ଏହି ମନ୍ଦିରରେ ପ୍ରବେଶ ପାଇଁ ଲାଗୁ ହେଲା ଡ୍ରେସ କୋଡ, ଜାଣନ୍ତୁ କେଉଁ ଡ୍ରେସ ପିନ୍ଧିଲେ ମିଳିବନି ପ୍ରବେଶ

ଶ୍ରଦ୍ଧାଳୁମାନେ ମନ୍ଦିରରେ ପ୍ରବେଶ କରିବାକୁ ହେଲେ ଭାରତୀୟ ପରମ୍ପରା ଅନୁସାରେ ହିଁ ବସ୍ତ୍ର ପିନ୍ଧି ଆସିବେ ନଚେତ୍‌ ସେମାନଙ୍କୁ ମନ୍ଦିରରେ ପ୍ରବେଶ ନିଷେଧ କରାଯିବ । ଏଥିପାଇଁ ମନ୍ଦିର ପ୍ରଶାସନ ତରଫରୁ ଶ୍ରଦ୍ଧାଳୁଙ୍କ ପାଇ କଡ଼ା ନିୟମ କରାଯାଇଛି ।

(କେନ୍ୟୁଜ ବ୍ୟୁରୋ): ମଥୁରା ଏବଂ ଆଗ୍ରାର ଅନେକ ମନ୍ଦିରରେ ଛୋଟ ବସ୍ତ୍ର ପରିଧାନ ଉପରେ ପ୍ରତିବନ୍ଧକ ଲାଗୁ କରାଯାଇଛି । ଏହା ସହିତ ଶ୍ରଦ୍ଧାଳୁମାନେ ମନ୍ଦିରରେ ପ୍ରବେଶ ପାଇଁ ଭାରତୀୟ ପରମ୍ପରା ଅନୁସାରେ ବସ୍ତ୍ର ପରିଧାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଆଗ୍ରାର କୈଳାସ ମହାଦେବ ମନ୍ଦିର ସମେତ ଅନେକ ମନ୍ଦିରରେ ଛୋଟ ବସ୍ତ୍ର ପିନ୍ଧି ଆସିବା ଉପରେ ନିଷେଧାଦେଶ ଜାରି କରାଯାଇଛି । ଆଗ୍ରା ଭଳି ମଥୁରାର ରାଧା ବଲ୍ଲଭ ମନ୍ଦିର ସମେତ ଅନେକ ମନ୍ଦିରରେ ସମାନ ନିର୍ଦ୍ଦେଶ ଦିଆଯାଇଛି ।

ମନ୍ଦିର ପ୍ରଶାସନ ତରଫରୁ କୁହାଯାଇଛି ଯେ, ଶ୍ରଦ୍ଧାଳୁମାନେ ମନ୍ଦିରରେ ପ୍ରବେଶ କରିବାକୁ ହେଲେ ଭାରତୀୟ ପରମ୍ପରା ଅନୁସାରେ ହିଁ ବସ୍ତ୍ର ପିନ୍ଧି ଆସିବେ ନଚେତ୍‌ ସେମାନଙ୍କୁ ମନ୍ଦିରରେ ପ୍ରବେଶ ନିଷେଧ କରାଯିବ । ଏଥିପାଇଁ ମନ୍ଦିର ପ୍ରଶାସନ ତରଫରୁ ଶ୍ରଦ୍ଧାଳୁଙ୍କ ପାଇ କଡ଼ା ନିୟମ କରାଯାଇଛି । ମନ୍ଦିର ସମ୍ମୁଖରେ ଏହି ନିୟମ ସମ୍ବନ୍ଧିତ ବୋର୍ଡ ଲଗାଯାଇଛି, ଯେଉଁଥିରେ ଛୋଟ ବସ୍ତ୍ର ପରିଧାନ କରି ଆସୁଥିବା ଶ୍ରଦ୍ଧାଳୁଙ୍କ ପ୍ରବେଶ ନିଷେଧ କରାଯାଇଛି ।

ଆଗ୍ରାର କୈଳାସ ମହାଦେବ ମନ୍ଦିର ପୂଜାରୀ ପଙ୍କଜ ଗିରି କହିଛନ୍ତି ଯେ, ଆମେ ପରମ୍ପରା ଅନୁସାରେ ମନ୍ଦିରରେ ହିନ୍ଦୁ ସଂସ୍କୃତିକୁ ଅନୁସରଣ କରି ବସ୍ତ୍ର ପରିଧାନ କରିବା ଉଚିତ । କୌଣସି ଧାର୍ମିକ ମାନ୍ୟତାରେ ଆଘାତ ନପହଞ୍ଚିବା ପାଇଁ ଏଭଳି ନିୟମ କରାଯାଇଛି । ଏହାକୁ ଦୃଷ୍ଟିରେ ରଖି ମନ୍ଦିରରେ ଛୋଟ ଡ୍ରେସ ପରିଧାନ ଉପରେ ରୋକ ଲଗାଯାଇଛି । ସେହିପରି ମଥୁରାର ମନକାମେଶ୍ୱର ମହାଦେବ ମନ୍ଦିରର ପୁରୋହିତ ଯୋଗେଶ ପୁରୀ ଏଭଳି ନିୟମକୁ ସମର୍ଥନ କରିଛନ୍ତି । ମନ୍ଦିରରେ ପ୍ରବେଶ ପାଇଁ ଭାରତୀୟ ପରିଧାନକୁ ଆଦର୍ଶ କୁହାଯାଏ ବୋଲି ସେ କହିଛନ୍ତି । ଏଥିପାଇଁ ଶ୍ରଦ୍ଧାଳୁଙ୍କ ପାଇଁ ଭାରତୀୟ ବସ୍ତ୍ର ପିନ୍ଧି ମନ୍ଦିରରେ ପ୍ରବେଶ କରିବା ଜରୁରୀ ହୋଇଛି ।

ସୂଚନା ଥାଉ କି, ଏହା ପୂର୍ବରୁ ମଥୁରାର ରାଧା ବଲ୍ଲଭ ଏବଂ ରାଧା ଦାମୋଦର ମନ୍ଦିରରେ ମଧ୍ୟ ଛୋଟ ବସ୍ତ୍ର ପରିଧାନ କରି ମନ୍ଦିରରେ ପ୍ରବେଶ ନିଷେଧ ଉପରେ ନିୟମ ଲାଗୁ କରାଯାଇଥିଲା । ବାଙ୍କେ ବିହାରୀ ମନ୍ଦିରରେ ମଧ୍ୟ ଏହାର ସମର୍ଥନ କରାଯାଇଥିଲା । ମନ୍ଦିର ପ୍ରଶାସନ ତରଫରୁ କୁହାଯାଇଛି ଯେ, ଛୋଟ ବସ୍ତ୍ର ପରିଧାନ କରି ଆସିବା ଦ୍ୱାରା ଲୋକଙ୍କ ଚିନ୍ତାଧାରା ଉପରେ ପ୍ରଭାବ ପଡ଼ିଥାଏ । ଏହା ସନାତନ ଧର୍ମ, ସଂସ୍କୃତି ଏବଂ ପରମ୍ପରାର ବିରୋଧୀ ଭାବେ ବିଚାର କରାଯାଏ । ଏହା ପଥମ ଥର ନୁହେଁ, ଯେଉଁଥିରେ ମନ୍ଦିରରେ ପ୍ରବେଶ ପାଇଁ ଡ୍ରେସ କୋଡ ଲାଗୁ କରାଯାଇଛି । ଦକ୍ଷିଣ ଭାରତର ଅନେକ ମନ୍ଦିରରେ ପଥମରୁ ହିଁ ଡ୍ରେସ କୋଡ ଲାଗୁ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.