ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ନଓ୍ଵାଜ ସରିଫ କାରଗିଲ ଯୁଦ୍ଧ ସହ ଜଡ଼ିତ କେତେକ ଖୁଲାସା କରିଛନ୍ତି। ପିଏମ୍ଏଲ୍-ଏନ୍ର ମୁଖ୍ୟ ନଓ୍ଵାଜ୍ ସରିଫ୍ କହିଛନ୍ତି ୧୯୯୯ର କାରଗିଲ ଯୁଦ୍ଧକୁ ପାକ୍ ସେନା ନୁହେଁ ବରଂ କିଛି ଜେନେରାଲ ଆରମ୍ଭ କରିଥିଲେ। ଏହା ଦ୍ୱାରା ପାକିସ୍ତାନର ବେଜ୍ଜତି ହୋଇଥିଲା ବୋଲି ସେ କହିଛନ୍ତି। ନଓ୍ଵାଜ୍ ସରିଫ୍ ପାକିସ୍ତାନର ସଂଯୁକ୍ତ ବିପକ୍ଷ ପାକିସ୍ତାନ ଡେମୋକ୍ରେଟିକ୍ ମୁଭମେଣ୍ଟର ତୃତୀୟ ର୍ୟାଲିକୁ ଲଣ୍ଡନରୁ ସମ୍ବୋଧିତ କରିବା ଅବସରରେ କହିଛନ୍ତି ଏହି ଯୁଦ୍ଧରେ ସେନାକୁ ବିନା ରାସନ ଓ ଅସ୍ତ୍ରଶସ୍ତ୍ରରେ ଯୁଦ୍ଧକ୍ଷେତ୍ରକୁ ପଠାଯାଇଥିଲା। ଏନେଇ ଜାଣିବା ପରେ ସେ ବହୁତ ଦୁଃଖୀ ହୋଇଥିଲେ।
ଭିଡିଓ କଲ ମାଧ୍ୟମରେ ସମ୍ବୋଧିତ କରିବା ଅବସରରେ ନଓ୍ଵାଜ କହିଛନ୍ତି କାରଗିଲ ଯୁଦ୍ଧରେ ଆମର ଅନେକ ସୈନିକ ମରିଥିଲେ, ଏହା ଦ୍ୱାରା ପୂରା ଦୁନିଆ ସାମ୍ନାରେ ପାକିସ୍ତାନର ବେଜ୍ଜତି ହୋଇଥିଲା। ଏହାକୁ ପାକିସ୍ତାନର ସେନା ନୁହେଁ ବରଂ କେତେକ ଜେନେରାଲ ଆରମ୍ଭ କରିଥିଲେ। ଏହି ଲୋକମାନେ ଦେଶ ଓ ସୈନିକଙ୍କୁ ମରଣ ମୁହଁକୁ ଠେଲି ଦେଇଥିଲେ। ମୁଁ ଯେତେବେଳେ ଜାଣିଲି ଯେ ସୈନିକଙ୍କୁ ରାସନ ଓ ଅସ୍ତ୍ରଶସ୍ତ୍ର ବିନା ଯୁଦ୍ଧକ୍ଷେତ୍ରକୁ ପଠାଯାଇଛି ସେତେବେଳେ ମୁଁ ବହୁତ ଦୁଃଖିତ ହୋଇଥିଲି। ସେମାନେ ଯୁଦ୍ଧରେ ସହିଦ ହେଲେ। କିନ୍ତୁ ଦେଶ କ’ଣ ପାଇଲା?
ନଓ୍ଵାଜ୍ ସରିଫ ଏହି ମାମଲାରେ ପରଭେଜ ମୁସାରଫଙ୍କୁ ନେଇ କହିଛନ୍ତି ମୁସାରଫ ଓ ତାଙ୍କ ନିଜ ଲୋକମାନେ ନିଜ ସ୍ୱାର୍ଥ ପାଇଁ ଆର୍ମିକୁ ବ୍ୟବହାର କଲେ ଓ ଆର୍ମିର ପ୍ରତିଷ୍ଠାକୁ ନଷ୍ଟ କରିଦେଲେ।
ପ୍ରକାଶ ଯେ ପାକିସ୍ତାନର ଇମ୍ରାନ୍ ସରକାରଙ୍କ ବିପକ୍ଷରେ ପାକିସ୍ତାନର ବିପକ୍ଷ ଦଳ ସଂଯୁକ୍ତ ଭାବେ ର୍ୟାଲି କରୁଛନ୍ତି। ଏଥିପାଇଁ ସେମାନେ ପାକିସ୍ତାନ ଡେମୋକ୍ରେଟିକ ମୁଭମେଣ୍ଟ ସହ ହାତ ମିଳାଇଛନ୍ତି। ନଓ୍ଵାଜ ସରିଫ୍ ଏହି ରାଲିରେ ନିଜ ଜ୍ୱାଇଁଙ୍କ ଗିରଫ ବିଷୟରେ ମଧ୍ୟ କହିଥିଲେ।