ଜନସଂଖ୍ୟା ନିୟନ୍ତ୍ରଣକୁ ବି ଗୁରୁତ୍ୱ ଦେଉଛନ୍ତି ସରକାର, କ୍ୱାରେଣ୍ଟାଇନ୍ରୁ ଫେରୁଥିବା ପ୍ରବାସୀଙ୍କୁ ବଣ୍ଟାଯାଉଛି କଣ୍ଡୋମ୍
ଏବେ ସାରା ଦେଶ କରେନା ସହ ଲଢ଼ୁଥିବା ବେଳେ ବିହାର ସରକାର କିନ୍ତୁ ପାଦେ ଆଗକୁ ଯାଇ ଜନସଂଖ୍ୟା ନିୟନ୍ତ୍ରଣ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଲକ୍ଡାଉନ୍ ଯୋଗୁ ବିହାରକୁ ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକ ଫେରୁଛନ୍ତି। ସରକାରଙ୍କ ତରଣରୁ ସମସ୍ତଙ୍କୁ ଏବେ କ୍ୱାରେଣ୍ଟାଇନ୍ରେ ରଖାଯାଇଛି। ଏଭଳି ସ୍ଥିତିରେ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ସରକାରଙ୍କ ତରଫରୁ କ୍ୱାରେଣ୍ଟାଇନ୍ ସେଣ୍ଟରରେ କଣ୍ଡୋମ୍ ବଣ୍ଟାଯାଉଛି।
ଏଠାରେ ୧୪ ଦିନ କ୍ୱାରେଣ୍ଟାଇନ୍ରେ ରହି ଫେରୁଥିବା ଶ୍ରମିକଙ୍କୁ କଣ୍ଡୋମ୍ ବଣ୍ଟନ୍ କରାଯାଉଛି। ରାଜ୍ୟ ସରକାରଙ୍କ ସୂଚନାନୁଯାୟୀ ଏବେ ଯାଏଁ ୩୦ ଲକ୍ଷ ପ୍ରବାସୀ ରାଜ୍ୟକୁ ଫେରିସାରିଲେଣି। ଏନେଇ ବିହାର ସ୍ୱାସ୍ଥ୍ୟ ବିଭାଗର ଜଣେ ଡାକ୍ତର କହିଛନ୍ତି ଯେ ଏହି କାର୍ଯ୍ୟକ୍ରମ ସ୍ୱାସ୍ଥ୍ୟ ବିଭାଗ ତରଫରୁ ପରିବାର ନିୟୋଜନ ଅଧୀନରେ କରାଯାଇଛି। ଏବେ ଲକ୍ଷାଧିକ ପ୍ରବାସୀ ଶ୍ରମିକ ରାଜ୍ୟକୁ ଫେରିଛନ୍ତି। ଏଭଳି ସ୍ଥିତିରେ ଜନସଂଖ୍ୟା ନିୟନ୍ତ୍ରଣ କରିବାକୁ କଣ୍ଡୋମ୍ ବିତରଣ କରାଯାଇଛି। କେୟାର ଇଣ୍ଡିଆର ସହାୟତାରେ ସରକାର ଏହି କାର୍ଯ୍ୟକ୍ରମ କରୁଛନ୍ତି।
ସେ କହିଛନ୍ତି ଯେ ସ୍ୱାସ୍ଥ୍ୟ ବିଭାଗ ତରଫରୁ ସମସ୍ତ ପ୍ରବାସୀ ଶ୍ରମିକଙ୍କୁ କ୍ୱାରେଣ୍ଟାଇନ୍ ସେଣ୍ଟରରେ ୨-୨ ପ୍ୟାକେଟ୍ କଣ୍ଡୋମ୍ ବଣ୍ଟାଯାଉଛି। ହୋମ୍ କ୍ୱାରେଣ୍ଟାଇନ୍ରେ ଥିବା ଲୋକଙ୍କୁ ଆଶା କର୍ମୀ ଘର ଘର ବୁଲି କଣ୍ଡୋମ୍ ପ୍ୟାକେଟ୍ ବାଣ୍ଟୁଛନ୍ତି। ଏଥିସହ କିଛି ଜିଲ୍ଲାରେ ଗର୍ଭନିରୋଧକ ମଧ୍ୟ ବଣ୍ଟାଯାଉଛି। ପରିବାର ନିୟୋଜନ ବିଭାଗ ଏହି ପ୍ରକ୍ରିୟା ଜୁନ୍ ମାସ ମଧ୍ୟ ଯାଏଁ ଜାରି ରଖିବ। ଏବେ ଯାଏଁ ୧୩ ଲକ୍ଷ ଲୋକଙ୍କୁ କ୍ୱାରେଣ୍ଟାଇନ୍ ସେଣ୍ଟରରେ ରଖାଯାଇଥିବା ଜଣାଯାଇଛି।