ଡେଲ୍ଟାଠାରୁ ଅଲଗା ‘ଓମିକ୍ରନ’ ସଂକ୍ରମିତଙ୍କ ଲକ୍ଷଣ! ଯାଉନି ସ୍ୱାଦ କି ଗନ୍ଧ, ଥକ୍କାପଣ ଓ ମୁଣ୍ଡବିନ୍ଧା ହିଁ ଶରୀରକୁ କରୁଛି ଯନ୍ତ୍ରଣାଦାୟକ; ଜାଣନ୍ତୁ କ’ଣ କହୁଛନ୍ତି ବିଶେଷଜ୍ଞ
ଦକ୍ଷିଣ ଆଫ୍ରିକାରୁ ଆସିଥିବା କରୋନା ଭାଇରସ୍ର ନୂଆ ଭ୍ୟାରିଆଣ୍ଟ ‘ଓମିକ୍ରନ’କୁ ନେଇ ଆଉ ଏକ କଥା ସାମ୍ନାକୁ ଆସିଛି। ଏଥିରେ ସଂକ୍ରମିତ ବ୍ୟକ୍ତି ସ୍ୱାଦ ଓ ଗନ୍ଧ ଯିବା ନେଇ କୌଣସି ବି ଅଭିଯୋଗ କରି ନାହାନ୍ତି। ଏପରି କି, ସେମାନଙ୍କ ନାକ ବନ୍ଦ ହେବା କିମ୍ବା ଶରୀରର ତାପମାତ୍ରା ବହୁତ ଅଧିକ ବଢ଼ିଯିବା ଭଳି ଅଭିଯୋଗ ମଧ୍ୟ ନାହିଁ। ସାଉଥ୍ ଆଫ୍ରିକୀୟ ମେଡିକାଲ ଆସୋସିଏସନର ଚେୟାରପର୍ସନ ଏଞ୍ଜେଲିକ କୋଟେଜ ଗୁରୁବାର ଏକ ବୟାନରେ କହିଛନ୍ତି କି, ଓମିକ୍ରନର ଅଧିକାଂଶ ମାମଲାରେ ଥକ୍କାପଣ ଭଳି ଅଭିଯୋଗ ଆସିଛି। ଏହି ନୂଆ ଭ୍ୟାରିଆଣ୍ଟରେ ସଂକ୍ରମିତ ରୋଗୀ ଶରୀରରେ ପ୍ରବଳ ଯନ୍ତ୍ରଣା ଅନୁଭବ ହେଉଥିବା ନେଇ ଅଭିଯୋଗ କରିଛନ୍ତି। ଆଉ କିଛି ସଂକ୍ରମିତ ପ୍ରବଳ ମୁଣ୍ଡବିନ୍ଧା ଏବଂ ବହୁତ ଅଧିକ ଥକ୍କା ଲାଗୁଥିବା କଥା କହିଛନ୍ତି। କିନ୍ତୁ ଏମାନଙ୍କ ଭିତରୁ କେହି ବି ସ୍ୱାଦ ଓ ଗନ୍ଧ ଯିବା କଥା କହି ନାହାନ୍ତି, କି ସେମାନଙ୍କ ନାକ ବ୍ଲକେଜ କିମ୍ବା ପ୍ରବଳ ଜ୍ୱରର ଲକ୍ଷଣ ରହିଥିବା କଥା ପ୍ରକାଶ କରି ନାହାନ୍ତି।
୩୦ ଦେଶକୁ କବଳିତ କରିଛି ନୂଆ ଭ୍ୟାରିଆଣ୍ଟ
କରୋନା ଭାଇରସ୍ର ନୂଆ ଭ୍ୟାରିଆଣ୍ଟ ଓମିକ୍ରନର ମାମଲା ବିଶ୍ୱର ୩୦ ଦେଶକୁ କବଳିତ କରିଛି। ଯଦିଓ ଏହାକୁ ଅତ୍ୟଧିକ ସଂକ୍ରାମକ ବୋଲି କୁହାଯାଉଛି, କିନ୍ତୁ ଲକ୍ଷଣ ବିଷୟରେ ଆଲୋଚନା କରିବା ତ ଏହା ପୁରୁଣା ଭ୍ୟାରିଆଣ୍ଟଠାରୁ ବିଲ୍କୁଲ ଅଲଗା ରହିଛି। ନଭେମ୍ବର ମଧ୍ୟ ଭାଗରେ ପ୍ରଥମେ ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିବା ଘାତକ କରୋନା ଭାଇରସ୍ର ଏହି ନୂଆ ଭ୍ୟାରିଆଣ୍ଟ ବିଷୟରେ ଯଦିଓ କାହା ପାଖରେ ସେତେ ଅଧିକ ସୂଚନା ନାହିଁ, କିନ୍ତୁ ବର୍ତ୍ତମାନ ଏହା କବଳରେ ବିଶ୍ୱର ୩୦ ଦେଶ ଫସି ରହିଛି।
ଓମିକ୍ରନକୁ ନେଇ କ’ଣ କହିଛନ୍ତି ଏକ୍ସପର୍ଟ
ପ୍ରଫେସର ଏନ୍ ଭୋନ ଗୋଟବର୍ଗ କହିଛନ୍ତି କି, ଯେଉଁମାନେ ପୂର୍ବରୁ ସଂକ୍ରମିତ ହୋଇ ସାରିଥିଲେ, ସେମାନେ ଡେଲ୍ଟା ଭ୍ୟାରିଆଣ୍ଟ କବଳକୁ ଆସିବା ପରେ ଅଧିକ ସମସ୍ୟା ଦେଖା ଦେଇ ନ ଥିଲା। କିନ୍ତୁ ଓମିକ୍ରନ ମାମଲାରେ ଏମିତି ଲାଗୁ ନାହିଁ। ଦକ୍ଷିଣ ଆଫ୍ରିକାର ବୈଜ୍ଞାନିକମାନେ ଏବେ ସୁଦ୍ଧା କରିଥିବା ଅଧ୍ୟୟନ ବିଷୟରେ ଗୋଟବର୍ଗ କହିଛନ୍ତି, ପୂର୍ବରୁ ସଂକ୍ରମିତ ହୋଇ ସାରିଥିବା ଯେଉଁ ଲୋକ ଏବେ ଓମିକ୍ରନ କବଳକୁ ଆସୁଛନ୍ତି, ସେମାନଙ୍କ ଠାରେ ରୋଗର ହାଲୁକା ଲକ୍ଷଣ ଦେଖିବାକୁ ମିଳୁଛି। ୟୁରୋପୀୟ ୟୁନିୟନର ସାର୍ବଜନିକ ସ୍ୱାସ୍ଥ୍ୟ ଏଜେନ୍ସି ‘The European Center for Disease Prevention and Control (ECDC)’ କହିଛି ଯେ ଆଗାମୀ କିଛି ମାସ ଭିତରେ ୟୁରୋପରେ କରୋନା ସଂକ୍ରମଣର ଅଧାରୁ ଅଧିକ ମାମଲା ପାଇଁ ଓମିକ୍ରନ ହିଁ ଦାୟୀ ରହିବ।