ଭାଇରାଲ ଫଟୋ: ବୃଦ୍ଧ ୪ କିଲୋମିଟର ପର୍ଯ୍ୟନ୍ତ ଠେଲାଗାଡ଼ି ଟାଣି ରୋଗିଣା ସ୍ତ୍ରୀକୁ ନେଇ ଯାଇଥିଲେ ଡାକ୍ତରଖାନା…ହେଲେ ବଞ୍ଚାଇ ପାରିଲେନି ଜୀବନ

ମଣିଷ ନିଜ ଜୀବନସାଥୀକୁ ନିଜଠାରୁ ବି ଅଧିକ ଭଲ ପାଇଥାଏ। ସେ ତା’ର ସୁରକ୍ଷା ପାଇଁ କିଛି ବି କରିପାରେ। ଏହି କଥାର ଉଦାହରଣ ନିକଟରେ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏଠି ଭାଇରାଲ ହେଉଥିବା ଏକ ଫଟୋରୁ ଦେଖାଯାଇଛି ଯେ ଜଣେ ବୃଦ୍ଧ ବ୍ୟକ୍ତି ନିଜ ରୋଗିଣା ସ୍ତ୍ରୀକୁ ଠେଲାଗାଡ଼ିରେ ଟାଣି ଟାଣି ଡାକ୍ତରଖାନା ନେଉଛନ୍ତି। ଘଟଣାଟି ଉତ୍ତର ପ୍ରଦେଶର। ଏଠାକାର ବାସିନ୍ଦା ଶୁକୁଲ ପ୍ରଜାପତି ଠେଲାଗାଡ଼ିରେ ସ୍ତ୍ରୀକୁ ଲଦି ୪ କିଲୋମିଟର ପର୍ଯ୍ୟନ୍ତ ବହୁ କଷ୍ଟରେ ଟାଣି ଟାଣି ଡାକ୍ତରଖାନା ନେଇଥିଲେ। ହେଲେ ଦୁର୍ଭାଗ୍ୟବଶତଃ ସେ ସ୍ତ୍ରୀକୁ ବଞ୍ଚାଇ ପାରି ନ ଥିଲେ।

ଖବରରୁ ଜଣାପଡ଼ିଛି, ଶୁକୁଲ ଯେତେବେଳେ ଡାକ୍ତରଖାନାରେ ପହଞ୍ଚିଥିଲେ, ତ ସେଠାରୁ ତାଙ୍କୁ ଅନ୍ୟତ୍ର ରେଫର କରାଯାଇଥିଲା। ଆମ୍ବୁଲାନ୍ସ ନ ମିଳିବାରୁ ସେ କୌଣସି ବି ପ୍ରକାରେ ଅଟୋ ଯୋଗେ ଜିଲ୍ଲା ହସ୍ପିଟାଲରେ ପହଞ୍ଚିଥିଲେ। କିନ୍ତୁ ସେତେବେଳକୁ ସମୟ ଗଡ଼ି ଯାଇଥିଲା ଏବଂ ଚିକିତ୍ସା ସମୟରେ ହିଁ ସ୍ତ୍ରୀଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣା ୨୮ ମାର୍ଚ୍ଚର ବୋଲି କୁହାଯାଉଛି।

ଶୁକୁଲଙ୍କ କହିବା ହେଲା, ୨୮ ମାର୍ଚ୍ଚରେ ସ୍ତ୍ରୀଙ୍କୁ ଡାକ୍ତରଖାନା ନେଇଯିବା ପାଇଁ ତାଙ୍କୁ କୌଣସି ସାଧନ ମିଳି ନ ଥିଲା। ତେଣୁ ସେ ଠେଲାଗାଡ଼ିରେ ଡାକ୍ତରଖାନା ନେଇଥିଲେ। ସେଠାରେ ଡାକ୍ତର କିଛି ଔଷଧ ଦେଇ ଅନ୍ୟ ଜାଗାକୁ ରେଫର କରି ଦେଇଥିଲେ। ଏହାପରେ ସେ ସ୍ତ୍ରୀକୁ ଗାଁ ପର୍ଯ୍ୟନ୍ତ ଆଣିଥିଲେ ଏବଂ ଠେଲାରେ ହିଁ ଛାଡ଼ି କିଛି ପଇସା ଓ କପଡ଼ା ଆଣିବାକୁ ଘରକୁ ଯାଇଥିଲେ। ପୁଣି ଅଟୋ ଯୋଗେ ହସ୍ପିଟାଲରେ ପହଞ୍ଚିଥିଲେ, ହେଲେ ସେଠାରେ ଡାକ୍ତର ରୋଗୀକୁ ମୃତ ଘୋଷଣା କରିଥିଲେ।

ସେପଟେ ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସ୍ୱାସ୍ଥ୍ୟମନ୍ତ୍ରୀ ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଶୁକୁଲ ଦାବି କରିଛନ୍ତି ଯେ ରାତି ପାଖାପାଖି ୧୧ଟାରେ ତାଙ୍କ ସ୍ତ୍ରୀଙ୍କର ମୃତ୍ୟୁ ଘଟିଥିଲା। କିନ୍ତୁ ହସ୍ପିଟାଲ ମୃତଦେହକୁ ଘରକୁ ନେଇଯିବା ଲାଗି ଆମ୍ବୁଲାନ୍ସ ଉପଲବ୍ଧ କରାଇ ନ ଥିଲା, ଯାହାପରେ ସେ ୧୧୦୦ ଟଙ୍କା ଦେଇ ପ୍ରାଇଭେଟ୍‌ ଆମ୍ବୁଲାନ୍ସରେ ଯାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.