ଏହି ୨ଟି ଲକ୍ଷଣ ଦେଖାଦେଉଥିଲେ ବୁଝିଯାଆନ୍ତୁ ଆପଣ ବି ହୋଇଛନ୍ତି ଓମିକ୍ରନ୍‌ର ଶିକାର, ଥଣ୍ଡା-ସର୍ଦ୍ଦି ଭାବି ଆଦୌ କରନ୍ତୁନି ଅଣଦେଖା

ପୁଣିଥରେ ଆରମ୍ଭ ହୋଇଗଲାଣି କରୋନା ପ୍ରକୋପ। ଏଥରକ ଓମିକ୍ରନ୍‌ ରୂପରେ ଆସିଛି କରୋନା। କରୋନା ମହାମାରୀର ଗତ ଲହରରେ ଥଣ୍ଡା, କାଶ ଓ ଜ୍ୱର ସାଧାରଣ ଲକ୍ଷଣ ଥିଲା। ଥଣ୍ଡା ଦିନରେ ଅଧିକାଂଶ ଲୋକଙ୍କ ଠାରେ ଏହି ସମସ୍ୟା ଦେଖାଯାଉଥିଲା। କିନ୍ତୁ ଏବେ ଓମିକ୍ରନ୍‌ରେ ନୂଆ ନୂଆ ଲକ୍ଷଣ ପଦାକୁ ଆସୁଛି। ଏକ୍ସପର୍ଟଙ୍କ ମୁତାବକ, ଓମିକ୍ରନ୍‌ର ଦୁଇଟି ଲକ୍ଷଣ ସାଧାରଣ କାଶ- ଥଣ୍ଡା ଠାରୁ ସମ୍ପୂର୍ଣ୍ଣ ଅଲଗା ରହିଛି। ଏହାକୁ ଚିହ୍ନଟ କରି ଏହି ନୂଆ ଭ୍ୟାରିଏଣ୍ଟ ସଂକ୍ରମଣ ଠାରୁ ନିଜକୁ ରକ୍ଷା କରି ହେବ।

ଓମିକ୍ରନ୍‌ର ୨ଟି ଅସାମାନ୍ୟ ଲକ୍ଷଣ:

ଓମିକ୍ରନ୍‌ର ଲକ୍ଷଣ ଜାଣିବା ପାଇଁ ଇତି ମଧ୍ୟରେ ଅନେକ ରିସର୍ଚ୍ଚ ହୋଇସାରିଲାଣି। ଏକ୍ସପର୍ଟଙ୍କ କହିବାନୁସାରେ, ଏହାର ଲକ୍ଷଣ କରୋନାର ବାସ୍ତବିକ ଷ୍ଟ୍ରେନ୍‌ (Original Strain) ଠାରୁ ଭିନ୍ନ ରହିଛି। ଅଲଗା ଅଲଗା ଭ୍ୟାରିଏଣ୍ଟସ୍‌ରେ ଭିନ୍ନ ଭିନ୍ନ ଲକ୍ଷଣ ରହିବା ସାଧାରଣ କଥା। ଏହା ଓମିକ୍ରନ୍‌ରେ ମଧ୍ୟ ରହିଛି। ଓମିକ୍ରନ୍‌ର ଲକ୍ଷଣ ଥଣ୍ଡା ସର୍ଦ୍ଦି ଭଳି ହିଁ ରହିବ। କିନ୍ତୁ ଆରମ୍ଭରେ ଧୀରେ ଧୀରେ ଏହା ଅସାମାନ୍ୟ ଲକ୍ଷଣ ପ୍ରକାଶ କରିବ। ଯଥା- ମୁଣ୍ଡ ବିନ୍ଧା ଓ ଥକାପଣ।

ଓମିକ୍ରନ୍‌ରେ ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କ ଠାରେ ଥଣ୍ଡା, ସର୍ଦ୍ଦି, ଜ୍ୱର ଆଦି ଲକ୍ଷଣ ପ୍ରକାଶ ପିଇବା ସହ ମୁଣ୍ଡ ବିନ୍ଧା ଓ ଥକା ଲାଗିବା ଭଳି ଲକ୍ଷଣ ବି ଦେଖିବାକୁ ମିଳୁଛି। ପୂର୍ବରୁ ଏହି ଲକ୍ଷଣ ମାତ୍ର କିଛି ଲୋକଙ୍କ ଠାରେ ଦେଖିବାକୁ ମିଳୁଥିଲା। କିନ୍ତୁ ଏବେ ଷ୍ଟଡିରୁ ଜଣାପଡ଼ିଛି ଯେ ଓମିକ୍ରନ୍‌ ଆକ୍ରାନ୍ତ ହେଲେ ପ୍ରଥମେ ବ୍ୟକ୍ତିଙ୍କ ଠାରେ ମୁଣ୍ଡ ବିନ୍ଧା ପରିଲକ୍ଷିତ ହେଉଛି। ଧୀରେ ଧୀରେ ତାହା ଅଧିକ ସଂକ୍ରମିତ ହୋଇ ଜ୍ୱର, ଥଣ୍ଡା ଆଡ଼କୁ ଗତି କରୁଛି। ଏଣୁ ଯଦି ପ୍ରାରମ୍ଭିକ ଭାବେ ମୁଣ୍ଡ ବିନ୍ଧୁଥାଏ କିମ୍ବା ଥକା ପଣ ଅନୁଭବ ହେଉଥାଏ, ତେବେ ତାହାକୁ ହାଲ୍‌କାରେ ନିଅନ୍ତୁ ନାହିଁ। ଏଥିପାଇଁ ଡାକ୍ତରଙ୍କ ଠାରୁ ପରାମର୍ଶ ନିଅନ୍ତୁ। ପାରୁଛନ୍ତି ଯଦି ନିଜକୁ ଆଇସୋଲେଟ୍‌ କରନ୍ତୁ ବୋଲି ଡାକ୍ତର ପରାମର୍ଶ ଦେଇଛନ୍ତି।