ଦ୍ୱିତୀୟ ପର୍ଯ୍ୟାୟରେ ରୋଚକ ପ୍ରତିଦ୍ୱନ୍ଦ୍ୱିତା, ବଲାଙ୍ଗୀର ରାଜପରିବାରର ଭାଇ-ଭାଇ, ପତି-ପତ୍ନୀ, ବାପା-ପୁଅଙ୍କ ଭାଗ୍ୟ ଇଭିଏମରେ ସିଲ୍‌

ଭୁବନେଶ୍ବର : ସରିଲା ଦ୍ୱିତୀୟ ପର୍ଯ୍ୟାୟ ଭୋଟ । ଏହି ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ଲଢୁଥିବା ଦୁଇଟି ଯାକ ବିଧାନସଭା ଆସନ ହିଞ୍ଜିଳି ଓ ବିଜେପୁରରେ ହୋଇଛି ମତଦାନ । ଏବେ ଫଳାଫଳ ଉପରେ ନଜର । ସେହିପରି ବହୁଚର୍ଚ୍ଚିତ ଲୋକସଭା ଆସନ ମଧ୍ୟରେ ରହିଛି ଆସିକା । ଏଠାରୁ ବିଜେଡିର ପ୍ରମିଳା ବିଷୋୟୀ, ବିଜେପିରୁ ଅନୀତା ପ୍ରିୟଦର୍ଶିନୀ ଓ କଂଗ୍ରେସ ସମର୍ଥନରେ ଲଢୁଛନ୍ତି ସିପିଆଇର ରାମକୃଷ୍ଣ ପଣ୍ଡା । ଆସିକା ଲୋକସଭା କ୍ଷେତ୍ର ଅନ୍ତର୍ଗତ ୭ଟି ବିଧାନସଭା ଆସନ ମଧ୍ୟରୁ ୪ଟିରେ ବିଜେଡି ମହିଳାଙ୍କୁ ପ୍ରାର୍ଥୀ କରିଛି । କବିସୂର୍ଯ୍ୟନଗରରୁ ଲତିକା ପ୍ରଧାନ, ଖଲ୍ଲିକୋଟରୁ ସୂର୍ଯ୍ୟମଣି ବୈଦ୍ୟ, ସାନଖେମୁଣ୍ଡିରୁ ନନ୍ଦିନୀ ଦେବୀ ଓ ଆସିକାରୁ ପ୍ରତିଦ୍ୱିନ୍ଦ୍ୱିତା କରୁଥିବା ମଞ୍ଜୁଳା ସ୍ୱାଇଁଙ୍କ ଭାଗ୍ୟ ଏବେ ଇଭିଏମରେ ସିଲ୍‌ ।

ବଲାଙ୍ଗୀରର ତିନି ଜଣାଶୁଣା ପରିବାରର ରାଜନୈତିକ ଭାଗ୍ୟ ମଧ୍ୟ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଫଳାଫଳରୁ ଜଣାପଡ଼ିବ । ବଲାଙ୍ଗୀର ଲୋକସଭା କ୍ଷେତ୍ରରେ ବିଜେଡି ଟିକେଟରେ କଳିକେଶ ସିଂହଦେଓ ଲଢୁଛନ୍ତି । ତାଙ୍କ ସାନଭାଇ ଅର୍କେଶ ସିଂହଦେଓ ବଲାଙ୍ଗୀର ବିଧାନସଭା ଆସନରେ ପ୍ରଥମ କରି ପ୍ରତିଦ୍ୱିନ୍ଦ୍ୱିତା କରୁଛନ୍ତି । ସେହିପରି ରାଜକୀୟ ଦଂପତି କେ.ଭି ସିଂହଦେଓ ଓ ତାଙ୍କ ପତ୍ନୀ ସଙ୍ଗୀତା ସିଂହଦେଓ ମଧ୍ୟ ମଇଦାନରେ ଭାଗ୍ୟ ପରୀକ୍ଷା କରିଛନ୍ତି । ବିଜେପି ବିଧାୟକ ଦଳ ନେତା କେ.ଭି ପାଟଣାଗଡ଼ରୁ ଓ ସଙ୍ଗୀତା ବଲାଙ୍ଗୀର ଲୋକସଭା କ୍ଷେତ୍ରରେ ବିଜେପିର ପ୍ରାର୍ଥୀ ଅଛନ୍ତି । ସେହିପରି ବିରୋଧୀ ଦଳ ନେତା ନରସିଂହ ମିଶ୍ର ବଲାଙ୍ଗୀର ବିଧାନସଭା ଆସନ ଓ ତାଙ୍କ ପୁଅ ସମରେନ୍ଦ୍ର ମିଶ୍ର ବଲାଙ୍ଗୀର ସଂସଦୀୟ କ୍ଷେତ୍ରରୁ ଲଢୁଥିବା ବେଳେ ସେମାନଙ୍କ ଭାଗ୍ୟ ମଧ୍ୟ ନିର୍ଦ୍ଧାରଣ କରିଛନ୍ତି ଭୋଟର ।

ବରଗଡ଼ ଲୋକସଭା ଆସନରେ ବିଜେଡି ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟ ମତଦାନ କରିଛନ୍ତି । ସେହିପରି ବରଗଡ଼ ଆସନରୁ ପ୍ରସନ୍ନଙ୍କ ପୁତୁରା ଦେବେଶ ଆଚାର୍ଯ୍ୟ ମଧ୍ୟ ଏଥର ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବେଳେ ତାଙ୍କ ଭାଗ୍ୟ ଇଭିଏମରେ ସିଲ୍‌ ହୋଇଛି । ଭଟଲି ଆସନରୁ ଲଢୁଥିବା ମନ୍ତ୍ରୀ ସୁଶାନ୍ତ ସିଂହ ବୁଥକୁ ଆସି ଭୋଟ ଦେଇଛନ୍ତି । ସେହିପରି ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ମତାଧିକାର ସାବ୍ୟସ୍ତ କରିଛନ୍ତି । ବ୍ରଜରାଜନଗର ନିର୍ବାଚନମଣ୍ଡଳୀର ପ୍ରାର୍ଥୀ ହୋଇଥିବା ପୂର୍ବତନ ବାଚସ୍ପତି କିଶୋର ମହାନ୍ତି ମତଦାନ କେନ୍ଦ୍ରକୁ ଆସି ଭୋଟ ଦେଇଥିଲେ ।

ସୁନ୍ଦରଗଡ଼ ଲୋକସଭା ଆସନରୁ ଲଢୁଥିବା କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ମଧ୍ୟ ମତଦାନ କରିଛନ୍ତି । ସୁନ୍ଦରଗଡ଼ ବିଧାନସଭା ଆସନର ପ୍ରାର୍ଥୀ ଯୋଗେଶ ସିଂ ଉତ୍ସାହର ସହ ଭୋଟ ଦେଇଛନ୍ତି । ସେହିପରି ସୁନ୍ଦରଗଡ଼ ଲୋକସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ଜର୍ଜ ତିର୍କୀ ଏବେ ବୀରମିତ୍ରପୁର ଆସନରେ ତାଙ୍କ ପୁଅ ରୋହିତ ଯୋଶେଫ ତିର୍କୀ ଲଢୁଥିବା ବେଳେ ସେମାନଙ୍କ ଉପରେ ମଧ୍ୟ ନଜର ରହିଛି। ଟିଟିଲାଗଡ଼ ବିଧାନସଭା ଆସନର ଟୁକୁନି ସାହୁ ମଧ୍ୟ ମତଦାନ କରିଥିବା ଦେଖାଯାଇଥିଲା । କନ୍ଧମାଳ ଜି. ଉଦୟଗିରି ଆସନର ବିଜେଡି ପ୍ରାର୍ଥୀ ସାଲୁଗା ପ୍ରଧାନ ନିଜ ଗାଁ ଟକରମାଲା ବୁଥରେ ମତାଧିକାର ସାବ୍ୟସ୍ତ କରିଛନ୍ତି ।

ଦ୍ୱିତୀୟ ପର୍ଯ୍ୟାୟରେ ୫ଟି ଲୋକସଭା ଓ ୩୫ଟି ବିଧାନସଭା ଆସନ ପାଇଁ ମତଦାନ ଗ୍ରହଣ ହୋଇଛି । ଏହି ପର୍ଯ୍ୟାୟରେ ଲଢୁଥିବା ୩୫ ଜଣ ସାଂସଦ ପ୍ରାର୍ଥୀ ଓ ୨୪୪ ଜଣ ବିଧାୟକ ପ୍ରାର୍ଥୀଙ୍କ ଭାଗ୍ୟ ଏବେ ଇଭିଏମରେ ସିଲ୍‌ । ଦୁଇଟି ପର୍ଯ୍ୟାୟରେ ମୋଟ୍‌ ୯ଟି ଲୋକସଭା ଆସନ ଓ ୬୩ ବିଧାନସଭା ଆସନରେ ମତଦାନ ସରିଥିବା ବେଳେ ଆଉ ୧୨ ଲୋକସଭା ଓ ୮୪ଟି ବିଧାନସଭା ଆସନର ମତଦାନ ବାକି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.