ଆମେରିକା ସ୍କୁଲରେ ଗୁଳିକାଣ୍ଡ: ଯାଞ୍ଚ ଚାଲିଥିବା ବେଳେ ବ୍ୟାଗ୍ରୁ ବନ୍ଧୁକ କାଢ଼ି ୨ କର୍ମଚାରୀଙ୍କୁ ଆଖିବୁଜା ଗୁଳି କଲେ ଛାତ୍ର
ଆମେରିକାର କଲୋରାଡୋରୁ ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ଛାତ୍ର ସ୍କୁଲ କ୍ୟାମ୍ପସ୍ ଭିତରେ ଆଖିବୁଜା ଗୁଳି ଚଳାଇଛନ୍ତି। ଏଥିରେ ସ୍କୁଲର ୨ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି।

ଅନେକ ସମୟରେ ଆମେରିକାର ବିଭିନ୍ନ ସ୍ଥାନରୁ ଗୁଳିକାଣ୍ଡ ଘଟଣା ସାମ୍ନାକୁ ଆସିଥାଏ। ସ୍କୁଲ କ୍ୟାମ୍ପସ୍ଗୁଡ଼ିକରେ ମଧ୍ୟ ଏହିପରି ଅନେକ ଘଟଣା ଘଟିଛି। ଏବେ ଆମେରିକାର କଲୋରାଡୋରୁ ସମାନ ଏକ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ଛାତ୍ର ସ୍କୁଲ କ୍ୟାମ୍ପସ୍ ଭିତରେ ଆଖିବୁଜା ଗୁଳି ଚଳାଇଛନ୍ତି।
ଖବରରୁ ଜଣାପଡ଼ିଛି ଯେ ନାବାଳିକ ଛାତ୍ର ଜଣକ ସ୍କୁଲର ଦୁଇଜଣ କର୍ମଚାରୀଙ୍କୁ ଗୁଳି କରି ସେଠାରୁ ଖସି ପଳାଇ ଯାଇଛନ୍ତି। ଏହି ଘଟଣା ପୁଣିଥରେ ଆମେରିକାର ଶିକ୍ଷା ବ୍ୟବସ୍ଥା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ମାମଲାରେ ପୋଲିସ ନାବାଳକ ଛାତ୍ରଙ୍କୁ ଖୋଜାଖୋଜି କରୁଛି।
ପଶ୍ଚିମ ଆମେରିକା ରାଜ୍ୟ ପୋଲିସ ସୂଚନା ଦେଇ କହିଛି ଯେ ଏହି ଗୁଳିକାଣ୍ଡରେ ସମ୍ପୃକ୍ତ ଅଜଣା ନାବାଳକ ଛାତ୍ରଙ୍କୁ ଖୋଜା ଚାଲିଛି। ସେ ଏକ ପିସ୍ତଲ ବାହାର କରି ଗୁଳି ଚଳାଇବା ଆରମ୍ଭ କରିଥିଲେ। ସକାଳ ୯ଟା ୫୦ରେ ଡେନଭର୍ ଇଷ୍ଟ ହାଇସ୍କୁଲରେ ଗୁଳିକାଣ୍ଡ ନେଇ ସୂଚନା ମିଳିଥିଲା। ଖବର ପାଇ ସ୍ଥାନୀୟ ଅଧିକାରୀ ଏବଂ ଡାକ୍ତରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଆହତ କର୍ମଚାରୀଙ୍କୁ ଉଦ୍ଧାର କରିଥିଲେ।
କର୍ମଚାରୀ ଦ୍ୱୟଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲ ନିଆଯାଇଥିଲା, ସେଠାରେ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ଘଟଣାକୁ ନେଇ ସ୍ଥାନୀୟ ମେୟର କହିଛନ୍ତି କି, ଗୁଳି ଚଳାଇଥିବା ସନ୍ଦିଗ୍ଧ ଜଣେ ଆଫ୍ରିକୀୟ ନାବାଳକ। ସେ ଏକ ହୁଡି ପିନ୍ଧିଥିଲେ। ତାଙ୍କ ହୁଡିର ଉପରେ ଆଷ୍ଟ୍ରୋନଟ୍ ଲେଖା ହୋଇଥିଲା। ମେୟର କହିଥିଲେ କି, ସନ୍ଦିଗ୍ଧଙ୍କ ସହ ଯୋଗାଯୋଗ ନ କରିବାକୁ ଆମେ ଲୋକଙ୍କୁ ନିବେଦନ କରୁଛୁ। ସେପଟେ ଡେନଭର ସ୍କୁଲ ଅଧୀକ୍ଷକ ଆଲେକ୍ସ ମାରେରୋ କହିଛନ୍ତି, ସ୍କୁଲରେ ସପ୍ତାହେ ପର୍ଯ୍ୟନ୍ତ କ୍ଲାସ୍ ବାତିଲ କରାଯାଇଛି।