ସବୁ ଅପରାଧର ମୂଳ ହେଉଛି ମଦ। ମଦ ଯୋଗୁ ଚୋରି, ନାରୀ, ଦୁଷ୍କର୍ମ ଆଦି ସବୁ ପ୍ରକାରର ଅପରାଧ ଘଟିଥାଏ। ମଦ ଏକ ଏମିତି ନିଶା ଯାହାକୁ ମଣିଷ ଛାଡ଼ିବାକୁ ଚାହିଁଲେ ବି ସେ ମଣିଷକୁ ଛାଡ଼େନାହିଁ। ମଦ ପିଇବା ସମୟ ହୋଇଗଲେ ବ୍ୟକ୍ତି ଆପେ ଆପେ ସେ ଆଡ଼କୁ ଟାଣି ହୋଇଯାଏ। ମଦ ଯୋଗୁ କେତେ ଯେ ପରିବାର ଭାଙ୍ଗିଛି ତାହାର ହିସାବ ନାହିଁ। ସ୍ୱାମୀ ମଦ ପିଇ ଆସି ସ୍ତ୍ରୀକୁ ମାଡ଼ପିଟ୍ କରିବା ଯେମିତି ଏକ ନିତିଦିନିଆ ଖବର ପାଲଟିଛି। ମାତ୍ର ଏବେ ଯେଉଁ ଖବର ସାମ୍ନାକୁ ଆସିଛି ସେଥିରେ ମଦ ଯୋଗୁ ଯାଇଛି ଏକ ନିରୀହ ଜୀବନ। ଝାଡ଼ଖଣ୍ଡର ପଲାମୁ ଜିଲ୍ଲାରେ ମଦ ନିଶାରେ ସ୍ୱାମୀ ନେଇଛି ସ୍ତ୍ରୀର ଜୀବନ। ମଦ ନିଶାରେ ସ୍ୱାମୀ ନିଜ ସ୍ତ୍ରୀ ବସନ୍ତ ଦେବୀଙ୍କୁ ଲାଠିରେ ପିଟି ପିଟି ମାରି ଦେଇଛି। ହତ୍ୟା କରିବା ପରେ ସେ ନିଜ ବାପାଙ୍କ ସହ ଘଟଣାସ୍ଥଳରୁ ଫେରାର ହୋଇଛି।
ମେଦିନୀନଗରର ଅନୁମଣ୍ଡଳ ପୋଲିସ ପଦାଧିକାରୀ ସନ୍ଦୀପ କୁମାର ଗୁପ୍ତା ରବିବାର ସୂଚନା ଦେଇ କହିଛନ୍ତି ରାମଗଡ଼ ଥାନା ଅନ୍ତର୍ଗତ କରମା ଗାଁ ନିବାସୀ ସୁନୀଲ ପହିୟା ସବୁ ଦିନ ଭଳି ଶନିବାର ମଧ୍ୟ ମଦ ପିଇ ଘରକୁ ଫେରିଥିଲା। ରାତିରେ ସେ ବସନ୍ତଙ୍କୁ ଖାଇବାକୁ ମାଗିଥିଲା। ମାତ୍ର ବସନ୍ତ କିଛି କାମ କରୁଥିବାରୁ ଟିକେ ପରେ ଦେବାକୁ କହିଥିଲେ। ଏଥିରେ ଉତ୍କ୍ଷିପ୍ତ ହୋଇ ସୁନୀଲ ତାକୁ ଶୋଧିଥିଲା। ପରେ ବସନ୍ତ ଓ ସୁନୀଲ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ସୁନୀଲ ରାଗିଯାଇ ପାଖରେ ଥିବା ଏକ ଠେଙ୍ଗା ଆଣି ବସନ୍ତଙ୍କୁ ପିଟିଥିଲା। ମଦ ନିଶାରେ ସେ ବସନ୍ତଙ୍କୁ ପିଟି ପିଟି ଜୀବନରୁ ମାରି ଦେଇଥିଲା। ବସନ୍ତ ମରିଯିବା ପରେ ସୁନୀଲର ହୋସ୍ ଫେରିଥିଲା। ସେ କ’ଣ କରିବ ଜାଣିନପାରି ବାପାଙ୍କୁ ଡାକିଥିଲା। ଭୟରେ ବାପପୁଅ ଦୁହେଁ ଗାଁ ଛାଡ଼ି ଚାଲିଯାଇଥିଲେ।
ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ପୋଷ୍ଟମର୍ଟମ୍ ପାଇଁ ପଠାଇଛି। ଶ୍ରୀ ଗୁପ୍ତା କହିଛନ୍ତି ପୋଲିସ ଏବେ ଯାଞ୍ଚ କରୁଛି ଓ ମୃତାଙ୍କ ସ୍ୱାମୀଙ୍କୁ ବିଭିନ୍ନ ସ୍ଥାନରେ ଖୋଜା ଚାଲିଛି।