କୋର୍ଟରେ ହାଜର ହେବାକୁ ସଲମାନ୍‌ ଖାନ୍‌ଙ୍କୁ ସମନ ଜାରି, ସାମ୍ବାଦିକଙ୍କୁ ମାଡ଼ ପିଟ୍‌ କରିଥିବା ଅଭିଯୋଗ

ସାମ୍ବାଦିକଙ୍କୁ ମାଡ଼ ମାରିବା ଓ ଅଶାଳୀନ ବ୍ୟବହାର କରିବା ବଲିଉଡ୍‌ର ଭାଇଜାନ୍‌ଙ୍କୁ ଭାରି ପଡ଼ିଛି। ମୁମ୍ବାଇର ଅନ୍ଧେରୀ ମାଜିଷ୍ଟ୍ରେଟ କୋର୍ଟ ସଲମାନ୍‌ ଖାନ୍‌ଙ୍କୁ ଏପ୍ରିଲ ୫ରେ ହାଜର ହେବାକୁ ସମନ ଜାରି କରିଛନ୍ତି। ରିପୋର୍ଟ ମୁତାବକ, କୋର୍ଟ ସଲମାନ୍‌ ଖାନ୍‌ଙ୍କୁ ଆଇପିସି ଧାରା ୫୦୪ ଓ ୫୦୬ ଅନୁସାରେ ଅପରାଧ ପାଇଁ ତଲବ କରିଛନ୍ତି। ସାମ୍ବାଦିକ ଅଶୋକ ପାଣ୍ଡେଙ୍କୁ ଦୁର୍ବ୍ୟବହାର କରିଥିବାରୁ ମୁମ୍ବାଇର ଅନ୍ଧେରୀ ମାଜିଷ୍ଟ୍ରେଟ୍‌ ବଲିଉଡ୍‌ ଅଭିନେତା ସଲମାନ୍‌ଙ୍କୁ ନୋଟିସ୍‌ ଜାରି କରିଛନ୍ତି।

ଏହି ମାମଲା ୨୦୧୯ ମସିହାର। ସଲମାନ୍‌ ଖାନ୍‌ ସାଇକେଲ ଚଲାଉଥିବା ବେଳେ ସାମ୍ବାଦିକ ଅଶୋକ ପାଣ୍ଡେ ତାଙ୍କର ସୁଟିଂ କରୁଥିଲେ। ଏହି ସମୟରେ ସଲମାନ୍‌ ଅଶୋକଙ୍କୁ ଦୁର୍ବ୍ୟବହାର କରିବା ସହ ମାରପିଟ୍‌ କରିଥିଲେ ବୋଲି ଅଭିଯୋଗରେ ଉଲ୍ଲେଖ ହୋଇଛି। ଏହି ମାମଲାରେ ଏବେ ୩ ବର୍ଷ ପରେ କୋର୍ଟ ସଲମାନ୍‌ଙ୍କୁ ସମନ ଜାରି କରିଛନ୍ତି। ଏପ୍ରିଲ ୫ ରେ ଯଦି ସଲମାନ୍‌ କୋର୍ଟରେ ହାଜର ନ ହୁଅନ୍ତି ତେବେ ତାଙ୍କ ବିରୋଧରେ ଆଗକୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସମନରେ ଉଲ୍ଲେଖ ରହିଛି।


ସୂଚନାଯୋଗ୍ୟ ଯେ ପୂର୍ବରୁ କୃଷ୍ଣସାର ମୃଗ ଶିକାର ଓ ଫୁଟ୍‌ପାଥ୍‌ରେ ଶୋଇଥିବା ଲୋକଙ୍କ ଉପରେ ଗାଡ଼ି ଚଢ଼ାଇ ଦେବା ମାମଲାରେ ସଲମାନ୍‌ ଅନେକ ଥର କୋର୍ଟକୁ ଦୌଡ଼ିଛନ୍ତି। ଏବେ ପୁଣିଥରେ ସାମ୍ବାଦିକଙ୍କୁ ମାଡ଼ପିଟ୍‌ ମାମଲା ସଲମାନ୍‌ଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି।

Also Read: କବାଡ଼ିଖାନାରେ ଭୟଙ୍କର ଅଗ୍ନିକାଣ୍ଡ, ଜିଅଁନ୍ତା ଜଳିଗଲେ ୧୧ ଶ୍ରମିକ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.