ନାଗପୁର: ବରଫ ଫ୍ୟାକ୍ଟ୍ରିରେ ବଡ଼ ଧରଣର ବିସ୍ଫୋରଣ; ୭୦ ବର୍ଷୀୟ ସଫେଇ କର୍ମଚାରୀ ମୃତ, ୩ ଗୁରୁତର

ମହାରାଷ୍ଟ୍ରର ନାଗପୁରସ୍ଥିତ ଏକ ବରଫ ଫ୍ୟାକ୍ଟ୍ରିରେ ବଡ଼ ଧରଣର ବିସ୍ଫୋରଣ ଘଟିଛି । ଏଠାରେ ଆମୋନିଆ ଟ୍ୟାଙ୍କରେ ହଠାତ୍‌ ବିସ୍ଫୋରଣ ଘଟି ୭୦ ବର୍ଷୀୟ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଛନ୍ତି ।

ମହାରାଷ୍ଟ୍ରର ନାଗପୁରସ୍ଥିତ ଏକ ବରଫ ଫ୍ୟାକ୍ଟ୍ରିରେ ବଡ଼ ଧରଣର ବିସ୍ଫୋରଣ ଘଟିଛି । ଏଠାରେ ଆମୋନିଆ ଟ୍ୟାଙ୍କରେ ହଠାତ୍‌ ବିସ୍ଫୋରଣ ଘଟି ୭୦ ବର୍ଷୀୟ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ଏହି ଘଟଣା ଉପଲଓ୍ଵାଡି ଅଞ୍ଚଳରେ ଘଟିଛି । ଶନିବାର ବିଳମ୍ବିତ ସନ୍ଧ୍ୟାରେ ବାଲାଜୀ ବରଫ ଫ୍ୟାକ୍ଟ୍ରିରେ ଜୋରଦାର ବିସ୍ଫୋରଣ ହୋଇଥିବା ସୂଚନା ରହିଛି ।

ବିସ୍ଫୋରଣର ପ୍ରଚଣ୍ଡ ଶବ୍ଦ ଶୁଣିବା ପରେ ଫ୍ୟାକ୍ଟ୍ରିରେ କାମ କରୁଥିବା ଲୋକେ ଭୟଭୀତ ହୋଇ ଏଣେତେଣେ ଦୌଡ଼ିବାକୁ ଲାଗିଥିଲେ । ଏ ନେଇ ତୁରନ୍ତ ସ୍ଥାନୀୟ କପିଲ ନଗର ପୋଲିସକୁ ସୂଚନା ଦିଆଯାଇଥିଲା । ଖବର ପାଇ ଉଦ୍ଧାରକାରୀ ଟିମ୍‌ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲା । ବିସ୍ଫୋରଣ ସଂସ୍ପର୍ଶରେ ଆସିବା ଫଳରେ ୭୦ ବର୍ଷୀୟ କର୍ମଚାରୀ ଦୁଙ୍ଗର ସିଂଙ୍କ ମୃତ୍ୟୁ ଘଟିଛି । ଏଥିରେ ଆହତ ୩ କର୍ମଚାରୀ ହେଲେ, ସାଓ୍ଵନ ବଘେଲ, ଖେମୁ ସିଂ ଓ ନୟନ ଆର୍ଯ୍ୟା ।

ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେଠାରେ ସେମାନଙ୍କ ଚିକିତ୍ସା ଚାଲିଛି । ପୋଲିସ କହିଛି କି, ଯେତେବେଳେ ଏହି ବିସ୍ଫୋରଣ ହୋଇଥିଲା, ସେହି ସମୟରେ ୪ ଜଣ କର୍ମଚାରୀ ଆମୋନିଆ ଟ୍ୟାଙ୍କ ପାଖରେ ସଫେଇ କରୁଥିଲେ । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଆଖପାଖରେ ଥିବା ଗାଡ଼ିଗୁଡ଼ିକ ମଧ୍ୟ ଏହା ସଂସ୍ପର୍ଶରେ ଆସିଯାଇଥିଲା । ଏଥିଯୋଗୁ ଗାଡ଼ିଗୁଡ଼ିକର କାଚ ଭାଙ୍ଗିଯାଇଛି ।

ପୋଲିସ ମୁତାବକ, ମୃତ ଦୁଙ୍ଗର ସିଂ ହେଉଛନ୍ତି ରାଜସ୍ଥାନର ବାସିନ୍ଦା । ସେ ଦୀର୍ଘ ଦିନରୁ ଏଠାରେ ରହି ବରଫ ଫ୍ୟାକ୍ଟ୍ରିରେ କାମ କରୁଥିଲେ । ତାଙ୍କ ପରିବାର ଲୋକଙ୍କୁ ମୃତ୍ୟୁ ସମ୍ପର୍କିତ ସୂଚନା ଦିଆଯାଇଛି । ଘଟଣାର ତଦନ୍ତ ଜାରି ରହିଛି । କେଉଁ କାରଣରୁ ଆମୋନିଆ ଟ୍ୟାଙ୍କରେ ବିସ୍ଫୋରଣ ଘଟିଲା, ତାହାର କାରଣ ଖୋଜା ଚାଲିଛି । ସେପଟେ ଏହି ବିସ୍ଫୋରଣ ପରେ ଆଖପାଖ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.