ଦୁଷ୍କର୍ମ ମାମଲାର ଦୋଷୀ ଆଶାରାମଙ୍କୁ ଆଜୀବନ କାରାଦଣ୍ଡ; ଗାନ୍ଧୀନଗର କୋର୍ଟଙ୍କ ନିଷ୍ପତ୍ତି

ଆଶାରାମ ବାପୁଙ୍କୁ ଦୁଷ୍କର୍ମ ମାମଲାରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଗତକାଲି ଗୁଜରାଟର ସେସନ୍ସ କୋର୍ଟ ଏହି ମାମଲାର ଶୁଣାଣି କରିଥିଲେ। ଏବେ ଏହି ପ୍ରସଙ୍ଗରେ ଆଜି ରାୟ ପ୍ରକାଶ ପାଇଛି। ଏଥିପୂର୍ବରୁ ଆଉ ଏକ ଦୁଷ୍କର୍ମ ମାମଲାରେ ଆଶାରାମ ପ୍ରଥମରୁ ହିଁ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି। ଏମିତିରେ ପୁଣିଥରେ ଦୋଷୀ ସାବ୍ୟସ୍ତ ହେବା ଦ୍ୱାରା ତାଙ୍କ ପାଇଁ ଅଡ଼ୁଆ ବଢ଼ିବାକୁ ଯାଉଛି।

କହି ରଖୁଛୁ, ଗତକାଲି ଗାନ୍ଧୀନଗର ସେସନ୍ସ କୋର୍ଟ ଆଶାରାମଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ଏବଂ ଅନ୍ୟ ଜଣେ ଅଭିଯୁକ୍ତଙ୍କୁ କୋର୍ଟ ନିର୍ଦ୍ଦୋଷ ଦର୍ଶାଇଥିଲେ। ସୂଚନାଥାଉ କି, ଏହି ମାମଲାରେ ୨ ଭଉଣୀ ଆଶାରାମ ଓ ତାଙ୍କ ପୁଅଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ। ଏଥିରେ ସାନ ଭଉଣୀର ଅଭିଯୋଗ ଆଧାରରେ ନାରାୟଣ ସାଇଙ୍କୁ ଆଜୀବନ କାରାଦଣ୍ଡ ମିଳିଛି ଏବଂ ବଡ଼ ଭଉଣୀର ଅଭିଯୋଗ ଆଧାରରେ ଆଶାରାମଙ୍କୁ ଆଜି କୋର୍ଟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

ଏବେ ଆଶାରାମଙ୍କୁ ପୁଣି ଝଟ୍‌କା ମିଳିଥିବା ବେଳେ ସେପଟେ ଓକିଲ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବାକୁ ଯାଉଛନ୍ତି। ଆଶାରାମଙ୍କ ଓକିଲ କହିଛନ୍ତି ଯେ ଆମେ ଏହି ନିଷ୍ପତ୍ତିକୁ ହାଇକୋର୍ଟରେ ଚ୍ୟାଲେଞ୍ଜ ଦେବୁ। ତେବେ ଯେଉଁ ମାମଲାରେ ଆଶାରାମଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି, ଏହାର ଶୁଣାଣି ପାଖାପାଖି ୯ ବର୍ଷ ପର୍ଯ୍ୟନ୍ତ ଚାଲିଥିଲା।