ନୂଆ କାଶ୍ମୀରରେ ଉଡ଼ିଲା ତ୍ରିରଙ୍ଗା, ଲଦାଖରେ ପତାକା ଉତ୍ତୋଳନ ବେଳେ ନାଚିଲେ ସାଂସଦ
ନୂଆ କାଶ୍ମୀରରେ ଉଡ଼ିଲା ତ୍ରିରଙ୍ଗା। ୩୭୦ ଧାରା ହଟିବା ପରେ ଜମ୍ମୁ-କାଶ୍ମୀରରେ ପ୍ରଥମ ଥର ପାଇଁ ପାଳିତ ହୋଇଛି ସ୍ୱାଧୀନତା ଦିବସ। କଡ଼ା ସୁରକ୍ଷା ବଳୟ ଭିତରେ ଥିବା ଉପତ୍ୟକାକୁ ମିଳିଛି ନୂଆ ଅନୁଭୂତି। ଶ୍ରୀନଗରରେ ଜାତୀୟ ପତାକା ଉତ୍ତୋଳନ କରି ସମ୍ବୋଧିତ କରିଥିଲେ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ। କହିଥିଲେ, ୩୭୦ ଧାରା ଉଛେଦ ଜମ୍ମୁ-କାଶ୍ମୀର ପାଇଁ ବିକାଶର ଦ୍ୱାର ଉନ୍ମୁକ୍ତ କରିଛି । ଉପତ୍ୟାକାରେ ଆତ୍ମବିଶ୍ୱାସ ଏବଂ ବିପୁଳ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। କିନ୍ତୁ ଜମ୍ମୁ-କାଶ୍ମୀରବାସୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ହେବ ଏକତା ଏବଂ ସମାନତାର ଅନୁଭବ।
ଲଦାଖରେ ବେଶ ଉତ୍ସାହ ଉଦ୍ଧୀପନାର ସହ ପ୍ରଥମ ଥର ପାଇଁ ପାଳିତ ହୋଇଛି ସ୍ୱାଧୀନତା ଦିବସ । ବିଜେପି ରାଷ୍ଟ୍ରୀୟ ସାଧାରଣ ସଂପାଦକ ରାମମାଧବ ଲେହରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ନିଜର ଖୁସି ସମ୍ବରଣ କରି ପାରି ନଥିଲେ ଲଦାଖ ସାଂସଦ ଜାମାୟାଙ୍ଗ ସେରିଙ୍ଗ। ଆଉ କିଛି ଯୁବକଙ୍କ ସହ ନାଚି ନାଚି ଖୁସି ମନେଇଥିଲେ । ଶ୍ରୀନଗରରୁ ସାମ୍ବା, ଲେହରୁ ଆରଏସପୁରା । ସବୁଠି ଫରଫର ହୋଇ ଉଠିଛି ତ୍ରିରଙ୍ଗା। କୁପଓ୍ଵାଡ଼ାରେ ନର୍ଦ୍ଦନ ଆର୍ମୀ କମାଣ୍ଡର ଲେଫଟନାଣ୍ଟ ଜେନେରାଲ ରଣବୀର ସିଂ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଆରଏସ୍ପୁରାରେ ଜାତୀୟ ପତାକା ଉତ୍ତୋଳନ କରି ନାଚଗୀତରେ ଉତ୍ସବ ପାଳନ କରିଥିଲେ ସୁରକ୍ଷାକର୍ମୀ। କଡ଼ା ସୁରକ୍ଷା ବଳୟ ଭିତରେ ଥିବା କାଶ୍ମୀରବାସୀଙ୍କୁ ମିଳିଛି ସ୍ୱାଧୀନତା ଦିବସର ନୂଆ ଅନୁଭୂତି ।