ଇଟାଲୀରେ ଭୁଶୁଡ଼ିଲା ଗ୍ଲାସିୟର୍‌; ୫ ମୃତ, ୮ ଗୁରୁତର…ଏବେ ବି ଫସି ରହିଛନ୍ତି ୧୮ ଜଣ ଲୋକ

ଇଟାଲୀରେ ଅଲ୍‌ପାଇନ ଗ୍ଲାସିୟର୍‌ର ଏକ ବଡ଼ ଅଂଶ ରବିବାର ଦ୍ୱିପ୍ରହରରେ ଭୁଶୁଡ଼ି ପଡ଼ିଥିଲା, ଯାହା ସଂସ୍ପର୍ଶରେ ଆସି ୫ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୮ ଜଣ ଆହତ ହୋଇଛନ୍ତି। ଇଟାଲୀର ଏକ ସରକାରୀ ମିଡିଆ ମୁତାବକ, ଗ୍ଲାସିୟର୍‌ ଭୁଶୁଡ଼ି ପଡ଼ିବାରୁ ହଠାତ୍‌ ଲୋକମାନେ ବରଫ ଚଟାଣର ଧ୍ୱଂସାବଶେଷରେ ଫସି ଯାଇଥିଲେ। ଏବେ ବି ଅନେକଙ୍କ ପତ୍ତା ମିଳିପାରୁ ନାହିଁ।

ସେପଟେ ନ୍ୟାସନାଲ ଅଲ୍‌ପାଇନ ଆଣ୍ଡ୍‌ କେଭ୍‌ ରିସ୍‌କ୍ୟୁ କୋର୍‌ ଟ୍ଵିଟ୍‌ କରିଛି ଯେ ମର୍‌ମୋଲାଡା ଶିଖର ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏଥିରେ ୫ ହେଲିକାପ୍ଟର ଏବଂ ସନ୍ଧାନୀ କୁକୁର ସାମିଲ୍‌ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାବେଳେ ଆହୁରି ବି ୧୮ ଜଣ ଲୋକ ଧ୍ୱଂସାବଶେଷ ମଧ୍ୟରେ ଫସି ରହିଛନ୍ତି। ସମସ୍ତଙ୍କୁ ଉଦ୍ଧାର କରିବା ପାଇଁ ଟିମ୍‌ ଲାଗି ପଡ଼ିଛି।

ଜୁନ୍‌ରେ ଇଟାଲୀରେ ପ୍ରବଳ ଗରମ

ପୂର୍ବ ଡୋଲୋମାଇଟ୍ସରେ ମର୍‌ମୋଲାଡା ହେଉଛି ସବୁଠାରୁ ଉଚ୍ଚ ପର୍ବତ ଶିଖର, ଯାହାର ଉଚ୍ଚତା ରହିଛି ପାଖାପାଖି ୧୧,୦୦୦ ଫୁଟ୍‌। ଅଲ୍‌ପାଇନ ରେସ୍‌କ୍ୟୁ ସେବାର ପ୍ରବକ୍ତାଙ୍କ କହିବା ହେଲା, ଗ୍ଲାସିୟର୍‌ର ଏହି ବଡ଼ ଅଂଶ କେଉଁ କାରଣରୁ ଭୁଶୁଡ଼ିଲା, ତାହା ଜଣାପଡ଼ି ନାହିଁ। କିନ୍ତୁ ଜୁନ୍‌ରେ ଇଟାଲୀରେ ପ୍ରବଳ ଗରମ ଅନୁଭୂତ ହେଉଛି, ଯେଉଁ କାରଣରୁ ଗ୍ଲାସିୟର୍‌ ଭୁଶୁଡ଼ି ଥାଇପାରେ ବୋଲି ସେ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.