ମାଉସୀ ମା’ ମନ୍ଦିରର କିମ୍ବଦନ୍ତୀ , କାହିଁକି ରଥ ଏଠି ଆପେ ଆପେ ଅଟକି ଯାଏ ?

ପୁରୀ ବଡ଼ଦାଣ୍ଡର ମଧ୍ୟଭାଗରେ ଅବସ୍ଥିତ ମାଉସୀ ମା ମନ୍ଦିର ସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭାବଗତ ସମ୍ପର୍କ ରହିଛି । ଶ୍ରୀଗୁଣ୍ଡିଚା ଦିନ ତିନି ରଥ ମାଉସୀ ମା ମନ୍ଦିର ଦେଇ ଯାଇଥାନ୍ତି ।ବାହୁଡା଼ ଯାତ୍ରା ଦିନ ଫେରିବା ବାଟରେ ମାଉସୀ ମା ଶ୍ରଦ୍ଧାରେ ପ୍ରସ୍ତୁତ କରିଥିବା ପୋଡ ପିଠା ଭୋଗ ଖୁଆଇ ତିନି ରଥକୁ ମେଲାଣି ଦେଇଥାନ୍ତି ।

ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ଶ୍ରୀମନ୍ଦିରରୁ ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ପ୍ରଭୁ ବଳଭଦ୍ର ଓ ଅଲିଅଳି ଭଉଣୀ ଦେବୀ ସୁଭଦ୍ରାଙ୍କ ସହ ନବଦିନାତ୍ମକ ଘୋଷଯାତ୍ରାରେ ବାହାରିଛନ୍ତି .. ରତ୍ନବେଦୀ ରୁ ଜନ୍ମବେଦୀ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିଛନ୍ତି ଭାଇ ଭଉଣୀ । ପ୍ରତିଥର ଭଳି ଏଥର ନିଜ ଭକ୍ତଙ୍କ ପାଇଁ ମନ୍ଦିର ବାହାରକୁ ଚାଲି ଆସିଛନ୍ତି ପ୍ରଭୁ । ଯିବେ ମାଉସୀ ଘର ଗୁଣ୍ଡିଚା ମା’ ଙ୍କ ମନ୍ଦିରକୁ… ଶ୍ରଦ୍ଧା,ବିଶ୍ୱାସ ଓ ସମ୍ପର୍କର ପ୍ରତୀକ ହେଉଛି ମାଉସୀ ମା ମନ୍ଦିର । ପୁରୀ ବଡ଼ଦାଣ୍ଡର ମଧ୍ୟଭାଗରେ ଅବସ୍ଥିତ ମାଉସୀ ମା ମନ୍ଦିର ସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭାବଗତ ସମ୍ପର୍କ ରହିଛି । ଶ୍ରୀଗୁଣ୍ଡିଚା ଦିନ ତିନି ରଥ ମାଉସୀ ମା ମନ୍ଦିର ଦେଇ ଯାଇଥାନ୍ତି ।ବାହୁଡା଼ ଯାତ୍ରା ଦିନ ଫେରିବା ବାଟରେ ମାଉସୀ ମା ଶ୍ରଦ୍ଧାରେ ପ୍ରସ୍ତୁତ କରିଥିବା ପୋଡ ପିଠା ଭୋଗ ଖୁଆଇ ତିନି ରଥକୁ ମେଲାଣି ଦେଇଥାନ୍ତି । ତେବେ ଆପଣ ଭାବୁଥିବେ ପ୍ରଭୁ ଙ୍କର ମାଉସୀ ମା ଘର ମାନେ ଶ୍ରୀଗୁଣ୍ଡିଚା ମନ୍ଦିର। କିନ୍ତୁ ନା  ଏହା ଆଦୌ ଠିକ ନୁହେଁ, ପ୍ରକୃତରେ ଶ୍ରୀଗୁଣ୍ଡିଚା ମନ୍ଦିର ପୂର୍ବରୁ ପ୍ରଭୁଙ୍କର ମାଉସୀ ମା ଘର ପଡିଥାଏ । ଆଜି ଜାଣନ୍ତୁ ଏହାକୁ ନେଇ ଥିବା ସତ୍ୟତା..

ବିଶ୍ୱ ମୈତ୍ରୀ ଓ ମାନବିକତାର ପ୍ରତୀକ ହେଉଛନ୍ତି ଶ୍ରୀଜଗନ୍ନାଥ । ଜଗନ୍ନାଥ ରଥାରୂଢ଼ ହୋଇ ଗୁଣ୍ଡିଚା ମନ୍ଦିର ଯିବା ବାଟରେ ବଡଦାଣ୍ଡରେ ଦଇତାପଡା ସାହିର ପାଶ୍ୱର୍ରେ ବଳଗଣ୍ଡି ପୂର୍ବରୁ ପଡେ଼ ଅର୍ଦ୍ଧାଶନୀ ବା ମାଉସୀ ମା’ମନ୍ଦିର । କେଶରୀ ବଂଶର ରାଜାଙ୍କ ସମୟରେ ଏହି ମନ୍ଦିର ନିର୍ମାଣ ହୋଇଥିଲା । ଦେବୀ ଅର୍ଦ୍ଧାଶନୀ ହେଉଛନ୍ତି ଦେବୀ ସୁଭଦ୍ରାଙ୍କ ଅଙ୍ଗ ସମ୍ଭୁତା । ରଥ ଯାତ୍ରା ସମୟରେ ମାଉସୀ ମା ମନ୍ଦିର ସମସ୍ତଙ୍କ ପାଇଁ ବିଶେଷ ଆକର୍ଷଣ ଓ ଚଳଚଞ୍ଚଳ ହୋଇଥାଏ । ରଥଯାତ୍ରା ଦିନ ତିନି ରଥରେ ମହାପ୍ରଭୁ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରୁଥିବା ସମୟରେ ମାଉସୀମା’ ମନ୍ଦିର ପାଖରେ ରଥ ଟିକିଏ ଅଟକି ଥାଏ । କାରଣ ମହାପ୍ରଭୁ ବଡ ବ୍ୟସ୍ତ ଥାଆନ୍ତି ଗୁଣ୍ଡିଚା ମନ୍ଦିରକୁ ଯିବା ପାଇଁ । କେବଳ ମାଉସୀ ମା’ ଙ୍କ ନିମନ୍ତେ ରଥ କିଛି ସମୟ ଅଟକି ଥାଏ।କିନ୍ତୁ ବାହୁଡା ଯାତ୍ରା ଦିନ ଅର୍ଥାତ ଗୁଣ୍ଡିଚା ମନ୍ଦିରରୁ ନବଦିନ ଯାତ୍ରା ସାରି ଫେରିଲା ବେଳକୁ ମହାପ୍ରଭୁ ଭାଇ ଓ ଉଉଣୀଙ୍କ ସହିତ ମାଉସୀମା’ ମନ୍ଦିର ନିକଟରେ ରଥକୁ ଅଟକାଇଥାନ୍ତି ।

ସେଠାରେ ରୀତି ଅନୁସାରେ ମାଉସୀମା’ ମନ୍ଦିର ତରଫରୁ ମହାପ୍ରଭୁମାନଙ୍କୁ ପ୍ରିୟ ପୋଡପିଠା ନୈବେଦ୍ୟ କରାଯାଇଥାଏ । ଜଗତର ନାଥ ଶ୍ରୀଜଗନ୍ନାଥଙ୍କର ପୋଡପିଠା ଅତିପ୍ରିୟ । ଏହା ଛେନା, ଅଟା, ଚାଉଳଚୁନା, ଘିଅ, ଖଣ୍ଡ ଲବଣୀ, ଦ୍ରାକ୍ଷା, ପେସ୍ତା, ବାଦାମ, କର୍ପୁର, ଦାରୁଚିନି, ଅଳେଇଚ, ଲବଙ୍ଗ ପ୍ରଭୁତି ମିଶ୍ରଣ ହୋଇ ମହାପ୍ରଭୁଙ୍କ ପାଇଁ ପୋଡପିଠା ପ୍ରସ୍ତୁତ ହୋଇଥାଏ । ସେଥିପାଇଁ ମାଉସୀମା’ ଙ୍କର ଶ୍ରଦ୍ଧାର ନିଦର୍ଶନ ସ୍ୱରୂପ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପୋଡପିଟା ଭୋଗ ଲାଗେ । ପ୍ରଥା ଓ ପରମ୍ପରା ଅନୁଯାୟୀ ମହାପ୍ରଭୁ ମାଉସୀଙ୍କଠାରୁ ପୋଡପିଠା ଖାଇ ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କରିଥାନ୍ତି ।

ପୁରାଣପୃଷ୍ଠାର କଥା ଅନୁଯାୟୀ ରାମ ଅବତାରରେ ପ୍ରଭୁ ରାମଚନ୍ଦ୍ର ବନବାସ ଯିବା ସମୟରେ ମାତା କୈକେୟୀଙ୍କୁ କହିଥିଲେ ଆପଣଙ୍କର ମୋର ସମ୍ପର୍କ ଜନ୍ମ ଜନ୍ମାନ୍ତର ରହିବ । ସେଥିପାଇଁ ମୋତେ ୧୪ ବର୍ଷ ବନବାସ ହେବ କିନ୍ତୁ ଜଗତ କଲ୍ୟାଣ ପାଇଁ ଏହା ମହତ ଉଦ୍ଦେଶ୍ୟ । ଏହାପରେ ଦ୍ୱାପର ଯୁଗରେ କୃଷ୍ଣ ଅବତାରରେ ମାତା ଯଶୋଦାଙ୍କ ରୂପରେ ଲାଳନପାଳନ କରିଲେ । ଦ୍ୱାପର ପରେ ପଦ୍ମକ୍ଷେତ୍ରରେ ଯେତେବେଳେ ଦାରୁବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ରୂପରେ ପୂଜା ପାଇଲେ ସେତେବେଳେ ମାଉସୀମା’ ରୂପରେ ବଳଗଣ୍ଡିଠାରେ ଅବସ୍ଥାନ କଲେ ମା’ ଅର୍ଦ୍ଧାଶନୀ । ମା’ଙ୍କ ମହିମା ଅପାର । ପ୍ରଳୟ ଜଳରେ ସମସ୍ତ ସ୍ଥାନ ଜଳମଗ୍ନ ହେଲେ ବି ଶ୍ରୀକ୍ଷେତ୍ର ଏଥିରୁ ବାଦ୍ ପଡ଼ିଥାଏ । କାରଣ ସେହି ପ୍ରଳୟ ଜଳର ଅର୍ଦ୍ଧଭାଗ ଦେବୀ ଶୋଷଣ କରି ନିଅନ୍ତି । ତାଙ୍କୁ ଦର୍ଶନ ଓ ପ୍ରଣାମ କଲେ ଶାଶ୍ୱତ ଭୋଗ ପ୍ରାପ୍ତ ହୋଇଥାଏ ।

ଘୋଷଯାତ୍ରାରେ ଏହି ମନ୍ଦିରର ଏକ ମୂଖ୍ୟ ଭୂମିକା ଥାଏ । ମାଉସୀମା ମନ୍ଦିର ବା ଅର୍ଦ୍ଧାଶନୀ ମନ୍ଦିର ପୁରୀରେ ଥିବା ଏକ ମୁଖ୍ୟ ମନ୍ଦିର । ଏହା ପୁରୀ ବଡ଼ଦାଣ୍ଡରେ ଜଗନ୍ନାଥ ମନ୍ଦିର ଆଡ଼କୁ ଗଲାବେଳେ ବଳଗଣ୍ଡି ପାଖରେ ବାମପଟେ ଅବସ୍ଥିତ । ଏଠାର ଅଧିଷ୍ଠାତ୍ରୀ ଦେବୀ ମାଉସୀ ମା (ଅର୍ଦ୍ଧାଶନୀ) ଜଗନ୍ନାଥଙ୍କ ମାଉସୀ ଭାବରେ ଜଣା । ପୂର୍ବରୁ ଏଠି ହାତୀ ଗାଧୁଆ ନଦୀ ବହି ଯାଉଥିଲା । ଲୋକେ ତାକୁ ବଳବତ୍ତର ଗଣ୍ଡି କହୁଥିଲେ ଏବେ ଏହା ବଳଗଣ୍ଡି ଭାବେ ପରିଚିତ ।

ପୂର୍ବରୁ ମହାପ୍ରଭୁମାମାନଙ୍କର ରଥ ଆସି ଏଇଠି ଅଟକି କିଛି ସମୟ ବିଶ୍ରାମ ନେବାପରେ ନଈ ପାର ହୋଇ ବିଗ୍ରହମାନେ ଆରପଟରେ ଥିବା ରଥରେ ବିଜେ ହୋଇ ଗୁଣ୍ଡିଚା ମନ୍ଦିରକୁ ଯାଉଥିଲେ । ପୁଣି ଫେରିଲାବେଳକୁ ଅର୍ଥାତ ବାହୁଡ଼ାବେଳେ ଏଇଠି ମାଉସୀ ମା ଜଗନ୍ନାଥଙ୍କୁ ପୋଡ଼ପିଠା ଖାଇବାକୁ ଦେବାର ପରମ୍ପରା ଚଳି ଆସିଛି ।ମା ଦେଖିବାକୁ ଅବିକଳ ସୁଭଦ୍ରା ଦେବୀଙ୍କ ପରି।ଲୋକ କଥାରେ ରାଜ୍ୟ ତଥ୍ୟ ଅନ୍ୟପ୍ରାନ୍ତରୁ ଆସୁଥିବା ଶ୍ରଦ୍ଧାଳୁ ଜଗନ୍ନାଥ ପ୍ରେମୀ ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଘରକୁ ଜଗନ୍ନାଥଙ୍କ ମାଉସୀ ଘର ବୋଲି ଧାରଣା ରଖିଥାନ୍ତି। ଏବେ ବି ଏହାକୁ ନେଇ ବାହାରୁ ଆସୁଥିବା ଭକ୍ତଙ୍କ ଭିତରେ ଦ୍ବନ୍ଦ୍ବ ରହିଥାଏ। କିନ୍ତୁ ବଡଦାଣ୍ଡ ମଧ୍ୟ ଭାଗରେ ମାଉସୀ ମା ମନ୍ଦିର ରହିଛି।

ସମୁଦ୍ରର ପ୍ରଳୟ କାଳରେ ଶୋଷଣ କରି ଶ୍ରୀକ୍ଷେତ୍ରକୁ ରକ୍ଷା କରିଥିବା ଅର୍ଦ୍ଧାସନୀ ବା ଅର୍ଦ୍ଧଶୋଷଣୀ ମାଉସୀ ମା ମନ୍ଦିରରେ ପୂଜା ପାଇଥାନ୍ତି। କିମ୍ବଦନ୍ତୀରୁ ଜଣାଯାଏ ବହୁ ବର୍ଷ ପୂର୍ବରୁ ପୁରୀ ବଡଦାଣ୍ଡଟି ମାଳିନୀ ନଦୀ ଦ୍ବାରା ଦୁଇ ଭାଗରେ ବିଭକ୍ତ ହୋଇଥିଲା। ସେତେବେଳେ ରଥଯାତ୍ରା ସମୟରେ ୬ଟି ରଥ ନିର୍ମାଣ ହେଉଥିଲା। ଶ୍ରୀମନ୍ଦିର ଚତୁର୍ଦ୍ଧାମୂର୍ତ୍ତି ୩ଟି ରଥରେ ଆସି ନଦୀ ନିକଟରେ ରହୁଥିଲେ। ସେଠାରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ନୌକାରେ ନେଇ କୂଳକୁ ଗଲା ପରେ ପୁଣି ରଥରେ ପ୍ରଭୁ ଯାତ୍ରା କରିଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.