ଆସାମ ପରେ ନାଗରିକତା ଆଇନ୍କୁ ନେଇ ପଶ୍ଚିମବଙ୍ଗରେ ହିଂସା, ହାଓ୍ଵଡା-ଖଡଗପୁର ରୁଟ୍ରେ ଆଉ ୧୫ଟି ଟ୍ରେନ୍ ଚଳାଚଳକୁ କରାଗଲା ବାତିଲ

କେନ୍ୟୁଜ୍(ବ୍ୟୁରୋ): ଆସାମ ପରେ ପଶ୍ଚିମବଙ୍ଗ । ନାଗରିକତା ଆଇନ୍କୁ ନେଇ ପଶ୍ଚିମବଙ୍ଗରେ ହିଂସା ବଢିବାରେ ଲାଗିଛି । ୫ଟି ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ କରାଯାଇଛି । ଏପଟେ ହିଂସାକୁ ଦୃଷ୍ଟିରେ ରଖି ହାଓ୍ଵଡା-ଖଡଗପୁର ରୁଟ୍ରେ ଆଉ ୧୫ଟି ଟ୍ରେନ୍ ଚଳାଚଳକୁ ବାତିଲ କରାଯାଇଛି । ସେହିପରି ୧୦ଟି ଟ୍ରେନ୍ ଯାତ୍ରାକୁ ଆଂଶିକ ବାତିଲ କରାଯାଇଛି । ଟ୍ରେନ୍ ବାତିଲ ଯୋଗୁ ଲୋକେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଓଡ଼ିଶା ଆସୁଥିବା ଏବଂ ଓଡ଼ିଶା ଦେଇ ଚଳାଚଳ କରୁଥିବା ଅନେକ ଟ୍ରେନ୍ ବାତିଲ କରାଯାଇଛି । ପୁରୀ-ଚେନ୍ନାଇ ଏକ୍ସପ୍ରେସ୍ ପୁରୀରୁ ବାତିଲ ହୋଇଛି । ପୁରୀ-ସନ୍ତ୍ରାଗାଚ୍ଛି ପାସେଞ୍ଜର ଟ୍ରେନ୍ ପୁରୀରୁ ବାତିଲ କରାଯାଇଛି । ସେହିପରି ପୁରୀ-ଖୋର୍ଦ୍ଧା ପାସେଞ୍ଜର ଟେନ୍ ପୁରୀରୁ ବାତିଲ କରାଯାଇଥିବା ବେଳେ ଦୀଘା-ପୁରୀ ଏକ୍ସପ୍ରେସ୍ ଦୀଘାରୁ ବାତିଲ ହୋଇଛି । ତିରୁପତି-ହାଓ୍ଵଡା ଏକ୍ସପ୍ରେସ୍ ତିରୁପତିରୁ ବାତିଲ କରାଯାଇଛି । ହାଇଦ୍ରାବାଦ-ହାଓ୍ଵଡା ଇଷ୍ଟକୋଷ୍ଟ ଏକ୍ସପ୍ରେସ୍ ହାଇଦ୍ରାବାଦରୁ ବାତିଲ ହୋଇଛି । କରମଣ୍ଡଳ ଏକ୍ସପ୍ରେସ୍ ଚେନ୍ନାଇରୁ ବାତିଲ ହୋଇଛି । ଭାସ୍କୋଡାଗାମା-ହାଓ୍ଵଡା ଅମରାବତୀ ଏକ୍ସପ୍ରେସ୍ ଓ ସିକନ୍ଦରାବାଦ-ଗୁଆହାଟୀ ଏକ୍ସପ୍ରେସ୍ ବାତିଲ କରାଯାଇଛି । ଟ୍ରେନ୍ ବାତିଲ ଯୋଗୁ ଲୋକେ ନାନା ଅସୁବିଧା ଭୋଗୁଛନ୍ତି । ଆଗାମୀ ଦୁଇ ଦିନ ଯାଏ ଏପରି ଅଚଳାବସ୍ଥା ଲାଗି ରହିବ ବୋଲି ଜଣାପଡ଼ିଛି । ଗତକାଲି ଓଡ଼ିଶା ଦେଇ ଚଳାଚଳ କରୁଥିବା ୧୫ଟି ଟ୍ରେନ୍ ଓ ପୁରୀରୁ ବାହାରୁଥିବା ୯ଟି ଟ୍ରେନ୍କୁ ବାତିଲ କରାଯାଇଥିଲା ।