ପାଞ୍ଚ ଦିନ ପରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍‌ ! ତେଜିଛି ପ୍ରଚାର ଯୁଦ୍ଧ, ସରଗରମ ମଇଦାନ

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଏବେ ଜମୁଛି ପ୍ରଚାର । ରୋଡ ସୋ, ନିର୍ବାଚନୀ ସଭା, କ୍ୟାମ୍ପେନରେ କମ୍ପୁଛି ମୈଦାନ। ଏହି ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ଦୁଇ ଦୁଇଟି ନିର୍ବାଚନ ମଣ୍ଡଳୀ ହିଞ୍ଜଳି ଓ ବିଜେପୁରରୁ ଲଢୁଛନ୍ତି ନିର୍ବାଚନ। ବଡ଼ ମୁକାବିଲା ପାଇଁ ପ୍ରସ୍ତୁତ ହେଲାଣି ଅତାବିରା। ଗାଁ ଗାଁ ଘର ଘର ବୁଲି ଭୋଟରଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା ଚଳାଇଛନ୍ତି ପ୍ରାର୍ଥୀ। ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ କ୍ୟାମ୍ପେନ କରି ତାଙ୍କୁ ଭୋଟ ଦେବାକୁ ନିବେଦନ କରିଛନ୍ତି। କଂଗ୍ରେସ ପ୍ରାର୍ଥୀ ନିହାର ମହାନନ୍ଦ ଚାଷୀଙ୍କ ସମସ୍ୟା ନେଇ ମାଗୁଛନ୍ତି ସମର୍ଥନ। ସେପଟେ କେନ୍ଦ୍ର ସରକାରଙ୍କ ସଫଳତାକୁ ପାଥେୟ କରି ଭୋଟ ଭିକ୍ଷା କରୁଛନ୍ତି ବିଜେପି ପ୍ରାର୍ଥୀ ମିଲନ ସେଠ। ବଲାଙ୍ଗୀର ଲୋକସଭା ଆସନର ବିଜେଡି ପ୍ରାର୍ଥୀ କଳିକେଶ ନାରାୟଣ ସିଂହଦେଓ ସଭା କରି ଚଳାଇଛନ୍ତି ପ୍ରଚାର।

ସୋନପୁରରେ ବି ଜମିଲାଣି ପ୍ରଚାର। ନିର୍ବାଚନ ଉଷ୍ଣତା ମଧ୍ୟରେ ଘରକୁ ଘର ବୁଲି ପ୍ରଚାର ଚଳାଇଛନ୍ତି ବିଜେଡି ପ୍ରାର୍ଥୀ ନିରଞ୍ଜନ ପୂଜାରୀ। ଦିନରାତି ଏକକରି ସମର୍ଥକଙ୍କ ସହ କରୁଛନ୍ତି ଭୋଟ ଭିକ୍ଷା । ସେପଟେ କଂଗ୍ରେସ ପ୍ରାର୍ଥୀ ଚିତ୍ତରଂଜନ ମିଶ୍ର ମଧ୍ୟ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଦେଉଛନ୍ତି ପ୍ରତିଶ୍ରୁତି । କଣ୍ଟାବାଞ୍ଝିରେ ନବୀନଙ୍କ ନିର୍ମଳ ଭାବମୂର୍ତ୍ତି ଓ ଲୋକାଭିମୂଖୀ ଯୋଜନାକୁ ପାଥେୟ କରି ପ୍ରଚାର ଚଳାଇଛନ୍ତି ବିଜେଡି ପ୍ରାର୍ଥୀ ଅଜୟ ଦାସ। ନିର୍ବାଚନକୁ ନେଇ ସମ୍ବଲପୁର ରାଜନୀତି ବି ବେଶ ଉଷ୍ଣ। ପଡ଼ାରୁ ପଡ଼ା ଘର ଘର ବୁଲି ଭୋଟ ଭିକ୍ଷା କରିଛନ୍ତି ବିଧାୟକ ପ୍ରାର୍ଥୀ ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀ ।

ବଡ଼ ମୁକାବିଲା ପାଇଁ ତୟାର ସବୁ ଦଳ। ଜନମତ ଏବଂ ଭୋଟରଙ୍କୁ ନିଜ ଆଡକୁ ଆକୃଷ୍ଟ କରିବା ପାଇଁ ସମସ୍ତେ ଦେଉଛନ୍ତି ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି। ହେଲେ କିଏ ମାରିବ ବାଜି, ନିର୍ଣ୍ଣାୟକ ସାଜିବେ ଜନତା ଜନାର୍ଦ୍ଦନ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.