ଟ୍ରେନ ଚଳାଚଳ ବେଳେ ସାମାଜିକ ଦୂରତ୍ୱ ଲାଗି ତିନିଥାକିଆ ବଗି ମଝି ବର୍ଥକୁ ଫାଙ୍କା ରଖିପାରେ ରେଲୱେ

କରୋନା ଯୋଗୁ ଦେଶରେ ଜାରି ହୋଇଥିବା ଲକଡାଉନ ଉଠିବା ପରେ ଟ୍ରେନ ସେବା ସ୍ୱାଭାବିକ ହେବ ବୋଲି ଆଶା କରାଯାଉଛି। କରୋନା ଭାଇରସ ସଂକ୍ରମିତ ସ୍ଥାନ ବା ହଟସ୍ପଟ ଘୋଷିତ ଅଞ୍ଚଳ ବ୍ୟତୀତ ଅନ୍ୟସ୍ଥାନମାନଙ୍କରେ କେତେକ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରିବାକୁ ଯୋଜନା କରୁଛି ରେଳ ବିଭାଗ। ଏଥିସହ କରୋନା ସଂକ୍ରମଣ ରୋକିବା ପାଇଁ ଟ୍ରେନମାନଙ୍କରେ ଥିବା ତିନିଥାକିଆ ବଗିଗୁଡ଼ିକର ମଝି ବର୍ଥଗୁଡ଼ିକୁ ଫାଙ୍କା ରଖିବାକୁ ଓ ବିନା ରିଜର୍ଭେସନରେ ଯାତ୍ରା ନିଷିଦ୍ଧ କରିବାକୁ ରେଲୱେ ଚିନ୍ତା କରୁଛି।

ବରିଷ୍ଠ ରେଳ ବିଭାଗୀୟ ଅଧିକାରୀଙ୍କ ସହ ଏକ ଭିଡିଓ ବୈଠକରେ ରେଳବାଇ ବୋର୍ଡର ମୁଖ୍ୟ ଭି କେ ଯାଦବ ସୂଚନା ଦେଇ କହିଛନ୍ତି ଯେ କରୋନା ସଂକ୍ରମିତଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ସରକାର ଦେଶକୁ ଲାଲ, ହଳଦିଆ ଓ ସବୁଜ ଆଦି ୩ଟି ଜୋନରେ ବିଭକ୍ତ କରିବାକୁ ଯାଉଛନ୍ତି। ଲାଲ ଜୋନରେ ରେଳ ଚଳାଚଳ ବନ୍ଦ ରହିବ। ହଳଦିଆ ଜୋନରେ କେତେକ ସ୍ୱତନ୍ତ୍ର ଟ୍ରେନ ଚାଲିବ। ଅନ୍ୟପଟେ ସବୁଜ ଜୋନରେ ରେଳ ସେବା ଉପରେ କୌଣସି କଟକଣା ଲାଗିବ ନାହିଁ ବୋଲି ଯୋଜନା କରାଯାଉଥିବା ସେ ସୂଚନା ଦେଇଛନ୍ତି।

ତେବେ ପୂର୍ବରୁ ମଧ୍ୟ ରେଳ ଚଳାଚଳକୁ ନେଇ ବିଭିନ୍ନ କଥା ଶୁଣିବାକୁ ମିଳିଥିଲା। ଲକଡାଉନ ଉଠିବା ପରେ ରେଳ ଚଳାଚଳ ହେଲେ ଯାତ୍ରୀଙ୍କୁ ଥର୍ମାଲ ସ୍କ୍ରିନିଂ ପରେ ହିଁ ପ୍ରବେଶ ଅନୁମତି ମିଳିବ ବୋଲି କୁହାଯାଉଥିଲା। ଏଥିସହ ଯାତ୍ରୀଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ ହେବ। ଏହା ବ୍ୟତୀତ ବର୍ଥରେ ଯାତ୍ରୀମାନେ ଯେପରି ସାମାଜିକ ଦୂରତା ବଜାୟ ରଖିବେ ସେଥିପ୍ରତି ବିଶେଷ ଯତ୍ନବାନ ହେବାକୁ ଯୋଜନା କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.