କେରଳ: ନାଗସାପ କିଣିକି ଆଣିଲା ସ୍ୱାମୀ, ପୁଣି ସାପକୁ ଉସୁକାଇ ସ୍ତ୍ରୀକୁ ମରାଇଲା ଚୋଟ; ଡମି ଟେଷ୍ଟରେ ଖୋଲିଗଲା ରାଜ

କେରଳ ପୋଲିସ ଏକ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିବା ପାଇଁ ନିଆରା ଡମି ଟେଷ୍ଟ କରିଛି। ଉଥରା ହତ୍ୟାକାଣ୍ଡ ମାମଲାର ତଦନ୍ତ କରୁଥିବା ଟିମ୍‌ ଏକ ସାପ ଓ ପୁତୁଳା ସହିତ ସିନ୍‌ ରିକ୍ରିଏଟ୍‌ କରିଥିଲା। ଟିମ୍‌ର ବିଶେଷଜ୍ଞମାନେ ଏହା ଜାଣିବାକୁ ଚେଷ୍ଟା କରିଥିଲେ କି, ସାପ ଯଦି ସାଧାରଣ ଭାବେ କାମୁଡ଼େ ତ ଆଘାତ ଚିହ୍ନ କେମିତି ହେବ ଏବଂ ଉସୁକାଇବା ପରେ ଯଦି ଚୋଟ ପକାଏ, ତ ଆଘାତ ଚିହ୍ନ କେମିତି ହେବ।

ସୂଚନାଥାଉ କି, ଗତବର୍ଷ ମେ’ ୭ରେ ଉଥରା ନାମ୍ନୀ ମହିଳାଙ୍କର ନିଜ ସ୍ୱାମୀଙ୍କ ଘରେ ସାପ କାମୁଡ଼ାରେ ମୃତ୍ୟୁ ହୋଇଥିଲା। ତଦନ୍ତରୁ ଜଣାପଡ଼ିଥିଲା କି, ତାଙ୍କ ସ୍ୱାମୀ ସୂରଜ ଜାଣିଶୁଣି ତାଙ୍କୁ ସାପ ଦ୍ୱାରା କାମୁଡ଼ାଇ ହତ୍ୟା କରିଥିଲେ। ପୋଲିସ ସୂଚନା ମୁତାବକ, ସୂରଜ ଲୁଚାଛପାରେ ଏକ ନାଗସାପ କିଣିଥିଲେ, ଯାହାକୁ ସେ ନିଜ ସ୍ତ୍ରୀଙ୍କୁ ମାରିବା ପାଇଁ ବ୍ୟବହାର କରିଥିଲେ। ପୋଲିସ ପଚରାଉଚରାରେ ସେ ଦୁଇଟି ସାପ କିଣିଥିବା କଥା ସ୍ୱୀକାର କରିଥିଲେ, ଯେଉଁଥିରେ ଗୋଟିଏ ନାଗସାପ ରହିଥିଲା।

ଡମି ଟେଷ୍ଟ ବେଳେ ପ୍ରଥମେ ସାପଟିକୁ ପୁତୁଳା ଉପରେ ଛାଡ଼ି ଦିଆଯାଇଥିଲା। ଅନେକ ବାର ସାପକୁ ପୁତୁଳା ଉପରେ ରଖିବା ପରେ ମଧ୍ୟ ସେ ତାକୁ କାମୁଡ଼ି ନ ଥିଲା। ଦ୍ୱିତୀୟ ପର୍ଯ୍ୟାୟରେ ସାପର ମୁଣ୍ଡ ପାଖରେ ପୁତୁଳାର ହାତକୁ ନେଇ ରଖାଯାଇଥିଲା। ଏହି ଅବସ୍ଥାରେ ମଧ୍ୟ ସାପଟି କିଛି କରି ନ ଥିଲା। ତୃତୀୟ ପର୍ଯ୍ୟାୟରେ ସାପ ଶରୀର ଉପରେ ପ୍ରହାର କରିବା ପାଇଁ ପୁତୁଳାର ହାତକୁ ବ୍ୟବହାର କରାଯାଇଥିଲା, ଯାହାର ପରିଣାମସ୍ୱରୂପ ସାପ ପୁତୁଳାକୁ ଚୋଟ ପକାଇଥିଲା।

ଅନ୍ତିମ ପର୍ଯ୍ୟାୟରେ ସାପକୁ ହାତରେ ଧରି ପୁତୁଳା ଉପରେ ଜବରଦସ୍ତ ଚୋଟ ପକାଇବା ପାଇଁ ଚେଷ୍ଟା କରାଯାଇଥିଲା। ଏହି ସବୁ ଟେଷ୍ଟର ବିଶ୍ଳେଷଣରୁ ସାପର କାମୁଡ଼ା ଚିହ୍ନରେ ବିଭିନ୍ନତା ଦେଖିବାକୁ ମିଳିଥିଲା। ତେବେ ତୃତୀୟ ପର୍ଯ୍ୟାୟ ଟେଷ୍ଟରେ ଯେତେବେଳେ ସାପ ଶରୀର ଉପରେ ହାତରେ ପ୍ରହାର କରାଯାଇଥିଲା, ତ ସାପର କାମୁଡ଼ା ଚିହ୍ନ ୧.୭ ସେମି ଚଉଡ଼ା ଥିଲା। ସେହିପରି ପୁତୁଳା ଉପରେ ଜବରଦସ୍ତ ଚୋଟ ପକାଇବା ପାଇଁ ଉସୁକାଇବାରେ ସାପର କାମୁଡ଼ା ଚିହ୍ନ ୨ ସେମିରୁ ୨.୪ ସେମି ବଢ଼ିଯାଇଥିଲା। ଟିମ୍‌ର କହିବା ହେଲା, ତଦନ୍ତ ସମୟରେ ଏହା ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ହେବ। କୁହାଯାଉଛି କି, ଏହି ଡମି ଟେଷ୍ଟ ଗତବର୍ଷ ଜୁଲାଇ କିମ୍ବା ଅଗଷ୍ଟ ସମୟରେ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.