PUBG ଯୋଗୁ ପୂରା ପରିବାରକୁ ରାସ୍ତାରୁ ସଫା କରି ଦେଲା ନାବାଳକ! ମା’ ଓ ୩ ଭାଇଭଉଣୀ ଶୋଇଥିବା ବେଳେ ପିସ୍ତଲରୁ ଗୁଳି ବର୍ଷଣ କଲା ପୁଅ…

ଆଜିର ସମୟରେ ଟେକ୍ନୋଲୋଜିର ଦ୍ରୁତ ଅଗ୍ରଗତି ମାନବ ବିକାଶରେ ଏକ ବଡ଼ ସମସ୍ୟା ସୃଷ୍ଟି କରୁଛି। ଗୋଟିଏ ପଟେ ଯେଉଁଠି ଟେକ୍ନୋଲୋଜି କ୍ଷେତ୍ରରେ ବଡ଼ ବଡ଼ ଆବିଷ୍କାର ମାନବ ସମାଜକୁ ଆଗକୁ ନେଉଛି, ସେଠି ଏହାର ଅନେକ କୁପ୍ରଭାବ ମଧ୍ୟ ସାମ୍ନାକୁ ଆସିବାରେ ଲାଗିଛି। ଆଜିକାଲି ମୋବାଇଲ୍ ଫୋନର ଯେତେ ବିକାଶ ହେଉଛି, ଯୁବପିଢ଼ିଙ୍କର ଏହା ପ୍ରତି ଆକର୍ଷଣ ସେତିକି ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଯେବେଠାରୁ ମୋବାଇଲ୍ ଫୋନରେ ଭିଡିଓ ଗେମ୍ ଆସିଲାଣି, ସେବେଠାରୁ ଏହାର କ୍ରେଜ୍ ଯୁବପିଢ଼ିଙ୍କଠାରେ ବୃଦ୍ଧି ପାଇଛି।

ଏବେ ପାକିସ୍ତାନର ପଞ୍ଜାବ ପ୍ରଦେଶ ରାଜଧାନୀରୁ ଏମିତି ଏକ ମାମଲା ସାମ୍ନାକୁ ଆସିଛି, ଯାହାକି ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି। ଏଠାରେ ଅନଲାଇନ୍ ଗେମ୍‌ PUBG କାରଣରୁ ଜଣେ ନାବାଳକ ନିଜର ପୂରା ପରିବାରକୁ ହତ୍ୟା କରିଛି। କୁହାଯାଉଛି ଯେ ୧୪ ବର୍ଷର ଏହି ନାବାଳକ ପ୍ରାୟତଃ ସବୁବେଳେ ମୋବାଇଲରେ PUBG ଖେଳିବାରେ ବ୍ୟସ୍ତ ରହୁଥିଲା, ଯେଉଁ କାରଣରୁ ତା’ର ମା’ ସବୁବେଳେ ତାକୁ ଗାଳିମନ୍ଦ କରୁଥିଲେ। ଆଉ ଏଥିଯୋଗୁ ସେ ମା’ ଉପରେ କ୍ରୋଧ ପ୍ରକାଶ କରୁଥିଲା। ପୋଲିସର କହିବା ହେଲା, ନାବାଳକ ଜଣକ ଅଧିକାଂଶ ସମୟ PUBG ଖେଳିବାରେ ବିତାଉଥିଲା। ପାଠପଢ଼ାରେ ମନ ଦେଉ ନ ଥିବାରୁ ମା’ ତାକୁ ସବୁବେଳେ ଗାଳି ଦେଉଥିଲେ, ଯେଉଁଥିରେ ବିରକ୍ତ ହୋଇ ନାବାଳକ ଜଣକ ନିଜ ମା’ ଏବଂ ଭାଇଭଉଣୀମାନଙ୍କୁ ଗୁଳି କରି ହତ୍ୟା କରିଛି।

ପୋଲିସ ସୂଚନା ମୁତାବକ, ଘଟଣାଟି ଗତ ସପ୍ତାହରେ ଲାହୋରର କହନା ଅଞ୍ଚଳରେ ଘଟିଛି। ଏଠାରେ ଏକ ଘରେ ୪୫ ବର୍ଷୀୟ ସ୍ୱାସ୍ଥ୍ୟ କର୍ମୀ ନାହିଦ ମୁବାରକ ନିଜର ୨୨ ବର୍ଷୀୟ ପୁଅ ତୈମୁର ଏବଂ ୧୭ ଓ ୧୧ ବର୍ଷୀୟା ଦୁଇ ଝିଅଙ୍କ ସହ ମୃତ ଅବସ୍ଥାରେ ମିଳିଥିଲେ। ବର୍ତ୍ତମାନ ଏହି ମାମଲାରେ ପୋଲିସକୁ ସଫଳତା ମିଳିଛି। ସୂଚନା ଅନୁସାରେ, ଘରେ ଏକମାତ୍ର ଜୀବିତ ଥିବା ୧୪ ବର୍ଷୀୟ ନାବାଳକ ହିଁ ଏହି ହତ୍ୟାକାଣ୍ଡର ଦୋଷୀ।

ନାହିଦ ସ୍ୱାମୀଙ୍କଠାରୁ ଛାଡ଼ପତ୍ର ପାଇ ନିଜ ପିଲାମାନଙ୍କୁ ଧରି ଏକାକୀ ରହୁଥିଲେ। ସେ ସବୁବେଳେ ପିଲାମାନଙ୍କୁ ପାଠପଢ଼ା ପ୍ରତି ଧ୍ୟାନ ଦେବାକୁ ପରାମର୍ଶ ଦେଉଥିଲେ। ୧୪ ବର୍ଷର ପୁଅ ଅଧିକାଂଶ ସମୟ PUBG ଖେଳିବାରେ ବ୍ୟସ୍ତ ରହୁଥିବାରୁ ନାହିଦ ତାଙ୍କୁ ଗାଳି ଦେଉଥିଲେ, ଯେଉଁଥିରେ ବିରକ୍ତି ହୋଇ ନାବାଳକ ନିଜ ମା’ଙ୍କ ଆଲମିରାରୁ ପିସ୍ତଲ ବାହାର କରି ପରିବାରର ସମସ୍ତଙ୍କୁ ରାସ୍ତାରୁ ସଫା କରି ଦେଇଥିଲା। ମା’ ଏବଂ ଅନ୍ୟ ଭାଇଭଉଣୀମାନେ ଶୋଇଥିବା ବେଳେ ସେ ଏହି ମଉକାରେ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲା। ଫଳରେ ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ଘଟିଥିଲା।

ପୋଲିସ ସୂଚନାନୁସାରେ, PUBG ଖେଳିବାରେ ଅଭ୍ୟସ୍ତ ଏହି ନାବାଳକ ବର୍ତ୍ତମାନ ନିଜ ଦୋଷକୁ ସ୍ୱୀକାର କରିଛି। ଏହା ବ୍ୟତୀତ ପୋଲିସ ତାଙ୍କର ରକ୍ତ ଜୁଡୁବୁଡୁ ପୋଷାକ ମଧ୍ୟ ଜବତ କରିଛି। ପୋଲିସର କହିବା ହେଉଛି, ନାହିଦ ତାଙ୍କ ପରିବାରର ସୁରକ୍ଷା ପାଇଁ ପିସ୍ତଲ ଆଣି ଘରେ ରଖିଥିଲେ। ଆଉ ଏହି ହିଁ ତାଙ୍କ ମୃତ୍ୟୁର କାରଣ ହୋଇଥିଲା।