କରୋନା ଭୟ ଦେଖାଇ ବସ୍‌ରେ ସିଟ୍‌ ହାସଲ କଲେ ଆଇଆଇଟି ଛାତ୍ର ପରେ ଧରିଲା ପୋଲିସ୍‌

କରୋନା ଭାଇରସ୍‌କୁ ନେଇ ଏବେ ସାରା ବିଶ୍ୱ ଆତଙ୍କିତ ରହିଛି। ଏଭଳି ପରିସ୍ଥିତିରେ ମାଡ୍ରାସ ଆଇଆଇଟିର ଜଣେ ଛାତ୍ର ଏହାର ମଜା ଉଠାଇଥିବା ଦେଖାଯାଇଛି। ଛାତ୍ର ଜଣକ ବସ୍‌ରେ ସିଟ୍‌ ପାଇବାକୁ ଓ ବସ୍‌ ରୋକିବାକୁ ନିଜକୁ କରୋନା ସଂକ୍ରମିତ ବୋଲି କହିଥିବା ଜଣାଯାଇଛି।

corona

ରିପୋର୍ଟ ମୁତାବକ ଆଇଆଇଟି ଛାତ୍ର ଜଣକ କୋଏମ୍ବାଟୁରରେ ଏକ ବସ୍‌ରେ ଚଢ଼ିଥିଲା। ବସ୍‌ରେ ପ୍ରବଳ ଭିଡ଼ ହୋଇଥିବାରୁ ସେ ଜଣେ ବ୍ୟକ୍ତିଙ୍କୁ ସିଟ୍‌ ଖାଲି କରିବାକୁ କହିଥିଲା। ମାତ୍ର ବ୍ୟକ୍ତି ଜଣକ ନ ଉଠିବାରୁ ସେ ତିନି ଦିନ ଧରି କରୋନାରେ ସଂକ୍ରମିତ ଥିବା ଜଣାଇଥିଲା। କିଛି ସମୟ ପରେ ସେ ଡ୍ରାଇଭର ପାଖରେ ପହଞ୍ଚି ବସ୍‌ ରୋକିବାକୁ କହିଥିଲା। ମାତ୍ର ଡ୍ରାଇଭର ବସ୍‌ ନ ରୋକିବାରୁ ସେ କରୋନା ଭାଇରସ୍‌ରେ ଆକ୍ରାନ୍ତ ଥିବା କହିଥିଲା। ଏହା ପରେ ଡ୍ରାଇଭର ବସ୍‌ ରୋକିଥିଲେ ଓ ଛାତ୍ର ଜଣକ ବସ୍‌ରୁ ଓହ୍ଲାଇ ପଛରେ ଆସୁଥିବା ଏକ କାର୍‌ରେ ସାଙ୍ଗମାନଙ୍କ ସହ ଚାଲି ଯାଇଥିଲା।

bus

ଘଟଣା ସମ୍ପର୍କରେ ବସ୍‌ ଯାତ୍ରୀ କରୋନା ହେଲ୍ପ ଲାଇନ୍‌କୁ ଖବର ଦେଇଥିଲେ। ସେମାନେ ତୁରନ୍ତ ବସ୍‌କୁ ସାନିଟାଇଜ୍‌ କରିବା ସହ ଯାତ୍ରୀଙ୍କୁ ଅନ୍ୟ ବସ୍‌ରେ ପଠାଇଥିଲେ। ପରେ ବସ୍‌ ଟିକେଟ୍‌ରୁ ସମ୍ପୃକ୍ତ ଛାତ୍ରର ଠିକଣା ପାଇ ତାକୁ ପୋଲିସ କରୋନା ଟେଷ୍ଟ ପାଇଁ ଡାକିଥିଲା। ମାତ୍ର ସେ ମନା କରିଥିଲା। ତା’ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବାକୁ କୁହାଯିବାରୁ ସେ ଆସିଥିଲା।

madras

ବସ୍‌ରେ କରିଥିବା ସମସ୍ତ କାମ ଏକ ମଜା ଥିଲା ବୋଲି ସେ ପୋଲିସ ସାମ୍ନାରେ ମାନିଥିଲା। ବସ୍‌କୁ ଅଧା ରାସ୍ତାରୁ ରୋକିବା ପାଇଁ ସେ ସାଙ୍ଗମାନଙ୍କ ସହ ଚ୍ୟାଲେଞ୍ଜ ମାରିଥିଲା ବୋଲି କହିଥିଲା। ଏନେଇ ଜାଣିବା ପରେ ପୋଲିସ ତାକୁ ଚେତାବନୀ ଦେଇ ଛାଡ଼ି ଦେଇଥିବା ଜଣାଯାଇଛି। କେବଳ ପୋଲିସ ନୁହେଁ କଲେଜ ଅଧ୍ୟକ୍ଷ ମଧ୍ୟ ଛାତ୍ରକୁ ପୁନର୍ବାର ଏଭଳି ନ କରିବାକୁ ଚେତାବନୀ ଦେଇଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ ଯେ ଭାରତରେ କରୋନା ଯୋଗୁ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨୫ ଜଣ ସଂକ୍ରମିତ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.