ସାଂଘାଇରେ ଶେଷ ହେଉଛି ରାସନ; ଗାଏବ କରାଯାଉଛି କରୋନା ରୋଗୀ! ଜାଣନ୍ତୁ କେମିତି ରହିଛି ସ୍ଥିତି

ଚୀନରେ ବର୍ତ୍ତମାନ କରୋନା ଭାଇରସ୍‌ରୁ ସ୍ଥିତି ବିଗିଡ଼ିବାରେ ଲାଗିଛି। ଏଠାରେ ୨୭ରୁ ଅଧିକ ରାଜ୍ୟ କରୋନା ମହାମାରୀ କବଳରେ ଫସିଛି। ଦେଶରେ ଗତ ୨୪ ଘଣ୍ଟାରେ କରୋନାର ୧୬ ହଜାର ୪୧୨ ନୂଆ ମାମଲା ଚିହ୍ନଟ କରାଯାଇଛି। ସାଂଘାଇରେ ଗୋଟିଏ ଦିନରେ ରେକର୍ଡ ୮ ହଜାର ୫୮୧ ମାମଲା ଚିହ୍ନଟ ହୋଇଛି। ଦେଶର କେତେକ ଅଞ୍ଚଳରେ ଭୟଙ୍କର ଓମିକ୍ରନ ଭ୍ୟାରିଏଣ୍ଟ ବ୍ୟାପି ଯାଇଥିବାରୁ ଲୋକଙ୍କ ମଧ୍ୟରେ ପୁଣିଥରେ ଭୟର ବାତାବରଣ ଦେଖିବାକୁ ମିଳିଛି।

ସ୍ଥିତି ଏତେ ଗମ୍ଭୀର ରହିଛି ଯେ ଚୀନ ପ୍ରଶାସନ ଦେଶର ଆର୍ଥିକ ରାଜଧାନୀ ସାଂଘାଇରେ ଲକ୍‌ଡାଉନ ଲଗାଇ ଦେଇଛନ୍ତି। ଏତିକି ନୁହେଁ, ଦୁଇ କୋଟିରୁ ଅଧିକ ନାଗରିକଙ୍କର କରୋନା ଯାଞ୍ଚ ପାଇଁ କଡ଼ା ପ୍ରତିବନ୍ଧକ ଲଗାଯାଇଛି। ଏଠି ଲୋକଙ୍କୁ ବିନା କାରଣରେ ବାହାରକୁ ଯିବାକୁ ଅନୁମତି ନାହିଁ। କେବଳ ମେଡିକାଲ ଇମରଜେନ୍ସିରେ ହିଁ କେହି ଘରୁ ବାହାରି ପାରିବେ।

ତେବେ ଏହାରି ଭିତରେ ସବୁଠାରୁ ବଡ଼ କଥା ହେଉଛି, ସାଂଘାଇରେ କରୋନା ସଂକ୍ରମିତଙ୍କୁ ଗାଏବ କରି ଦିଆଯାଉଛି। ଏଠାରେ ଲୋକଙ୍କୁ ଆଇସୋଲେଟ୍‌ କରିବା ପାଇଁ ଜାଗା ନ ଥିବାରୁ ଅନ୍ୟ ଜାଗାକୁ ଜବରଦସ୍ତ ପଠାଯାଉଛି। ସାଂଘାଇରୁ ଝୋଜିୟାଙ୍ଗ ଏବଂ ଜିୟାଙ୍ଗସୁକୁ ହଜାର ହଜାର ରୋଗୀଙ୍କୁ ପଠାଇ ଦିଆଯାଉଛି।

ସହରର କୌଣସି ବି ହସ୍ପିଟାଲରେ ରୋଗୀଙ୍କୁ ଭର୍ତ୍ତି କରିବା ପାଇଁ ଜାଗା ଟିକିଏ ମିଳୁନାହିଁ। ଏହାସତ୍ତ୍ୱେ ଚୀନ ଦାବି କରୁଛି ଯେ ସାଂଘାଇରେ କରୋନା ସଂକ୍ରମଣରେ ଏ ପର୍ଯ୍ୟନ୍ତ କାହାର ମୃତ୍ୟୁ ହୋଇନାହିଁ। ସ୍ଥାନୀୟ ସ୍ୱାସ୍ଥ୍ୟ ଅଧିକାରୀମାନେ ଲୋକଙ୍କର ନ୍ୟୁକ୍ଲିକ୍‌ ଏସିଡ୍‌ ଟେଷ୍ଟ କରୁଛନ୍ତି, ଯଦ୍ଦ୍ଵାରା ହାଲୁକା ଲକ୍ଷଣ ଥିଲେ ବି ତାହା ଜଣା ପଡ଼ିଯିବ। ଅନ୍ୟପଟେ ସହରରେ ଆର୍ଥିକ କାରବାର ପୂରାପୂରି ଠପ୍‌ ହୋଇଯାଇଛି। ବିଦେଶକୁ ରପ୍ତାନି ହେଉଥିବା ସାମଗ୍ରୀଗୁଡ଼ିକର ଯୋଗାଣ ବନ୍ଦ କରି ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.