ଡାକ୍ତରଙ୍କ ପରାମର୍ଶ ବିନା ବି କିଣି ପାରିବେ ୧୬ଟି ଔଷଧ! ଲୋକଙ୍କ ସୁବିଧା ପାଇଁ ସରକାର ବଦଳାଉଛନ୍ତି ନିୟମ

ଏମିତିରେ ଆମେ କୌଣସି ବି ଔଷଧ କିଣିବା ପୂର୍ବରୁ ପ୍ରଥମେ ଡାକ୍ତରଙ୍କ ପରାମର୍ଶ ନେଇଥାଉ ଏବଂ ତାଙ୍କ ପରାମର୍ଶ ଅନୁସାରେ ହିଁ ଔଷଧ କିଣିଥାଉ। କିନ୍ତୁ ସାଧାରଣ ଲୋକଙ୍କ ସୁବିଧା ପାଇଁ ସରକାର ଏବେ ଏହି ନିୟମରେ ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି। ନିୟମ ପରିବର୍ତ୍ତନ ପରେ ଆପଣ ୧୬ ପ୍ରକାର ଔଷଧକୁ ବିନା ଡାକ୍ତରଙ୍କ ପରାମର୍ଶରେ ବି କିଣିପାରିବେ।

ଖବର ମୁତାବକ, ସରକାର ଓଭର ଦ କାଉଣ୍ଟର କାଟେଗୋରୀ ଆରମ୍ଭ କରିବା ନେଇ ପ୍ରସ୍ତାବ ଦେଇଛନ୍ତି, ଯାହା ପରେ ଡ୍ରଗ୍‌ ଏବଂ କସ୍‌ମେଟିକ ନିୟମରେ ପରିବର୍ତ୍ତନ କରିବାକୁ ପଡ଼ିବ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏ ନେଇ ଏକ ଡ୍ରାଫ୍ଟ ନୋଟିଫିକେସନ ମଧ୍ୟ ଜାରି କରିଛି, ଯେଉଁଥିରେ ୧୬ ପ୍ରକାର ଔଷଧକୁ ସାମିଲ କରାଯିବା ଉପରେ ପ୍ରସ୍ତାବ ରହିଛି। ପ୍ରସ୍ତାବ ଉପରେ ମୋହର ଲାଗିବା ଏବଂ ନିୟମ ପରିବର୍ତ୍ତନ ପରେ ଏହି ଔଷଧଗୁଡ଼ିକୁ ବିନା ଡାକ୍ତରୀ ପରାମର୍ଶରେ କିଣାଯାଇ ପାରିବ।

ମନ୍ତ୍ରାଳୟ ଅଧିକାରୀମାନେ କହିଛନ୍ତି ଯେ ଯେଉଁ ୧୬ ପ୍ରକାର ଔଷଧ ପାଇଁ ପ୍ରସ୍ତାବ ରଖାଯାଇଛି, ସେଥିରେ ପାରାସିଟାମଲ୍‌ ୫୦୦, କିଛି ଲେଗ୍‌ଜାଟିଭ୍‌ସ ଏବଂ ଫଙ୍ଗଲ କ୍ରିମ୍‌ ସାମିଲ ଅଛି। ତେବେ ମନ୍ତ୍ରାଳୟ ନିଜ ପ୍ରସ୍ତାବ ଉପରେ ଲୋକଙ୍କଠାରୁ ପରାମର୍ଶ ମଧ୍ୟ ଲୋଡ଼ିଛି, ଯାହାକି ୧ ମାସ ଭିତରେ ଦିଆଯାଇ ପାରିବ। କହି ରଖୁଛୁ, ବର୍ତ୍ତମାନ ବି କିଛି ଔଷଧ ମେଡିକାଲ ଷ୍ଟୋରରେ ବିନା ଡାକ୍ତରଙ୍କ ପରାମର୍ଶରେ ମିଳିଯାଉଛି।

ଚଳିତ ବର୍ଷ ପ୍ରାରମ୍ଭରେ ଡ୍ରଗ୍‌ ଟେକ୍ନିକାଲ ଆଡ୍‌ଭାଇଜରୀ ବୋର୍ଡ ଓଟିସି ଔଷଧଗୁଡ଼ିକୁ ନେଇ ସରକାରଙ୍କ ପ୍ରସ୍ତାବକୁ ମଞ୍ଜୁରୀ ଦେଇଥିଲା। ଏହି ସଂସ୍ଥା ଔଷଧଗୁଡ଼ିକ ମାମଲାରେ ସରକାରଙ୍କୁ ପରାମର୍ଶ ଦେଇଥାଏ। ଏହି ମଞ୍ଜୁରୀ ପରେ ଓଟିସି କାଟେଗୋରୀକୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା, ଯାହାପରେ ୧୬ ଔଷଧକୁ ମଞ୍ଜୁରୀ ମିଳିଛି। ଆଲୋଚନା ବେଳେ କୁହାଯାଇଥିଲା କି, ପରବର୍ତ୍ତୀ ସମୟରେ ଆହୁରି ଔଷଧକୁ ମଧ୍ୟ ଏଥିରେ ସାମିଲ କରାଯିବ।

ଓଟିସି କାଟେଗୋରୀକୁ ଲାଗୁ କରିବା ପାଇଁ ସରକାର କିଛି ସର୍ତ୍ତ ମଧ୍ୟ ରଖିଛନ୍ତି। ଏହା ଅଧୀନରେ ଦୋକାନରେ ଓଟିସି କାଟେଗୋରୀ ଔଷଧ ସେତେବେଳେ ବିକ୍ରି କରାଯାଇ ପାରିବ, ଯେତେବେଳେ ଏହାର ଅବଧି ୫ ଦିନରୁ ଅଧିକ ନ ଥିବ। ଏଥି ସହିତ ଯଦି ୫ ଦିନର ଔଷଧ ଖାଇବା ପରେ ବି ଆରାମ ମିଳୁନାହିଁ, ତା’ ହେଲେ ରୋଗୀଙ୍କୁ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ ହେବ। ପ୍ରତ୍ୟେକ ପ୍ୟାକେଟ୍‌ ଉପରେ ରୋଗୀଙ୍କ ପାଇଁ ଜରୁରୀ ସୂଚନା ଲେଖା ଯାଇଥିବା ଆବଶ୍ୟକ ଏବଂ ପ୍ୟାକେଟ୍‌ର ସାଇଜ୍‌ ୫ ଦିନର ଡୋଜ୍‌ଠାରୁ ଅଧିକ ବଡ଼ ହୋଇ ନ ଥିବା ଦରକାର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.