ସୋନୁ ସୁଦ୍ଙ୍କ ଉପରେ ପୁଳା ପୁଳା ଟଙ୍କା ଉଡ଼ାଇଲେ ଲୋକେ; କ୍ଷୀର ଢାଳି କଲେ ଆଳତି…! ଟ୍ଵିଟ୍ କରି ଭାବୁକ ହୋଇଗଲେ ଏହି ଅଭିନେତା
ଲକ୍ଡାଉନ ସମୟରେ ଗରିବ ଓ ଅସହାୟ ଲୋକଙ୍କ ଭଗବାନ ସାଜିଥିଲେ ଅଭିନେତା ସୋନୁ ସୁଦ୍। ତାଙ୍କର ସେହି ମହାନତା ପାଇଁ ଆଜି ତାଙ୍କୁ କିଏ ବା ନ ଜାଣେ। ଘରେ ଘରେ ପରିଚିତ ଏହି ଅଭିନେତାଙ୍କ ପ୍ରତି ଫ୍ୟାନମାନଙ୍କର ଭଲପାଇବା ଏତେ ମାତ୍ରାରେ ବଢ଼ି ଯାଇଛି ଯେ ତାଙ୍କୁ ଦେଖୁ ଦେଖୁ ହିଁ ଉତ୍ସାହ ଦ୍ୱିଗୁଣା ହୋଇଯାଉଛି। ବର୍ତ୍ତମାନ ଏହାସହ ଜଡ଼ିତ ଏକ ଭିଡିଓ ସୋସିଆଲ ମିଡିଆରେ ଜବରଦସ୍ତ ଭାଇରାଲ ହେଉଛି। ଭିଡିଓରେ ସୋନୁ ସୁଦ୍ଙ୍କୁ ଥିଏଟର ସ୍କ୍ରିନ୍ରେ ଦେଖିବାକୁ ମିଳୁଛି। ତାଙ୍କୁ ଫିଲ୍ମ ‘ଆଚାର୍ଯ୍ୟ’ରେ ଦେଖିବା କ୍ଷଣି ଫ୍ୟାନ୍ମାନେ ନିଜର ଭାବନାକୁ ନିୟନ୍ତ୍ରଣ କରିପାରି ନ ଥିଲେ, ଆଉ ହଲ୍ ଭିତରେ ହିଁ ଟଙ୍କା ବର୍ଷା କରିବା ଆରମ୍ଭ କରି ଦେଇଥିଲେ।
ସାଉଥ୍ ସୁପରଷ୍ଟାର ଚିରଞ୍ଜୀବୀ ଓ ରାମ ଚରଣଙ୍କ ଅଭିନୀତ ଫିଲ୍ମ ‘ଆଚାର୍ଯ୍ୟ’ରେ ସୋନୁ ସୁଦ୍ ନିଜର ବଢ଼ିଆ ପରଫର୍ମାନ୍ସ ଦେଇଛନ୍ତି। ଅଭିନେତା ଶନିବାର ନିଜ ଟ୍ଵିଟର ଆକାଉଣ୍ଟରେ ଫ୍ୟାନମାନଙ୍କୁ ଧନ୍ୟବାଦ ଜଣାଇ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ କହିଛନ୍ତି ଯେ ଏହି ପ୍ରକାର ଭଲପାଇବାର ସେ ହକ୍ଦାର ନୁହଁନ୍ତି। କିନ୍ତୁ ସେ ମାନନ୍ତି ଯେ ଏହା ତାଙ୍କୁ ଆହୁରି ବଢ଼ିଆ ପରଫର୍ମାନ୍ସ କରିବା ପାଇଁ ପ୍ରେରିତ କରୁଛି।
ଭିଡିଓରେ ଆପଣ ଦେଖିପାରିବେ, କୌଣସି ଏକ ଥିଏଟରରେ ‘ଆଚାର୍ଯ୍ୟ’ର ଏକ ଦୃଶ୍ୟ ଚାଲିଛି, ଯେଉଁଥିରେ ଫ୍ୟାନ୍ମାନେ ସୋନୁଙ୍କ ଏଣ୍ଟ୍ରିରେ ଉତ୍ସାହିତ ହୋଇପଡ଼ୁଛନ୍ତି ଏବଂ ତାଙ୍କ ଉପରକୁ ପୁଳା ପୁଳା ନୋଟ୍ ଉଡ଼ାଉଛନ୍ତି। ଭିଡିଓରେ ବଡ଼ ପରଦା ସାମ୍ନାରେ ଟଙ୍କା ବର୍ଷା ହେଉଥିବାର ନଜର ଆସୁଛି, ଯାହାଫଳରେ କି, ପରଦାଟି ଏକଦମ୍ କଭର୍ ହୋଇଯାଉଛି। ସୋସିଆଲ ମିଡିଆରେ ସୋନୁ ସୁଦଙ୍କ ପ୍ରତି ଫ୍ୟାନମାନଙ୍କର ଏଭଳି ଭଲପାଇବା ଖୁବ୍ ଭାଇରାଲ ହେଉଛି। ଅନେକ ଲୋକେ ଏହାକୁ ପସନ୍ଦ ମଧ୍ୟ କରିଛନ୍ତି।
ଭିଡିଓର ପରବର୍ତ୍ତୀ କ୍ଲିପ୍ରେ ଫ୍ୟାନ୍ମାନେ ସୋନୁଙ୍କର ଏକ କଟ୍ଆଉଟ ସାମ୍ନାରେ ଢୋଲ ବଜାଉଥିବାର ଦେଖାଯାଉଛନ୍ତି। ଏହି ସମୟରେ ସେମାନେ ସୋନୁଙ୍କ କଟ୍ଆଉଟକୁ ବଡ଼ ଫୁଲମାଳ ପିନ୍ଧାଇଥିଲେ ଏବଂ ମଥାରେ ତିଳକ ଲଗାଇବା ପୂର୍ବରୁ ତାଙ୍କ ଉପରେ କ୍ଷୀର ଢାଳିଥିଲେ। ଏପରି କି, ଫ୍ୟାନମାନେ କଟ୍ଆଉଟର ଆଳତି କରି ବାଣ ଫୁଟାଇଥିଲେ। ସୋନୁ ସୁଦ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଭିଡିଓ ସେୟାର କରି ଭାବୁକ ହୋଇଯାଇଛନ୍ତି। ସେ ଲେଖିଛନ୍ତି, ‘ପ୍ରିୟ ପ୍ରଶଂସକମାନଙ୍କୁ ଅନେକ ଧନ୍ୟବାଦ, ଯାହାଙ୍କୁ ମୁଁ ଗର୍ବର ସହିତ ମୋ ପରିବାର ବୋଲି କହୁଛି। ମୁଁ ଏହି ପ୍ରକାରର ପ୍ରେମର ଯୋଗ୍ୟ ନୁହେଁ, କିନ୍ତୁ ଆପଣଙ୍କର ନମ୍ରତା ମୋତେ ଆହୁରି ଭଲ କରିବାକୁ ପ୍ରେରଣା ଦେଇଥାଏ। ଆପଣ ସମସ୍ତଙ୍କୁ ଭଲପାଇବା’।
Thank you so much to my lovely fans who I proudly call my family for doing this for me. I don’t deserve this kind of love, but your kindness keeps me going to do better.
Humbled 🙏Love you all ❣️ pic.twitter.com/Pp4B2Rk82J
— sonu sood (@SonuSood) April 30, 2022