ଏମିତି ବି ଘଟୁଛି: ନାବାଳିକାକୁ ଦେଖି ନିଜକୁ ନିୟନ୍ତ୍ରଣ କରି ପାରିଲେନି ୭୪ ବର୍ଷୀୟ ବୃଦ୍ଧ, ଦୋକାନରେ ହିଁ କରି ଦେଲେ ଦୁଷ୍କର୍ମ; ଗଭୀର ମର୍ମବେଦନାରେ ଜୀବନ ହାରିଲା ବାପା

କେରଳରେ ମାନବିକତାର ସବୁ ସୀମା ପାର୍‌ କରିଦେଲା ଭଳି ଏକ ଘଟଣା ସାମ୍ନାକୁ ଆସିଛି। ଘଟଣା ଏମିତି ଯେ ଶେଷରେ ଜଣେ ବାପା ଆତ୍ମହତ୍ୟା କରିବାକୁ ଚରମ ନିଷ୍ପତ୍ତି ନେଇଛନ୍ତି। ଘଟଣା ଯେତିକି ଆଶ୍ଚର୍ଯ୍ୟଜନକ, ସେତିକି ହୃଦୟବିଦାରକ ମଧ୍ୟ। କେରଳର କୋଟ୍ଟାୟମ୍‌ ଜିଲାରେ ଜଣେ ବୃଦ୍ଧ ନିଜ ନାତୁଣୀ ସମାନ ନାବାଳିକା ଝିଅକୁ ଅମାନବିକ ଭାବେ ଦୁଷ୍କର୍ମ କରିଛନ୍ତି। ଆଉ ଏହି ଘଟଣା ଝିଅର ଜନ୍ମକଲା ବାପାକୁ ଏତେ ଆଘାତ ଦେଇଥିଲା ଯେ ଶେଷରେ ସେ ଜୀବନ ହାରି ଦେବାକୁ ଚରମ ନିଷ୍ପତ୍ତି ନେଇଥିଲେ। ଗତକାଲି ହିଁ ପୀଡ଼ିତା ନାବାଳିକାର ୪୨ ବର୍ଷୀୟ ବାପା ଆତ୍ମହତ୍ୟା କରିଥିବା ପୋଲିସ ସୂଚନା ଦେଇଛି।

ପୋଲିସର କହିବା ଅନୁସାରେ, ନାବାଳିକା ଝିଅର ବୟସ ୧୦ ବର୍ଷ। ବୃଦ୍ଧ ଜଣକ ତାଙ୍କ ସହିତ ଯେଭଳି ଦୁଷ୍କର୍ମ କରିଥିଲେ, ତାହା ତା’ର ବାପାଙ୍କୁ ଶକ୍ତ ଆଘାତ ପହଞ୍ଚାଇଥିଲା। ଦୁଃଖ ଏବଂ ନରାଶର ବଶବର୍ତ୍ତୀ ହୋଇ ବାପା ଜଣକ ଆତ୍ମହତ୍ୟା କରିଛନ୍ତି। ଝିଅକୁ ଦୁଷ୍କର୍ମ ହୋଇଥିବା ନେଇ ଜାଣିବା ପରେ ସେ ଏଭଳି ପଦକ୍ଷେପ ନେଇଥିବା ଘଟଣାରୁ ସ୍ପଷ୍ଟ ରୂପେ ଜଣାପଡ଼ୁଛି। ପୀଡ଼ିତାଙ୍କ ବାପାଙ୍କ ମୃତଦେହ ତାଙ୍କ ଘର ନିକଟସ୍ଥ ଏକ କୋଠାରୁ ଝୁଲନ୍ତା ଅବସ୍ଥାରେ ସୋମବାର ଉଦ୍ଧାର କରାଯାଇଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଏହି ଘଟଣାରେ ୭୪ ବର୍ଷୀୟ ଅଭିଯୁକ୍ତ ବୃଦ୍ଧଙ୍କୁ ପୋଲିସ ଗିରଫ କରି ନେଇଛି। ବର୍ତ୍ତମାନ ସେ ପୋଲିସ ହେପାଜତରେ ଅଛନ୍ତି। ଅଭିଯୁକ୍ତଙ୍କର କୁରିଚି ଅଞ୍ଚଳରେ ଏକ ଦୋକାନ ଅଛି। ନାବାଳିକା ଜଣକ ଯେତେବେଳେ ତାଙ୍କ ଦୋକାନକୁ କିଛି ଜିନିଷ କିଣିବାକୁ ଯାଇଥିଲେ, ସେହି ସମୟରେ ଅଭିଯୁକ୍ତ ଜଣକ ସୁଯୋଗ ଉଣ୍ଡି ନାବାଳିକାକୁ ଦୁଷ୍କର୍ମ କରିଥିଲେ। ସେପଟେ ପରିବାର ଲୋକଙ୍କ କହିବା ହେଲା, ଘଟଣା ପରେ ପରିବାରକୁ ବାସନ୍ଦ କରି ଦିଆଯିବା ହୁଏତ ଝିଅର ବାପାଙ୍କୁ ଗଭୀର ଆଘାତ ପହଞ୍ଚାଇଛି, ଯେଉଁ କାରଣରୁ ସେ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି। ଏ ଘଟଣାରେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ମୃତଦେହକୁ ବ୍ୟବଚ୍ଛେଦ ଲାଗି ପଠାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.