ବଲିଉଡ ଜଗତର ମିଷ୍ଟର ପରଫେକ୍ସସନିଷ୍ଠ ଭାବେ ଜଣା ଅଭିନେତା ଅମୀର ଖାନଙ୍କ ଝିଅ ଇରା ଖାନଙ୍କୁ ସୋସିଆଲ ମିଡ଼ିଆରେ ଖୁବ ଆକ୍ଟିଭ ରହୁଥିବାର ଦେଖାଯାଏ । ଅଧିକାଂଶ ସମୟରେ ନିଜ ବୋଲ୍ଡ ପିକ ପାଇଁ ହିଁ ବିଶେଷ ଭାବରେ ଚର୍ଚ୍ଚାରେ ରୁହନ୍ତି ଅମୀର ତନୟା ଇରା । କିଛି ଦିନ ତଳେ ଇରା ମାନସିକ ବିଷାଦ ଗ୍ରସ୍ତ ଥିବା ନେଇ ଏକ ଖବର ପ୍ରକାଶିତ ହୋଇଥିଲା । ଏମିତିକି ଅକ୍ଟୋବର ୧୦ ତାରିଖ “ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ” ଅବସରରେ ଇରା ନିଜର ଏକ ଭିଡିଓ ମଧ୍ୟ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ସେୟାର କରିବା ସହ କହିଥିଲେ କି ସେ ଗତ ଚାରି ବର୍ଷ ହେବ ବିଷାଦ ଗ୍ରସ୍ତ ଅଛନ୍ତି ।
ବର୍ତ୍ତମାନ ସମୟରେ ତାଙ୍କ ଚିକିତ୍ସା ଜାରି ରହିଥିବା ବେଳେ ସେ ସାମାନ୍ୟ ସୁସ୍ଥ ହୋଇଥିବା ନେଇ ମଧ୍ୟ କହିଛନ୍ତି । ଏହା ସହ ନିଜ ଅତୀତକୁ ନେଇ ସେ ଏମିତି ଏକ ଘଟଣାର ଖୁଲାସା କରିଛନ୍ତି ତାହାକୁ ଶୁଣି ଯେ କେହି କିଛି ମୁହୂର୍ତ୍ତ ପାଇଁ ହତବାକ ହୋଇଯିବ ନିଶ୍ଚୟ । ଇରା ନିଜ ଇନ୍ଷ୍ଟଗ୍ରାମ ଆକାଉଣ୍ଟର ଏକ ଭିଡିଓ ସେୟାର କରି ତାଙ୍କ ସହ ଅତୀତରେ ଘଟିଥିବା ଏକ ଲୋମହର୍ଷଣକାରୀ ଘଟଣା ବାବଦରେ ସମସ୍ତଙ୍କ ସହ ସେୟାର କରିଛନ୍ତି । ଏହା ସହ ଭିଡିଓରେ ନିଜ ମା’- ବାପାଙ୍କ ଛାଡପତ୍ର ବାବଦରେ ବି କିଛି କଥା ଉଲ୍ଲେଖ କରିଛନ୍ତି | ତାଙ୍କୁ ଯେବେ ମାତ୍ର ୧୪ ବର୍ଷ ବୟସ ହୋଇଥିଲା ତାଙ୍କ ସହ ଏକ ଭୟଙ୍କର ଶାରୀରିକ ଶୋଷଣ ହୋଇଥିବା ପରି ଏକ ଲୋମଟାଙ୍କୁରା ଅନୁଭୁତିକୁ ବାଣ୍ଟିଛନ୍ତି ।
ତାଙ୍କ ସହ ସେତେବେଳେ କଣ ହେଉଥିଲା ତାହା ଠିକ ଭାବରେ ସେ ଜାଣି ପାରିନଥିଲେ । ବ୍ୟକ୍ତି ଜଣଙ୍କ ତାଙ୍କ ଠାରୁ କଣ ଚାହୁଁଥିଲେ ତାହା ମଧ୍ୟ ଠିକରେ ଠଉରାଇ ପାରି ନଥିଲେ । ଘଟଣା ବିଷୟରେ ମାତା ପିତାଙ୍କୁ ଜଣାଇବା ପରେ ସ୍ଥିତି କିଛିଟା ସୁଧାରିବାକୁ ଲାଗିଥିଲା । ତାଙ୍କ ଅଭିଵାବକଙ୍କ ମଧ୍ୟରେ ଛାଡପତ୍ର ହୋଇସାରିଥିଲେ ମଧ୍ୟ ଇରାଙ୍କ ପ୍ରତି ଥିବା କର୍ତ୍ତବ୍ୟରେ କେବେ ହେଳା କରୁନଥିବା କହିଛନ୍ତି ଇରା । ବର୍ତ୍ତମାନ ସମୟରେ ତାଙ୍କ ପାଖରେ ଟଙ୍କା ପଇସା ନେଇ କୌଣସି ପ୍ରକାର ଅଭାବ ନଥିଲେ ମଧ୍ୟ ତାଙ୍କ ମାନସିକ ଅବସ୍ଥା ଭଲ ରହୁନଥିବା କହିଛନ୍ତି ।