ଶିଳ୍ପା ସେଟ୍ଟୀ ଓ ତାଙ୍କ ମା’ଙ୍କ ବିରୋଧରେ ଅର୍ଥ ଆତ୍ମସାତ୍‌ କରିଥିବା ଅଭିଯୋଗ, ହୋଇପାରନ୍ତି ଗିରଫ

ଶିଳ୍ପା ସେଟ୍ଟୀଙ୍କ ଚିନ୍ତା କମିବା ବଦଳରେ ବଢ଼ିବାରେ ଲାଗିଛି। ସ୍ୱାମୀ ରାଜ୍‌ କୁନ୍ଦ୍ରାଙ୍କ ପରେ ଏବେ ତାଙ୍କ ମା’ ସୁନନ୍ଦା ସେଟ୍ଟୀଙ୍କ ବିରୋଧରେ ଆସିଛି ଠକେଇ ଅଭିଯୋଗ। ଉତ୍ତର ପ୍ରଦେଶରେ ଏକ ଠକେଇ ମାମଲାରେ ଶିଳ୍ପାଙ୍କ ମା’ ସମ୍ପୃକ୍ତ ଥିବା ନେଇ ଅଭିଯୋଗ ହୋଇଛି। ଏକ ୱେଲ୍‌ନେସ୍‌ ସେଣ୍ଟର କରିବା ନାଁରେ ଠକେଇ କରିଥିବା ଅଭିଯୋଗରେ ଶିଳ୍ପା ଓ ତାଙ୍କ ମା’ଙ୍କୁ ପଚରାଉଚରା କରିବାକୁ ଲକ୍ଷ୍ନୌ ପୋଲିସର ଏକ ଟିମ୍‌ ମୁମ୍ବାଇ ଯିବ ବୋଲି ସୂଚନା ମିଳିଛି।

ପୋଲିସର ସୂଚନା ମୁତାବକ, ଶିଳ୍ପା ସେଟ୍ଟୀ ଆୟୋସିସ୍‌ ୱେଲ୍‌ନେସ୍‌ ନାମକ ଏକ ଫିଟ୍‌ନେସ୍‌ ଚେନ୍‌ ତିଆରି କରିଛନ୍ତି। ଏହି କମ୍ପାନୀର ଅଧ୍ୟକ୍ଷ ନିଜେ ଶିଳ୍ପା ସେଟ୍ଟୀ ଥିବା ବେଳେ ତାଙ୍କ ମା’ ସୁନନ୍ଦା ନିର୍ଦ୍ଦେଶକ ଅଛନ୍ତି। ଅଭିଯୋଗ ହେଉଛି ଯେ ଶିଳ୍ପା ଓ ତାଙ୍କ ମା’ ୱେଲ୍‌ନେସ୍‌ ସେଣ୍ଟରର ଏକ ବ୍ରାଞ୍ଚ୍‌ ଖୋଲିବା ନାଁରେ ଦୁଇ ଜଣଙ୍କ ଠାରୁ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ନେଇଛନ୍ତି। କିନ୍ତୁ ଏବେ ଯାଏଁ ପ୍ରତିଶ୍ରୁତି ପୂରଣ କରିନାହାନ୍ତି।

ଏଣୁ ଓମେକ୍ସ ହାଇଟ୍ସ ନିବାସୀ ଜ୍ୟୋତ୍ସ୍ନା ଚୌହ୍ଵାନ ବିଭୂତି ଖଣ୍ଡ ଥାନାରେ ଓ ରୋହିତ ବୀର ସିଂହ ହଜରତଗଞ୍ଜ ଥାନରେ ଠକେଇ ମାମଲା ରୁଜୁ କରିଛନ୍ତି। ଉଭୟ ଥାନା ପୋଲିସ ଶିଳ୍ପା ଓ ତାଙ୍କ ମା’ଙ୍କୁ ପଚରାଉଚରା କରିବାକୁ ନୋଟିସ୍‌ ପଠାଇଛନ୍ତି। ଯଦି ଏହି ମାମଲାରେ ଉଭୟେ ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ରାଜ୍‌ଙ୍କ ଭଳି ଶିଳ୍ପା ଓ ତାଙ୍କ ମା’ ବି ଗିରଫ ହୋଇପାରନ୍ତି ବୋଲି ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.