ପାକିସ୍ତାନରେ ଅଟା କିଲୋ ୬୪ ଟଙ୍କାକୁ ଟପିଲା, ଚିନି ଓ ଘିଅ ଦାମ୍‌ ଆକାଶ ଛୁଆଁ

ଇସଲାମବାଦ : ଜଣେ ବ୍ୟକ୍ତି ପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଖାଦ୍ୟ ଓ ବାସଗୃହ । ହେଲେ ଖାଦ୍ୟ ଭଳି ଏକ ଅତ୍ୟାବଶ୍ୟକୀୟ ଜିନିଷର ଦରଦାମ ଯଦି ବଢ଼େ ଏଥିରେ ଗରୀବ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଏପରି ପରିସ୍ଥିତି ଏବେ ଦେଖା ଦେଇଛି ଆମର ପଡୋଶୀ ଦେଶ ପାକିସ୍ତାନରେ ।

ଏଠାରେ ଖାଦ୍ୟ ସାମଗ୍ରୀର ଦର ଆକାଶ ଛୁଆଁ ହୋଇଛି । ଲୋକେ ଦରଦାମ ବୃଦ୍ଧି ନେଇ ଅସନ୍ତୁଷ୍ଟ ଥିବା ବେଳେ ସରକାର ସବସିଡ ଦୁରୁପଯୋଗକୁ କମ କରିବା ପାଇଁ ହଠାତ୍‌ ୟୁଟିଲିଟି ଷ୍ଟୋରର୍ସ କର୍ପୋରେସନ ମାଧ୍ୟମରେ ବିକ୍ରି କରାଯାଉଥିବା ଅଟା, ଚିନି ଓ ଘିଅ ଦାମରେ ୨୫ ରୁ ୬୨ ପ୍ରତିଶତ ବୃଦ୍ଧି କରିଛି ।

ନୂଆ ଦାମ ଅନୁଯାୟୀ ପାକିସ୍ତାନରେ ଚିନି କିଲୋ ପ୍ରତି ଦାମ ୭୦ ଟଙ୍କାରୁ ବୃଦ୍ଧି ପାଇ ୮୯ ଟଙ୍କାରେ ପହଞ୍ଚିଛି । ସେହିପରି ଘିଅର ଦାମ୍‌ ୭୫ ଟଙ୍କାରୁ ବୃଦ୍ଧି ପାଇ କିଲୋ ପ୍ରତି ୩୭୫ ଟଙ୍କାରେ ଓ ଅଟା କିଲୋ ପ୍ରତି ଦାମ ୪୦ ଟଙ୍କାରୁ ବୃଦ୍ଧି ପାଇ ୬୪ ଟଙ୍କାରେ ପହଞ୍ଚିଛି ।

ହେଲେ ଦାରିଦ୍ର୍ୟ ସୀମା ରେଖା ତଳେ ଥିବା ବ୍ୟକ୍ତିଙ୍କୁ ସବସିଡି ଆକାରରେ ଅଟା ୪୦ ଟଙ୍କା, ଚିନି ୭୦ ଟଙ୍କା ଓ ଘିଅ ୩୦୦ ଟଙ୍କା ରେ ମିଳିବ ବୋଲି ଜଣାପଡିଛି । ସେହିପରି ଏହି ଲୋକଙ୍କୁ ଡାଲି ଚାଉଲରେ କିଲୋ ପ୍ରତି ୧୫ ରୁ ୨୦ ଟଙ୍କା ଛାଡ ମିଳିବ ବୋଲି ଜଣାଯାଇଛି ।

ତେଣୁ ଗରୀବ ସୀମା ରେଖା ତଳେ (ପିଏମଟି-୩୨) ଥିବା ଲୋକଙ୍କୁ ପ୍ରତି ମାସ ୪୦ କିଲୋଗ୍ରାମର ଅଟା, ୫ କିଲୋଗ୍ରାମ ଚିନି ଓ ୫ କିଲୋଗ୍ରାମ ଘିଅ ଦେବାକୁ ସରକାର ଅନୁମତି ଦେଇଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.