ୟୁକ୍ରେନ ଶରଣାର୍ଥୀଙ୍କ ସହାୟତା ପାଇଁ ନିଜ ନୋବେଲ ଶାନ୍ତି ପୁରସ୍କାର ନିଲାମ କରିବେ ରୁଷୀୟ ଜର୍ନାଲିଷ୍ଟ!
ୟୁକ୍ରେନ ଶରଣାର୍ଥୀଙ୍କୁ ସହାୟତା ପାଇଁ ନିଲାମ ହେବ ନୋବେଲ ଶାନ୍ତି ପୁରସ୍କାର। ନୋବେଲ ଶାନ୍ତି ପୁରସ୍କାର ବିଜେତା ଦିମିତ୍ରୀ ମୁରାତୋଭ ନିଜ ପୁରସ୍କାରକୁ ନିଲାମ କରିବେ। ନିଲାମୀ ଅର୍ଥ ୟୁକ୍ରେନ ଶରଣାର୍ଥୀଙ୍କ ସହାୟତା ପାଇଁ ବିନିଯୋଗ ହେବ। ରୁଷୀୟ ଖବରକାଗଜ ନୋଭାୟା ଗେଜେଟାର ପ୍ରଧାନ ସମ୍ପାଦକ ହେଉଛନ୍ତି ଦିମିତ୍ରୀ ମୁରାତୋଭ। ରୁଷର ରାଜନୈତିକ ବ୍ୟାପାର ଓ ସାମାଜିକ ବ୍ୟବସ୍ଥାରେ ଅନୁସନ୍ଧାନ ମୂଳକ ଖବର ପରିବେଷଣ ପାଇଁ ଚର୍ଚ୍ଚାରେ ରହିଥାଏ ନୋଭାୟାର ଗେଜେଟା। ଦିମିତ୍ରୀ ମୁରାତୋଭ ମଧ୍ୟ ପୁଟିନଙ୍କ କଠୋର ସମାଲୋଚକ ଭାବେ ଜଣାଶୁଣା।
ମୁରାତୋଭଙ୍କ ନାମରେ ପ୍ରକାଶିତ ଏକ ଲେଖାରେ ଖବରକାଗଜ କହିଛି ଯେ ‘ନୋଭାୟା ଗେଜେଟା ଏବଂ ମୁଁ (ମୁରାତୋଭ) ୟୁକ୍ରେନ ଶରଣାର୍ଥୀ କୋଷରେ ୨୦୨୧ର ନୋବେଲ ଶାନ୍ତି ପୁରସ୍କାର ପଦକ ଦାନ କରିବାକୁ ନିଷ୍ପତ୍ତି ନେଇଛୁ। ପୂର୍ବରୁ ହିଁ ୧୦ ମିଲିୟନରୁ ଅଧିକ ଶରଣାର୍ଥୀ ଅଛନ୍ତି। ମୁଁ ନିଲାମୀ ହାଉସ୍କୁ ରେସ୍ପଣ୍ଡ କରିବାକୁ ଏବଂ ଏହି ବିଶ୍ୱ ପ୍ରସିଦ୍ଧ ପୁରସ୍କାରକୁ ନିଲାମ କରିବାକୁ କହୁଛି’।
ଏକ ରିପୋର୍ଟ ଅନୁସାରେ, ରୁଷର ସଞ୍ଚାର ନିୟାମକ ମାର୍ଚ୍ଚ ଆରମ୍ଭରୁ ୧୦ ସ୍ଥାନୀୟ ମିଡିଆ ସଂସ୍ଥାକୁ ଚେତାବନୀ ଦେଇଥିଲା। ଏହି ସଂସ୍ଥାଗୁଡ଼ିକ ଉପରେ ରୁଷର ସୈନ୍ୟ ଅଭିଯାନକୁ ଭୁଲ୍ ତରିକାରେ ଦେଖାଇବାର ଅଭିଯୋଗ ଲାଗିଥିଲା। ଯେଉଁ ସଂସ୍ଥାଗୁଡ଼ିକୁ ନୋଟିସ୍ ପଠାଯାଇଥିଲା, ସେମାନଙ୍କ ମଧ୍ୟରେ ନୋଭାୟା ଗେଜେଟା ଅନ୍ତର୍ଭୁକ୍ତ ରହିଛି।