Below header

୨୦୦ ଦିନ ମହାକାଶରେ ବିତାଇ ପୃଥିବୀ ଫେରିଲେ ୪ ଯାତ୍ରୀ, ବଖାଣିଲେ ଶୌଚାଳୟ ଭାଙ୍ଗି ଯିବାରୁ କ’ଣ କରିଥିଲେ ସେମାନେ

୨୦୦ ଦିନ କାଳ ମହାକାଶ କେନ୍ଦ୍ରରେ ବିତାଇ ୪ ମହାକାଶ ଯାତ୍ରୀ ସୋମବାର ସ୍ପେସ୍‌ଏକ୍ସ କ୍ୟାପସୁଲ ଯୋଗେ ପୃଥିବୀ ପୃଷ୍ଠକୁ ଫେରିଛନ୍ତି। ସେମାନଙ୍କ କ୍ୟାପସୁଲ ରାତି ଅନ୍ଧାରରେ ଫ୍ଲୋରିଡାର ପେନ୍‌ସାକୋଲା ତଟରେ ମେକ୍ସିକୋ ଗଲ୍ଫରେ ଓହ୍ଲାଇଛି। ଯାତ୍ରୀମାନେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର ଛାଡ଼ିବାର ୮ ଘଣ୍ଟା ପରେ ପୃଥିବୀରେ ପହଞ୍ଚି ଥିଲେ, ଯଦ୍ଦ୍ଵାରା କି, ସେମାନଙ୍କ ସ୍ଥାନରେ ଅନ୍ୟ ମହାକାଶ ଯାତ୍ରୀଙ୍କୁ ସ୍ପେସ୍‌ଏକ୍ସରୁ ମହାକାଶ କେନ୍ଦ୍ରକୁ ଯିବା ପାଇଁ ରାସ୍ତା ପ୍ରଶସ୍ତ ହୋଇ ଯାଇଛି। ଏହି ୪ ମହାକାଶଚାରୀଙ୍କୁ ପୂର୍ବରୁ ହିଁ ପୃଥିବୀ ପୃଷ୍ଠକୁ ଅଣା ଯିବାର ଥିଲା, କିନ୍ତୁ ଖରାପ ପାଗ ଏବଂ ଜଣେ ମହାକାଶ ଯାତ୍ରୀଙ୍କର ଅଜ୍ଞାତ ଚିକିତ୍ସା ସମସ୍ୟା ଯୋଗୁ ଏଥିରେ ବିଳମ୍ବ ହୋଇଥିଲା। ନାସାର ମହାକାଶ ଯାତ୍ରୀ ସେନ୍‌ କିମବରାଁ ଓ ମେଗନ ମ୍ୟାକଆର୍ଥର, ଜାପାନର ଅକିହିତୋ ହୋଶିଦେ ଏବଂ ଫ୍ରାନ୍ସର ଥୋମାସ୍‌ ପେସ୍କେଓ୍ଵଟଙ୍କୁ ସୋମବାର ସକାଳେ ଫେରିବାର ଥିଲା। କିନ୍ତୁ ଖୁବ୍‌ ଜୋରରେ ପବନ ବହିବାରୁ ସେମାନେ ଫେରି ପାରି ନ ଥିଲେ।

ସେପଟେ ମହାକାଶ କେନ୍ଦ୍ରରୁ ନାସାର ମହାକାଶ ଯାତ୍ରୀ ମାର୍କ ଭେନ୍ଦେ ହେୟି ନିଜର ସାଥୀ ମହାକାଶ ଯାତ୍ରୀଙ୍କୁ ଫେରିବା ସମୟରେ ବିଦାୟ ଜଣାଇଥିଲେ। ସେ ମ୍ୟାକଆର୍ଥରଙ୍କୁ କହିଥିଲେ ଯେ ‘ମୁଁ ପାଖ ମଡ୍ୟୁଲରୁ ଆପଣଙ୍କ କରତାଳିର ଶବ୍ଦ ଆଉ ଶୁଣିବାକୁ ପାଇ ପାରିବି ନାହିଁ’। ତେବେ ଏହି ୪ ମହାକାଶ ଯାତ୍ରୀଙ୍କ ପାଇଁ ପୃଥିବୀ ପୃଷ୍ଠକୁ ଫେରିବାର ରାସ୍ତା ଏତେ ସହଜ ନ ଥିଲା। ସେମାନଙ୍କ କ୍ୟାପସୁଲରେ ଶୌଚାଳୟ ଭାଙ୍ଗି ଯାଇଥିଲା। ଏହି କାରଣରୁ ପୃଥିବୀ ପୃଷ୍ଠକୁ ଫେରିବା ସମୟରେ ଯାତ୍ରୀମାନଙ୍କୁ ଡାୟପର ପିନ୍ଧିବାକୁ ପଡ଼ିଥିଲା। ସମସ୍ତେ ୮ ଘଣ୍ଟା କାଳ ଏହି ଡାୟପର ପିନ୍ଧିଥିଲେ। ନାସା ମହାକାଶ ଯାତ୍ରୀ ମେଗନ ମ୍ୟାକଆର୍ଥର ଶୁକ୍ରବାରର ସ୍ଥିତିକୁ ଅତି ଭୟଙ୍କର ବୋଲି ବଖାଣିଛନ୍ତି। ସେ କହିଛନ୍ତି କି, ଶୌଚାଳୟ ଭାଙ୍ଗିଯିବା ସତ୍ତ୍ୱେ ଆମେ ଏହାକୁ ମ୍ୟାନେଜ କରି ନେଇଥିଲୁ। ପୃଥିବୀ ପୃଷ୍ଠକୁ ଫେରିବା ସମୟରେ ସେ ଏବଂ ତାଙ୍କର ଅନ୍ୟ କ୍ରୁ ମହାକାଶ ଯାତ୍ରୀ ସ୍ପେସ୍‌ଏକ୍ସ କ୍ୟାପସୁଲରେ ପାଖାପାଖି ୮ ଘଣ୍ଟା ଡାୟପର ପିନ୍ଧିକି ବିତାଇଥିଲେ। ସ୍ପେସ୍‌ଏକ୍ସର ଏହି କ୍ୟାପସୁଲ ମହାକାଶରେ ୨୧୦ ଦିନ ପର୍ଯ୍ୟନ୍ତ ରହିପାରିବ।

ସେପଟେ ମହାକାଶ ଯାଇଥିବା ଅଲଗା ଦଳ ସେଠାରେ ୬ ମାସ ପର୍ଯ୍ୟନ୍ତ ରହିବେ। ଜାପାନର ଜଣେ ଉଦ୍ଦ୍ୟୋଗପତି ଏବଂ ତାଙ୍କର ବ୍ୟକ୍ତିଗତ ସହାୟକ ଡିସେମ୍ବରରେ ରୁଷର ମହାକାଶ ଏଜେନ୍ସିରୁ ବାହାରିବେ। ଏହାପରେ ସ୍ପେସ୍‌ଏକ୍ସରୁ ଫେବୃୟାରୀ ମାସରେ ୩ ଜଣ ବ୍ୟବସାୟୀ ମହାକାଶକୁ ଯିବେ। ମହାକାଶ ଯାତ୍ରୀମାନେ କହିଥିଲେ କି, ସେମାନେ ଷ୍ଟେଶନର ପାଓ୍ଵର ଗ୍ରୀଡ୍‌କୁ ଅପଗ୍ରେଡ୍‌ କରିବା ପାଇଁ ସ୍ପେସ୍‌ଓ୍ଵାକ୍‌ର ଏକ ସିରିଜ୍‌ ଆୟୋଜନ କରିଥିଲେ। ଏତିକି ନୁହେଁ, ରୁଷୀୟ ଫିଲ୍ମ ଡାଇରେକ୍ଟର ଏହି ସମୟରେ ଏକ ଫିଲ୍ମର ମଧ୍ୟ ଶୁଟିଙ୍ଗ୍‌ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.