ଆମେରିକାରେ ଭାରତର ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କଲେ ଏଲନ ମସ୍କ, କହିଲେ- ମୁଁ ମୋଦିଙ୍କ ଫ୍ୟାନ୍‌

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲିଠୁ ରାଜକୀୟ ଆମେରିକା ଗସ୍ତରେ ଯାଇଥିବା ବେଳେ ଟ୍ୱିଟରର ମାଲିକ ଏଲନ ମସ୍କଙ୍କ ସହ ସାକ୍ଷାତ କରିଛନ୍ତି।  ମସ୍କ କହିଛନ୍ତି, ସେ ମୋଦିଙ୍କ ଫ୍ୟାନ୍‌ । ଆସନ୍ତାବର୍ଷ ପୁଣି ଥରେ ଭାରତ ଗସ୍ତରେ ଆସିବାକୁ ଯୋଜନା କରୁଥିବା ଏଲନ ମସ୍କ କହିଛନ୍ତି । 

ନୂଆଦିଲ୍ଲୀ :  ୪ ଦିନିଆ ଗସ୍ତରେ ଯାଇ ଆମେରିକାରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେଠାରେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କୁ ସାକ୍ଷାତ କରିଛନ୍ତି ପ୍ରଧାନମନ୍ତ୍ରୀ । ଟେସଲା ଓ ସ୍ପେସ୍‌ ଏକ୍ସ ସିଇଓ ଏଲନ ମସ୍କ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଛନ୍ତି । ଏହି ସାକ୍ଷାତ ପରେ ମସ୍କ ଭାରତର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କରିବା ସହ ମୋଦିଙ୍କର ଜଣେ ବଡ଼ ପ୍ରଶଂସକ ବୋଲି କହିଛନ୍ତି

ଆମେରିକା ଗସ୍ତ ଅବସରରେ ମୋଦି ନ୍ୟୁୟର୍କର ପ୍ୟାଲେସ ହୋଟେଲରେ ଅବସ୍ଥାନ କରିଥିବା ବେଳେ ସେଠାରେ ପହଞ୍ଚି ଟ୍ୱିଟର ମୁଖ୍ୟ ମସ୍କ ତାଙ୍କୁ ସାକ୍ଷାତ କରିଛନ୍ତି। ନିଜକୁ ମୋଦିଙ୍କ ପ୍ରଶଂସକ କହିବା ସହ ମସ୍କ କହିଛନ୍ତି ବିଶ୍ୱର ଅନ୍ୟ ଦେଶ ଅପେକ୍ଷା ଭାରତରେ ଅଧିକ ସମ୍ଭାବନା ଭରି ରହିଛି। ମୋଦି ଭାରତ ପାଇଁ ବହୁତ କିଛି କରିବାକୁ ଉତ୍ସାହିତ ଅଛନ୍ତି।  ପ୍ରଧାନମନ୍ତ୍ରୀ ମୋଦି ବାସ୍ତବରେ ଭାରତ ପାଇଁ ସଠିକ କାର୍ଯ୍ୟ କରିବାକୁ ଚାହାନ୍ତି । ନିଜ ଦେଶରେ ନୂଆ କମ୍ପାନୀକୁ ସମର୍ଥନ କରି ଥାଆନ୍ତି ମୋଦି । ସେ ବିଦେଶୀ କମ୍ପାନୀମାନଙ୍କୁ ନିବେଶ ନିମନ୍ତେ ନିଜ ଦେଶକୁ ନିମନ୍ତ୍ରଣ କରିବା ସହ ସେମାନଙ୍କ ନିମନ୍ତେ ଉଦାରବାସୀ ମନୋଭାବ ପୋଷଣ କରୁଛନ୍ତି। ତେଣୁ ମୁଁ ତାଙ୍କ ଫ୍ୟାନ୍‌ ପାଲଟି ଯାଇଛି ବୋଲି କହିଛନ୍ତି ।

ମୋଦିଙ୍କ ସମ୍ପର୍କରେ ପଚାରିବାରୁ ମସ୍କ କହିଛନ୍ତି, ସେ ନିଜ ଦେଶକୁ ଖୁବ୍‌ ଭଲ ପାଉଥିବା ଜଣେ ପ୍ରଧାନମନ୍ତ୍ରୀ। ସେ ନିଜ ଦେଶର ଭବିଷ୍ୟତକୁ ନେଇ ଖୁବ୍‌ ଚିନ୍ତିତ ତଥା ବ୍ୟଗ୍ର । ତେଣୁ ବିଦେଶୀ କମ୍ପାନୀମାନେ କିପରି ଭାରତରେ ନିବେଶ ପାଇଁ ମନ ବଳାଇବେ ସେଥିପ୍ରତି ସେ ଉଦ୍ୟମ ଚଳାଇଛନ୍ତି। ସେ ଆମକୁ ଭାରତରେ ନିବେଶ କରିବାକୁ ଉତ୍ସାହିତ ଓ ପ୍ରେରିତ କରୁଛନ୍ତି। ଆମେ ବି ଭାରତରେ ନିବେଶର ସୁଯୋଗ ଖୋଜୁଛି। କେବଳ ଠିକ୍‌ ସମୟକୁ ଅପେକ୍ଷା ବୋଲି କହିଛନ୍ତି ଟ୍ୱିଟର ମାଲିକ ।

ସେହିପରି ଆସନ୍ତାକାଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ଉଚ୍ଚସ୍ତରୀୟ ଆଲୋଚନା କରିବେ ନରେନ୍ଦ୍ର ମୋଦି । ଏହି ଦ୍ୱିପାକ୍ଷିକ ଆଲୋଚନାରେ ବହୁ ବଡ଼ ନିଷ୍ପତ୍ତି ହୋଇପାରେ । ପ୍ରତିରକ୍ଷା, ବାଣିଜ୍ୟ, ବୈଷୟିକ ଓ ଷ୍ଟ୍ରାଟେଜିକ ଡିଲ୍‌ ଉପରେ ଲାଗିପାରେ ମୋହର । ଏହି ଡିଲ୍‌ ଭାରତ-ଆମେରିକା ମଧ୍ୟରେ ସବୁଠୁ ବଡ଼ ପ୍ରତିରକ୍ଷା ଡିଲ ହୋଇପାରେ । ଆମେରିକା ଠାରୁ MQ 9B ଡ୍ରୋନ କିଣିବ ଭାରତ । ସେହିପରି ଭାରତରେ F414 ଜେଟ ଇଂଜିନ ନିର୍ମାଣ ଚୁକ୍ତିରେ ମଧ୍ୟ ଲାଗିପାରେ ମୋହର ।

ଆସନ୍ତାକାଲି ରାଷ୍ଟ୍ରପତି ଜୋ ବାଇଡେନ ଓ ଆମେରିକାର ପ୍ରଥମ ମହିଳା ଜିଲ ବାଇଡେନ ମୋଦିଙ୍କୁ ସରକାରୀ ନୈଶ ଭୋଜନରେ ଆପ୍ୟାୟିତ କରିବେ । ଏଥିସହ ଆମେରିକା କଂଗ୍ରେସକୁ ପ୍ରଧାନମନ୍ତ୍ରୀ ସମ୍ବୋଧିକ କରିବେ । ଆମେରିକାରେ ବିଭିନ୍ନ କ୍ଷେତ୍ରରେ ୨୪ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ପ୍ରଧାନମନ୍ତ୍ରୀ ସାକ୍ଷାତ କରିବା କାର୍ଯ୍ୟକ୍ରମ ରହିଛି । ମୋଦିଙ୍କ ଏହି ଗସ୍ତ ଭାରତ-ଆମେରିକା ସଂପର୍କରେ ଏକ ନୂଆ ମାଇଲ ସ୍ତମ୍ଭ ସ୍ଥାପନ କରିବ । ୨୦୧୪ରେ କ୍ଷମତାକୁ ଆସିବା ପରେ ୬ ଥର ଆମେରିକା ଗଲେଣି ମୋଦି । କିନ୍ତୁ ଚଳିତ ଗସ୍ତ ସ୍ୱତନ୍ତ୍ର । ଏହା ସରକାରୀ ରାଷ୍ଟ୍ର ଗସ୍ତ । ବଇଡେନଙ୍କ ନିମନ୍ତ୍ରଣରେ ଆମେରିକା ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.