ଦୁର୍ଘଟଣା ପରେ ପୀଡ଼ିତ ବ୍ୟକ୍ତିଙ୍କ ସ୍ଥିତି ଆଧାରରେ ସ୍ଥିର ହେବ କ୍ଷତିପୂରଣ! ସୁପ୍ରିମକୋର୍ଟ ନେଲେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି; ଜାଣନ୍ତୁ କ’ଣ କହିଲେ…

କୌଣସି ଦୁର୍ଘଟଣା ମାମଲାରେ ଏଣିକି ପୀଡ଼ିତ ବ୍ୟକ୍ତିଙ୍କୁ ଏକକାଳୀନ ମେଞ୍ଚାଏ କ୍ଷତିପୂରଣ ରାଶି ପ୍ରଦାନ କରାଯିବ ନାହିଁ, ବରଂ ମାମଲାର ତଥ୍ୟ ଏବଂ ସ୍ଥିତି ଉପରେ ଏହା ନିର୍ଭର କରିବ। ପ୍ରତ୍ୟେକ ଦୁର୍ଘଟଣାର ପୀଡ଼ିତ ବ୍ୟକ୍ତିଙ୍କ ପାଇଁ କ୍ଷତିପୂରଣ ରାଶି ଅଲଗା ଅଲଗା ହେବ। ସୁପ୍ରିମକୋର୍ଟ କହିଛନ୍ତି ଯେ ଦୁର୍ଘଟଣା ପରେ ଦାବିଦାରଙ୍କ ଅବସ୍ଥା ସହିତ ଜଡିତ କାରଣଗୁଡ଼ିକ ଉପରେ କ୍ଷତିପୂରଣ ରାଶି ନିର୍ଭର କରିବ। ଜଷ୍ଟିସ୍ ଏମଆର ଶାହ ଓ ବିଭି ନାଗରତ୍ନାଙ୍କ ଡବଲ୍ ବେଞ୍ଚ ଏହି ନିଷ୍ପତ୍ତି ନେଇଛନ୍ତି। କୋର୍ଟ କହିଛନ୍ତି ଯେ ଦାବିଦାରଙ୍କ ଯନ୍ତ୍ରଣା, ପୀଡ଼ା ଏବଂ ଆଘାତର ଭରଣା ପଇସା ରୂପରେ କରାଯାଇ ପାରିବ ନାହିଁ। କ୍ଷତିପୂରଣ ପାଇଁ ଦିଆଯାଉଥିବା ଅର୍ଥରାଶିର ଜ୍ୟାକେଟ୍ ଫର୍ମୁଲା ହୋଇ ପାରିବ ନାହିଁ।
କୋର୍ଟ କହିଛନ୍ତି, ଏମିତି ମାମଲାରେ ଦାବିଦାର ଏବଂ ତାଙ୍କ ପରିବାର ସଦସ୍ୟଙ୍କର ହୋଇଥିବା କ୍ଷତି ଗୁରୁତ୍ୱପୂର୍ଣ୍ଣ କାରଣ ହୋଇଥାଏ। ଏହି ପ୍ରକାର ମାମଲାରେ ଦେଖାଯିବା ଉଚିତ ଯେ ଦୁର୍ଘଟଣା ପରେ ଦାବିଦାରଙ୍କ ସ୍ଥିତି କ’ଣ ରହିଛି। ସେମାନେ ପୂର୍ବଭଳି ବଞ୍ଚିପାରୁଛନ୍ତି କି ନାହିଁ। ବେଞ୍ଚ କହିଛି, ଦାବିଦାର କେତେ ଦୂର ପର୍ଯ୍ୟନ୍ତ ନିଜ ଖୁସିକୁ ହରାଇ ଦେଇଛନ୍ତି, ତାହା ଉପରେ ମଧ୍ୟ ଦୃଷ୍ଟି ଦେବା ଆବଶ୍ୟକ। ସୁପ୍ରିମକୋର୍ଟ କର୍ଣ୍ଣାଟକ ହାଇକୋର୍ଟଙ୍କ ଆଦେଶ ବିରୋଧରେ ଦାୟର ହୋଇଥିବା ଏକ ଆବେଦନ ଉପରେ ଶୁଣାଣି କରିଥିଲେ। ଏଥିରେ କ୍ଷତିପୂରଣ ରାଶି ବଢ଼ାଇବାକୁ ଅନୁରୋଧ କରାଯାଇଥିଲା।
କୋର୍ଟ କହିଛନ୍ତି, ଏଭଳି ମାମଲାରେ କ୍ଷତିପୂରଣ ନିର୍ଦ୍ଧାରଣ ପାଇଁ ଏକ ଫର୍ମୁଲା ଆପଣାଇବା ପରିବର୍ତ୍ତେ ପୀଡିତ ଏବଂ ତାଙ୍କ ପରିବାରର ଅବସ୍ଥା ଉପରେ ପ୍ରଥମେ ଦୃଷ୍ଟି ଦିଆଯିବା ଉଚିତ। ସେହି ଆଧାରରେ ହିଁ କ୍ଷତିପୂରଣ ରାଶି ସ୍ଥିର କରାଯିବା ଦରକାର। କୋର୍ଟଙ୍କ କହିବା ଥିଲା, ପ୍ରତ୍ୟେକ ଦୁର୍ଘଟଣା ମାମଲାରେ ପୀଡିତଙ୍କ ଅବସ୍ଥା ସମାନ ହୋଇ ପାରିବ ନାହିଁ। ଏମିତିରେ ପ୍ରତ୍ୟେକ ମାମଲାରେ କ୍ଷତିପୂରଣ ରାଶି ସ୍ଥିତି ଆଧାରରେ ବଦଳିପାରେ।
ସୁପ୍ରିମକୋର୍ଟ ବେନସନ ଜାର୍ଜ ବନାମ ରିଲାଏନ୍ସ ଜେନେରାଲ ଇନସ୍ୟୁରାନ୍ସ ମାମଲାର ଶୁଣାଣି କରୁଥିଲେ। ମାମଲା ମୁତାବକ, ୨୦୧୩ରେ ଏହି ଦୁର୍ଘଟଣା ଘଟିଥିଲା। ସେହି ସମୟରେ ପୀଡିତଙ୍କ ବୟସ ପାଖାପାଖି ୨୯ ବର୍ଷ ଥିଲା। ଦୁର୍ଘଟଣା ପରେ ତାଙ୍କ ମସ୍ତିଷ୍କ ସର୍ଜରୀ ହୋଇଥିଲା ଏବଂ ଦୀର୍ଘ ଦିନ ଧରି ତାଙ୍କୁ କୋମାରେ ରହିବାକୁ ପଡିଥିଲା। ଜାର୍ଜ ନିଜ ମା’ଙ୍କ ଜରିଆରେ କ୍ଲେମ୍ ଦାଖଲ କରିଥିଲେ। MACT ତାଙ୍କୁ ୯୪,୩୭,୩୦୦ ଟଙ୍କା କ୍ଷତିପୂରଣ ପ୍ରଦାନ କରିଥିଲା।
ଉଭୟ ପକ୍ଷ ଯେତେବେଳେ ଏହି ନିଷ୍ପତ୍ତି ବିରୋଧରେ ହାଇକୋର୍ଟରେ ପହଞ୍ଚିଲେ, ତ ସେଠାରୁ କ୍ଷତିପୂରଣ ବଢ଼ାଇ ୧,୨୪,୯୪,୩୩୩ ଟଙ୍କା କରି ଦିଆଗଲା। ପୀଡ଼ିତ ଏହାକୁ ପର୍ଯ୍ୟାପ୍ତ ନୁହେଁ ବୋଲି ଦର୍ଶାଇ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। କୋର୍ଟ ସମସ୍ତ ତଥ୍ୟ ଉପରେ ବିଚାର କରିବା ପରେ ସହମତ ହୋଇଥିଲେ ଯେ ପୀଡିତ ଜଣକ ସାରା ଜୀବନ ଦୁର୍ଘଟଣାର ଯନ୍ତ୍ରଣା ଭୋଗିବେ। ଏହାକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟଙ୍କ ଡବଲ୍ ବେଞ୍ଚ କ୍ଷତିପୂରଣ ରାଶି ବଢ଼ାଇ ୧,୪୧,୯୪,୩୩୩ ଟଙ୍କା କରି ଦେଇଥିଲେ।