ମାଂସ ମାର୍କେଟରେ ଆସିବାକୁ ଯାଉଛି ବଡ଼ ପରିବର୍ତ୍ତନ, ଏଣିକି ଫାର୍ମରୁ ନୁହେଁ ଲ୍ୟାବ୍‌ରୁ ମିଳିବ ଚିକେନ୍‌

ନୂଆଦିଲ୍ଲୀ : ଫାର୍ମରୁ ନୁହଁ ଲ୍ୟାବ୍‌ରୁ ମିଳିବ ଚିକେନ୍‌ । ଭବିଷ୍ୟତ ମାଂସ ମାର୍କେଟରେ ଆସିବାକୁ ଯାଉଛି ବଡ଼ ବୈପ୍ଳବିକ ପରିବର୍ତ୍ତନ। ଆମେରିକା ଫୁଡ୍‌ ଆଣ୍ଡ ଡ୍ରଗ ଆଡମିନିଷ୍ଟ୍ରେସନ FDA, ଏକ କମ୍ପାନୀର ଲ୍ୟାବ୍‌ ବିକଶିତ ଚିକେନ୍‌କୁ ଦେଇଛି ଗ୍ରୀନ ସିଗନାଲ। କାଲିଫର୍ଣ୍ଣିଆର ଫୁଡ୍‌ଟେକ୍‌ ଷ୍ଟାର୍ଟଅପ୍‌ ଅପ୍‌ସାଇଡ୍‌ ଫୁଡ୍‌ସ ଲ୍ୟାବ୍‌ ବିକଶିତ ଚିକେନ ପ୍ରସ୍ତୁତ କରିଛି। ଏହି ଲ୍ୟାବ୍‌ ବିକଶିତ ଚିକେନ୍‌ ଖାଇବା ଯୋଗ୍ୟ, ସେଥିରେ କୌଣସି ସନ୍ଦେହ ନାହିଁ ବୋଲି ଏଫଡିଏ ତରଫରୁ କୁହାଯାଇଛି।

ଏଫଡିଏର ଏହି ପଦକ୍ଷେପ, ଭବିଷ୍ୟତରେ ଲ୍ୟାବ୍‌ ବିକଶିତ ସାମଗ୍ରୀ ପାଇଁ ପଥ ପରିସ୍କାର କରିଛି। ଆଗକୁ ଚିକେନ୍‌ ଭଳି ଅନ୍ୟ ମାଂସ ମଧ୍ୟ ଫାର୍ମରେ ନୁହଁ ବାୟୋରିଆକ୍ଟରରେ ପ୍ରସ୍ତୁତ ହେବ। ଅପସାଇଡ୍‌ ଫୁଡ୍‌ସର ସିଇଓ ତଥା ପ୍ରତିଷ୍ଠାତା ଉମା ଭାଲେଟି କହିଛନ୍ତି କମ୍ପାନୀ ଆରମ୍ଭ ସମୟରେ ଏହାର ସଫଳତା ନେଇ ଅନେକ ପ୍ରଶ୍ନ କରିଥିଲେ। ଏବେ କମ୍ପାନୀ ଇତିହାସ ସୃଷ୍ଟି କରିବାକୁ ଯାଉଛି। ଏଫ୍‌ଡିଏ ସବୁ ସନ୍ଦେହ ଦୂର କରି ଦେଇଛି। ବିଶ୍ୱରେ ଶହେରୁ ଅଧିକ କମ୍ପାନୀ ଲ୍ୟାବ୍‌ରେ ଖାଦ୍ୟ ପ୍ରସ୍ତୁତି କ୍ଷେତ୍ରରେ କାମ କରୁଛନ୍ତି।

ଏବେ ଏଫ୍‌ଡିଏ ଅନୁମତି ସେହି କମ୍ପାନୀଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି କରିଛି। ପଶୁପକ୍ଷୀଙ୍କ ଷ୍ଟେମ୍‌ ସେଲ ନେଇ ବାୟୋରିଆକ୍ଟରରେ ଚିକେନ୍‌, ବିଫ୍‌ ଆଦି ପ୍ରସ୍ତୁତ କରାଯାଉଛି। ସିଙ୍ଗାପୁର ବିଶ୍ୱରେ ଏକମାତ୍ର ଦେଶ ଯେଉଁଠି ଲ୍ୟାବ୍‌ ପ୍ରସ୍ତୁତି ମାଂସକୁ ବିକ୍ରୀର ଅନୁମତି ରହିଛି। ୨୦୨୦ରେ ଆମେରିକାର ଗୁଡ୍‌ ମିଟ୍‌ କମ୍ପାନୀର ଇଟ୍‌ ଜଷ୍ଟର ଗୁଡ୍‌ ମିଟ୍‌କୁ ବିକ୍ରୀ ପାଇଁ ଅନୁମତି ମିଳିଥିଲା। ଏବେ ଆମେରିକାରେ ଲ୍ୟାବ୍‌ ପ୍ରସ୍ତୁତି ଚିକେନ୍‌କୁ ମିଳିଛି ଅନୁମତି।