ଗଛରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହେଲା ବାୟୁସେନା ବିମାନ, ଦୁଇ ପାଇଲଟଙ୍କ ସମେତ ୬ ଜଣଙ୍କ ମୃତ୍ୟୁ

ବୋଲିଭିୟାରେ ଏକ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ଘଟିଛି। କୁହାଯାଉଛି ଯେ ବାୟୁସେନାର ଏହି ବିମାନ ଦେଶର ଉତ୍ତର-ପୂର୍ବ ଭାଗରେ ଥିବା ଆମାଜନ ଜଙ୍ଗଲରେ ଶନିବାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବେନି ପ୍ରଦେଶ ପୋଲିସର ସୂଚନା ଅନୁସାରେ, ବିମାନରେ ଥିବା ଦୁଇଜଣ ସାମରିକ ପାଇଲଟ ଏବଂ ଚାରିଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାଗ୍ରସ୍ତ ହେବା ପରେ ବିମାନରେ ନିଆଁ ଲାଗି ଯାଇଥିଲା। ଦୁର୍ଘଟଣାର କାରଣ ଜାଣିବା ପାଇଁ ଅନୁସନ୍ଧାନ କରାଯାଉଛି।

ବୋଲିଭିୟା ପୋଲିସର ଡେପୁଟି କମାଣ୍ଡର କୋଲ୍ ଲୁଇସ୍ କ୍ୟୁଭାସ୍ ଗଣମାଧ୍ୟମକୁ କହିଛନ୍ତି ଯେ ରିବେରଲଟା ସହରରୁ ଉଡ଼ାଣ ଭରିବାର ପାଖାପାଖି ୭ ମିନିଟ୍ ପରେ ବିମାନ ଏକ ଗଛ ସହ ଦୁର୍ଘଟଣାଗ୍ରସ୍ତ ହୋଇ ଖସିପଡିଥିଲା। ବିମାନରେ କ୍ରୁ ମେମ୍ବରଙ୍କ ସହ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଜାତୀୟ ଡେଙ୍ଗୁ-ଚିକନଗୁନିଆ କାର୍ଯ୍ୟକ୍ରମର ଚାରିଜଣ ଅଧିକାରୀ ଥିଲେ। ଦୁର୍ଘଟଣାରେ ଏ ସମସ୍ତ ଯାତ୍ରୀଙ୍କ ମୃତ୍ୟୁ ଘଟିଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ପ୍ରଚାର, ଏପିଡେମୋଲୋଜିକାଲ୍ ସର୍ଭିଲାନ୍ସ ଏବଂ ପାରମ୍ପରିକ ଚିକିତ୍ସା ଉପମନ୍ତ୍ରୀ ମାରିଆ ରେନି କାଷ୍ଟ୍ରୋ କହିଛନ୍ତି ଯେ ଆମକୁ ଏହା ଘୋଷଣା କରି ଦୁଃଖ ଲାଗୁଛି କି, ରିବେରଲଟାଠାରୁ କୋବିଜା ଅଭିମୁଖେ ଯାଉଥିବା ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଯାଇଛି। ଆମର ସହଯୋଗୀ ଦେଶ ପାଇଁ ବହୁତ ମହତ୍ୱପୂର୍ଣ୍ଣ ମିଶନ ଜାତୀୟ ଡେଙ୍ଗୁ-ଚିକନଗୁନିଆ କାର୍ଯ୍ୟକ୍ରମକୁ ପୂରା କରିବାରେ ଲାଗିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.