ପାନୀରେ କର୍ମଚାରୀ ଛଟେଇ କରିବାକୁ ଯୋଜନା କରିଛି। କମ୍ପାନୀର ଆୟ ହ୍ରାସ ପରେ ସୋସିଆଲ ମିଡିଆ କମ୍ପାନୀ ତରଫରୁ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ମେଟାର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ମାର୍କ ଜୁକରବର୍ଗ ଆଜି ଏକ ବ୍ଲଗ୍ ପୋଷ୍ଟରେ କହିଛନ୍ତି ଯେ ‘ଆଜି ମୁଁ ମେଟା ଇତିହାସରେ କରାଯାଇଥିବା କିଛି କଠିନ ପରିବର୍ତ୍ତନକୁ ସେୟାର କରୁଛି। ମୁଁ ନିଜ ଟିମ୍‌ର ଆକାରକୁ ପାଖାପାଖି ୧୩% କମାଇବାକୁ ଏବଂ ଆମର ୧୧,୦୦୦ରୁ ଅଧିକ ପ୍ରତିଭାଶାଳୀ କର୍ମଚାରୀଙ୍କୁ କମ୍ପାନୀରୁ ବାହାର କରିବାକୁ ନିଷ୍ପତ୍ତି ନେଇଛି। ଏଥିପାଇଁ ମୁଁ ଦୁଃଖିତ’।

ଜୁକରବର୍ଗ କହିଛନ୍ତି, ‘ଆମେ ଖର୍ଚ୍ଚ କାଟିବା ସହ Q1 ମାଧ୍ୟମରେ ନିଜର ହାୟରିଙ୍ଗ୍‌ ଫ୍ରିଜ୍‌କୁ ବଢ଼ାଇ ଏକ ଅଧିକ କୁଶଳୀ କମ୍ପାନୀ କରିବା ପାଇଁ କେତେକ ଅତିରିକ୍ତ ପଦକ୍ଷେପ ଉଠାଉଛୁ’। ଏତେ ସଂଖ୍ୟାରେ କର୍ମଚାରୀଙ୍କ ଛଟେଇ ଦର୍ଶାଉଛି କି, କମ୍ପାନୀ ତରଫରୁ ବଡ ବଜେଟ୍ ହ୍ରାସ କରାଯିବାକୁ ପ୍ରସ୍ତୁତି ଚାଲିଛି। ସୂଚନାଥାଉ କି, ଡିଜିଟାଲ ବିଜ୍ଞାପନ ରାଜସ୍ୱରେ ହ୍ରାସ କାରଣରୁ କମ୍ପାନୀକୁ ଏହି ପଦକ୍ଷେପ ଉଠାଇବାକୁ ପଡ଼ିଛି।

ଚାକିରିରୁ ବହିଷ୍କାର ହୋଇଥିବା କର୍ମଚାରୀମାନଙ୍କୁ କମ୍ପାନୀ ତରଫରୁ ୬ ସପ୍ତାହର ମୂଳ ବେତନ ଦିଆଯିବ। କମ୍ପାନୀ କହିଛି, କର୍ମଚାରୀମାନଙ୍କୁ ୬ ମାସ ପାଇଁ ସ୍ୱାସ୍ଥ୍ୟସେବାର ଖର୍ଚ୍ଚ ପ୍ରଦାନ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.