୮୦ ଫୁଟ୍‌ ଗର୍ତ୍ତ ଭିତରେ ଜୀବନ ସହ ସଂଗ୍ରାମ କରୁଛି ରାହୁଲ, ଚାଲିଛି ଉଦ୍ଧାର କାର୍ଯ୍ୟ

ନୂଆଦିଲ୍ଲୀ : ବୋରୱେଲ ପାଇଁ ଖୋଳାଯାଇଥିବା ଏକ ଗର୍ତ୍ତରେ ଖସି ପଡ଼ିଥିବା ରାହୁଲ ସାହୁଙ୍କୁ ଉଦ୍ଧାର ପାଇଁ ଉଦ୍ଧାରକାରୀ ଦଳ ପ୍ରାଣପଣେ ଉଦ୍ୟମ ଜାରି ରଖିଛନ୍ତି। ଆଜିକୁ ୫ ଦିନ ହେବ ବୋରୱେଲ୍ ଭିତରେ ୧୧ ବର୍ଷର ପୁଅ ରାହୁଲ ଫସିଛି। ତାକୁ ଉଦ୍ଧାର କରିବା ପାଇଁ ଲଗାତର ଖୋଳା ଚାଲିଛି। ତେବେ ଗତ ରାତିରୁ ରାହୁଲକୁ ଉଦ୍ଧାର କରିବା ପାଇଁ ସୁଡଙ୍ଗ ଖୋଳିବା ଜାରି ରହିଥିବା ବେଳେ ପଥର ପଡିଯିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜିଛି।

ଛତିଶଗଡ଼ ଜାଞ୍ଜଗିରି-ଚାମ୍ପାର ପିରହ୍ରିଡ ଗାଁରେ ରାହୁଲ ସାହୁଙ୍କୁ ୮୦ ଫୁଟ ଗଭୀର ଗର୍ତ୍ତ ଭିତରୁ ଉଦ୍ଧାର କରିବା ପାଇଁ ଏସ୍‌ଡିଆର୍‌ଏଫ୍‌, ଏନ୍‌ଡିଆର୍‌ଏଫ୍‌, ସେନା ଓ ଜିଲ୍ଲା ପ୍ରଶାସନ ପ୍ରାଣପଣେ ଉଦ୍ଧାର କରିବାକୁ ଚେଷ୍ଟା ଚଳାଇଛନ୍ତି। ଆଜି ସକାଳୁ ବି ଉଦ୍ଧାର କାର୍ଯ୍ୟ ଚାଲିଛି। ପଥର ଫଟାଯାଉଛି। ତେବେ ପିଲାଟିକୁ ଯେପରି କିଛି କ୍ଷତି ନ ପହଞ୍ଚେ ସେଥିଲାଗି ସତର୍କତାର ସହ ପଥର କଟିଂ କରାଯାଉଛି।

ସେପଟେ ଉଦ୍ଧାର କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ସ୍ଥାନୀୟ ଜିଲ୍ଲାପାଳ କହିଛନ୍ତି। ତେବେ କାଲି ରାତିରୁ ରାହୁଲ ଖାଦ୍ୟ ଗ୍ରହଣ କରି ନାହିଁ। ରାହୁଲ ରେସପଣ୍ଡ୍ କରୁଛି, ଆଖି ପତା ହଲାଉଛି। କଠିନ ପଥର ଆସ୍ତରଣ ପାଇଁ ସୁଡ଼ଙ୍ଗରେ ସମସ୍ୟା ହେଉଛି ବୋଲି ଜିଲ୍ଲାପାଳ କହିଛନ୍ତି।

ଆଜିକୁ ୭୭ ଘଣ୍ଟା ଧରି ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଶେଷ ୪ ଫୁଟ୍‌ ଉଦ୍ଧାରକାରୀ ଦଳଙ୍କୁ ବ୍ୟତିବ୍ୟସ୍ତ କରି ପକାଇଛି। ଶିଶୁଟି ପାଣି କାଦୁଅ ଭିତରେ ଦୀର୍ଘ ଘଣ୍ଟା ଧରି ରହି ନିସ୍ତେଜ ହୋଇଯାଉଛି । ଉଦ୍ଧାର କରିବା କ୍ଷଣି ତାକୁ ଚିକିତ୍ସା ଯୋଗାଇ ଦେବାକୁ ଏକ ଉଚ୍ଚସ୍ତରୀୟ ମେଡିକାଲ ଟିମ୍‌ ସେଠାରେ ରହିଥିବା ବେଳେ ଅତ୍ୟାଧୁନିକ ଆମ୍ବୁଲାନ୍ସ ପ୍ରସ୍ତୁତ ରଖାଯାଇଛି ।

ସୂଚନା ଅନୁଯାୟୀ ଝାରସୁଗୁଡ଼ା ସୀମାକୁ ଲାଗି ଛତିଶଗଡ଼ ରାଜ୍ୟର ଜାଞ୍ଜଗିର-ଚାମ୍ପାର ମାଲଖାଦାରୁଆ ଥାନା ଅଧୀନରେ ଥିବା ପିରହ୍ରିଡ ଗାଁର ୧୦ ବର୍ଷର ବ‌ାଳକ ରାହୁଲ ଏକ ବୋରୱେଲ ଗର୍ତ୍ତରେ ଗତ ଶୁକ୍ରବାର ଅପରାହ୍‌ଣ ୪ ଟାରୁ ଖସି ପଡ଼ି ଜୀବନ ସହିତ ସଂଗ୍ରାମ କରୁଛି। ନିଜ ଘର ବାରିପଟେ ଥିବା ଜମିରେ ପାଣି ମଡ଼ାଇବାକୁ ପିଲାର ବାପା ଏହି ବୋରୱେଲ ଖୋଳିଥିବା ବେଳେ ପାଣି ନବାହାରିବାରୁ ତାକୁ ଖୋଲା ଛାଡ଼ି ଦେଇଥିଲା। ତେବେ ପିଲାଟି ସେଠାରେ ଖେଳୁଥିବା ସମୟରେ ଏହି ଗର୍ତ୍ତରେ ଖସିପଡି ଥିବା ଜଣାଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.