ଉତ୍ତରାଖଣ୍ଡ ଭୂସ୍ଖଳନରେ ମୃତ ବ୍ୟକ୍ତିଙ୍କ ୪ ଝିଅକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବେ ସୋନୁ ସୁଦ୍‌, ପଢ଼ା ଠୁ ବିବାହ ଯାଏଁ କରିବେ ସବୁ ଖର୍ଚ୍ଚ

ପୁଣିଥରେ ବଦାନ୍ୟତା ଦେଖାଇଛନ୍ତି ଅଭିନେତା ସୋନୁ ସୁଦ୍‌। କରୋନା କାଳରେ ଲୋକଙ୍କୁ ସାହାଯ୍ୟ କରି ନୂଆ ଜୀବନ ଦାନ ଦେଇଥିବା ସୋନୁ ଏବେ ଉତ୍ତରାଖଣ୍ଡ ଚମୋଲି ଭୂସ୍ଖଳନ ପୀଡ଼ିତଙ୍କ ପାଇଁ ଦେବଦୂତ ସାଜିଛନ୍ତି। ସୋନୁ ଏବେ ଚମୋଲି ପୀଡ଼ିତଙ୍କ ଚାରି ଜଣ ଝିଅକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ରିପୋର୍ଟ ମୁତାବକ, ଚମୋଲି ଦୁର୍ଘଟଣାରେ ଟିହରୀ ଜିଲ୍ଲାର ଆଲମ୍‌ ସିଂହ ପୁଣ୍ଡିରଙ୍କ ମୃତ୍ୟୁ ଘଟିଛି। ଏହି ଭୂସ୍ଖଳନ ବେଳେ ଆଲମ୍‌ ଏକ ଟନେଲରେ କାମ କରୁଥିଲେ। ସେ ପେସାରେ ଜଣେ ଇଲେକ୍ଟିସିଆନ୍‌। ତାଙ୍କ ମୃତ୍ୟୁ ପରେ ପୂରା ପରିବାର ବେସାହାରା ହୋଇଯାଇଛି। ଆଲମ୍‌ଙ୍କର ୪ଟି ଝିଅ। ବାପାଙ୍କ ମୃତ୍ୟୁ ପରେ ଅନାଥ ହୋଇଯାଇଛନ୍ତି ସେମାନେ। ଏନେଇ ଜାଣିବା ପରେ ଏବେ ଏହି ୪ ଝିଅଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବାକୁ ସୋନୁ ଚିନ୍ତା କରିଛନ୍ତି।

ସୋନୁଙ୍କ ଟିମ୍‌ ତରଫରୁ ମିଳିଥିବା ସୂଚନା ଅନୁସାରେ, ସୋନୁ ଏହି ୪ ଝିଅଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିବା ସହ ତାଙ୍କ ପଢ଼ାପଢ଼ିଠୁ ଆରମ୍ଭ କରି ବିବାହ ପର୍ଯ୍ୟନ୍ତ ସବୁ ଖର୍ଚ୍ଚ ବହନ କରିବେ। ଏନେଇ ସୋନୁ ସୁଦ୍‌ ଏକ ନ୍ୟୁଜ୍‌ ପୋର୍ଟାଲ ସହ ମଧ୍ୟ କଥା ବାର୍ତ୍ତା କରିଛନ୍ତି। ସୋନୁ କହିଛନ୍ତି, ଏଭଳି ବିପଦ ସମୟରେ ସମସ୍ତେ ଆଗକୁ ଆସି ପୀଡ଼ିତଙ୍କୁ ସାହାଯ୍ୟ କରିବା ଦରକାର। ତେବେ ସୋନୁଙ୍କର ଏହି ପଦକ୍ଷେପକୁ ସମସ୍ତେ ଭୁରି ଭୁରି ପ୍ରଶଂସା କରିବା ସହ ପୁଣିଥରେ ସୋନୁ ଲୋକଙ୍କ ମନ ଜିତିଗଲେ ବୋଲି କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.