ଭାରତକୁ ହାତ ଯୋଡ଼ି ଅନୁରୋଧ କଲେ ଦକ୍ଷିଣ ଆଫ୍ରିକୀୟ କ୍ରିକେଟର, କହିଲେ- ‘ଆମ ଦେଶକୁ ନିଶ୍ଚୟ ଆସନ୍ତୁ’

କରୋନା ଭାଇରସ୍‌ର ନୂଆ ଭ୍ୟାରିଏଣ୍ଟ ଓମିକ୍ରନ୍‌ (Omicron) ଏବେ ସାରା ଦୁନିଆରେ ପୁଣିଥରେ ଆତଙ୍କ ସୃଷ୍ଟି କରିଛି। ଏହି ଭ୍ୟାରିଏଣ୍ଟର ସବୁଠୁ ଅଧିକ ପ୍ରଭାବ ଦକ୍ଷିଣ ଆଫ୍ରିକାରେ ଦେଖିବାକୁ ମିଳୁଛି। ସେଠାରେ ଏହି ଭ୍ୟାରିଏଣ୍ଟର ଶତାଧିକ ମାମଲା ଚିହ୍ନଟ ହୋଇସାରିଲାଣି। କରୋନାର ନୂଆ ଲହର ଆରମ୍ଭ ହୋଇଥିବାରୁ ଭାରତୀୟ କ୍ରିକେଟ୍‌ ଟିମ୍‌ ଦକ୍ଷିଣ ଆଫ୍ରିକା ଯାତ୍ରା କରିବ କି ନାହିଁ ସେ ନେଇ ସନ୍ଦେହ ସୃଷ୍ଟି ହୋଇଛି।

ଇତି ମଧ୍ୟରେ ଦକ୍ଷିଣ ଆଫ୍ରିକା ଟିମ୍‌ର ଖେଳାଳି ଫରହାନ୍‌ ବେହରଦିନ୍‌ ଭାରତୀୟ ଟିମ୍‌କୁ ଅନୁରୋଧ କରିଛନ୍ତି ଯେ, ସେମାନେ ତାଙ୍କ ଦେଶକୁ ନିଶ୍ଚୟ ଆସନ୍ତୁ।

ବେହରଦିନ୍‌ ଟ୍ଵିଟରରେ ଲେଖିଛନ୍ତି, ‘ମୁଁ ଆଶା କରୁଛି ଯେ ଦୁନିଆର ସବୁଠୁ ବଡ଼ କ୍ରିକେଟ୍‌ ଦେଶ ଆସନ୍ତା ମାସରେ ଆମ ଦେଶକୁ ଗସ୍ତ କରିବ। ଦକ୍ଷିଣ ଆଫ୍ରିକାର ଖେଳାଳିଙ୍କ ଆଗାମୀ ପିଢ଼ିଙ୍କୁ ଏହାର ଆବଶ୍ୟକତା ରହିଛି। ପ୍ରଣାମ ଇଣ୍ଡିଆ’।

ଟିମ୍‌ ଇଣ୍ଡିଆର ନିର୍ଦ୍ଧାରିତ କାର୍ଯ୍ୟକ୍ରମ ମୁତାବକ, ଆସନ୍ତା ମାସ ୮-୯ ଡିସେମ୍ବରରେ ଟିମ୍‌ ଇଣ୍ଡିଆ ସାଉଥ୍‌ ଆଫ୍ରିକା ଗସ୍ତ କରିବ। ୧୭ ଡିସେମ୍ବରରେ ଜୋହାନିସବର୍ଗରେ ଟେଷ୍ଟ ମୁକାବିଲା ପାଇଁ ଏହି ଗସ୍ତ କରିବ ଇଣ୍ଡିଆ ଟିମ୍‌। ଟିମ୍‌ ଇଣ୍ଡିଆ ଏହି ୭ ସପ୍ତାହ ଗସ୍ତ ମଧ୍ୟରେ ତିନିଟି ଟେଷ୍ଟ, ତିନିଟି ଦିନିକିଆ ଓ ଚାରିଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିବ। ଏହି ମ୍ୟାଚ୍‌ ୪ଟି ସହର ଜୋହାନିସବର୍ଗ, ସେଞ୍ଚୁରିଆନ୍‌, ପାର୍ଲ ଓ କେପ୍‌ଟାଉନ୍‌ରେ ଖେଳାଯିବ।

ସୂଚନାଯୋଗ୍ୟ ଯେ କରୋନାର ନୂଆ ଭ୍ୟାରିଏଣ୍ଟ B.1.1.529 (Omicron) ପ୍ରଥମ ଥର ୨୪ ନଭେମ୍ବରରେ ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିଲା। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି ଯେ ଦକ୍ଷିଣ ଆଫ୍ରିକାରେ B.1.1.529 ଭ୍ୟାରିଏଣ୍ଟ ସାମ୍ନାକୁ ଆସିବା ପରେ ସଂକ୍ରମଣ ଆଶାତୀତ ଭାବେ ବୃଦ୍ଧି ପାଇଛି। ଡବ୍ଲ୍ୟୁଏଚ୍‌ଓ କହିଛି, ଏହି ଭ୍ୟାରିଏଣ୍ଟର ଏକାଧିକ ମ୍ୟୁଟେସନ୍‌ ରହିଛି, ଯାହା ଆଗକୁ ଚିନ୍ତା ବଢ଼ାଇବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.