ଚୀନ୍ରେ ମିଳୁନି ମାସ୍କ ଓ ଅନ୍ୟ ସୁରକ୍ଷା ଉପକରଣ, ଡାକ୍ତର କରୋନା ସଂକ୍ରମିତ ହେବା ଆଶଙ୍କା
ଚୀନ୍ରେ ଏବେ ଡାକ୍ତରଙ୍କୁ ହୋଇପାରେ କରୋନା। ରୋଗୀଙ୍କ ଚିକିତ୍ସା କରୁଥିବା ଡାକ୍ତର ଏହି ମାରାତ୍ମକ ରୋଗରେ ଆକ୍ରାନ୍ତ ହେଲେ ସେମାନଙ୍କ ଚିକିତ୍ସା କେମିତି ହେବ ଓ ଯଦି ଚିକିତ୍ସା ନ ହୁଏ ତେବେ ରୋଗ କେଉଁ ଅନୁପାତରେ ବଢ଼ିବ ଭାବି ଲୋକେ ଏବେ ଅଧିକ ଆତଙ୍କିତ ହୋଇପଡ଼ିଛନ୍ତି।
କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ବେଗରେ ବୃଦ୍ଧି ପାଉଥିବାରୁ ଚିକିତ୍ସା ପାଇଁ ମାସ୍କ ଓ ଅନ୍ୟ ସୁରକ୍ଷା ଉପକରଣର ବ୍ୟବହାର ଅଧିକ ମାତ୍ରାରେ ହେଉଛି। ଫଳରେ ଚୀନ୍ରେ ଏବେ ମାସ୍କ ଓ ଅନ୍ୟାନ୍ୟ ସୁରକ୍ଷା ଯୋଗାଉଥିବା ଉପକରଣ ସଙ୍କଟ ଦେଖାଦେଇଛି। ଡାକ୍ତରଙ୍କୁ ଏବେ ନିଜ ସୁରକ୍ଷା ପାଇଁ ମାସ୍କ ମିଳୁନାହିଁ। ଫଳରେ ସେମାନେ ବି ଆକ୍ରାନ୍ତ ହେବା ଭଳି ପରିସ୍ଥିତି ଉପୁଜିଛି।
ସବୁଠାରୁ ଭୟଙ୍କର ସ୍ଥିତି ଚୀନ୍ର ବୁହାନ ସହରର ରହିଛି, ଯେଉଁଠାରୁ ପ୍ରଥମେ କରୋନା ବ୍ୟାପିବା ଆରମ୍ଭ ହୋଇଥିଲା। ଏଠାରେ ପ୍ରତି ସପ୍ତାହରେ ହଜାର ହଜାର କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ କରୋନା ଯୋଗୁ ଚୀନ୍ରେ ମୋଟ ୧୧୦୦ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୪୪,୦୦୦ ଲୋକ ଏହି ଭାଇରସ୍ ଯୋଗୁ ସଂକ୍ରମିତ ହୋଇଛନ୍ତି।
କେତେକ ଡାକ୍ତର ଏବେ ପୂର୍ଣ୍ଣ ସୁରକ୍ଷା ବିନା ରୋଗୀଙ୍କ ଚିକିତ୍ସା କରୁଥିବା ଦେଖିବାକୁ ମିଳିଛି। କେବଳ ଏତିକି ନୁହେଁ ମାସ୍କ ଅଭାବରୁ ଥରେ ବ୍ୟବହାର କରି ନଷ୍ଟ କରାଯାଉଥିବା ମାସ୍କକୁ କିଛି ଡାକ୍ତର ପୁନର୍ବାର ମଧ୍ୟ ବ୍ୟବହାର କରୁଛନ୍ତି। ବୁହାନ୍ ସହରସ୍ଥିତ ଏକ ମେଡିକାଲର ଜଣେ ଡାକ୍ତର କହିଛନ୍ତି ତାଙ୍କ ୧୬ ଜଣ ସହଯୋଗୀଙ୍କ ସମେତ ତାଙ୍କ ଠାରେ ମଧ୍ୟ କରୋନାର ଲକ୍ଷଣ ଦେଖିବାକୁ ମିଳୁଛି। ଏଣୁ ସେ ବି ସଂକ୍ରମିତ ହେଉଥିବା କହିଛନ୍ତି। ତେଣୁ ସରକାରଙ୍କ ପକ୍ଷରୁ ତୁରନ୍ତ ମାସ୍କ ଯୋଗାଇଦେବାକୁ ଡାକ୍ତରମାନେ ଦାବି କରିଛନ୍ତି।