Below header

ରାଜନୈତିକ ଦଳର ‘ମାଗଣା ପ୍ରତିଶ୍ରୁତି’ ଉପରେ ଲାଗିବ ରୋକ୍‌! କେନ୍ଦ୍ରକୁ ସମାଧାନ ଖୋଜିବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମ୍‌କୋର୍ଟ

ନିର୍ବାଚନ ପୂର୍ବରୁ ଭୋଟରମାନଙ୍କୁ ଲୁଭାଇବା ପାଇଁ ବିଭିନ୍ନ ରାଜନୈତିକ ଦଳ ଉପହାର ବାଣ୍ଟିବା, ବିଦ୍ୟୁତ୍‌-ପାଣି ମାଗଣାରେ ଦେବା ଏବଂ ଅନ୍ୟାନ୍ୟ ପ୍ରତିଶ୍ରୁତି ଦେଉଛନ୍ତି, ଯାହାକି ଆଦୌ ଉଚିତ୍‌ ନୁହେଁ। ଏହାକୁ ନେଇ ସୁପ୍ରିମ୍‌କୋର୍ଟ କଠୋର ଆଭିମୁଖ୍ୟ ଗ୍ରହଣ କରିବାକୁ ଯାଇ କେନ୍ଦ୍ର ସରକାରଙ୍କୁ ଆଇନ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଦେଶରେ ନିର୍ବାଚନ ସମୟରେ ରାଜନୈତିକ ଦଳଗୁଡ଼ିକ ଭୋଟରମାନଙ୍କୁ ମାଗଣା ବିଦ୍ୟୁତ୍‌, ପାଣି ଏବଂ ଅନ୍ୟାନ୍ୟ ସୁବିଧା ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଉଛନ୍ତି। ସୁପ୍ରିମ୍‌କୋର୍ଟ ମଙ୍ଗଳବାର ଏହି ମାମଲା ଉପରେ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଜାରି କରି ତୁରନ୍ତ ଏହାର ସମାଧାନ ବାଟ ଖୋଜିବାକୁ କହିଛନ୍ତି। ସର୍ବୋଚ୍ଚ ଅଦାଲତ ମାମଲାର ଆଗାମୀ ଶୁଣାଣି ପାଇଁ ଅଗଷ୍ଟ ୩ ତାରିଖ ଧାର୍ଯ୍ୟ କରିଛନ୍ତି।

ସୁପ୍ରିମ୍‌କୋର୍ଟ କେନ୍ଦ୍ର ସରକାରଙ୍କୁ କହିଛନ୍ତି କି, ସେ ରାଜନୈତିକ ଦଳର ପ୍ରସଙ୍ଗ ଉପରେ ବିତ୍ତ ଆୟୋଗଙ୍କ ସହିତ କଥାବାର୍ତ୍ତା କରନ୍ତୁ। ପୂର୍ବରୁ କରଜରେ ବୁଡ଼ି ରହିଥିବା ରାଜ୍ୟରେ ମାଗଣା ଯୋଜନାର ଅମଳ ରେକା ଯାଇପାରିବ କି ନାହିଁ, ତାହା ଯାଞ୍ଚ କରନ୍ତୁ। ସୁପ୍ରିମ୍‌କୋର୍ଟ ମାଗଣା ନିର୍ବାଚନ ପ୍ରତିଶ୍ରୁତି ବିରୋଧରେ ଦାଖଲ ପିଟିସନ ଉପରେ ମଙ୍ଗଳବାର ଏହି ଶୁଣାଣି କରିଛନ୍ତି। ଏଥି ସହିତ କେନ୍ଦ୍ରକୁ ନୋଟିସ୍‌ ଜାରି କରି ଏହାର ଜବାବ ମାଗିଛନ୍ତି।

ଏହି ପିଟିସନ ଉପରେ ଏପ୍ରିଲରେ ଶୁଣାଣି ହୋଇଥିଲା। ସେହି ସମୟରେ ନିର୍ବାଚନ ଆୟୋଗ ସୁପ୍ରିମ୍‌କୋର୍ଟଙ୍କୁ କହିଥିଲେ ଯେ ନିର୍ବାଚନ ପୂର୍ବରୁ ହେଉ କିମ୍ବା ପରେ ମାଗଣା ଉପହାର ଦେବା ରାଜନୈତିକ ଦଳର ନୀତିଗତ ନିଷ୍ପତ୍ତି। ସେ ରାଜ୍ୟର ନୀତି ଏବଂ ଦଳଗୁଡ଼ିକ ତରଫରୁ ନିଆଯାଇଥିବା ନିଷ୍ପତ୍ତିଗୁଡ଼ିକୁ ନିୟନ୍ତ୍ରିତ କରିପାରିବେ ନାହିଁ।

ଆୟୋଗ କହିଥିଲା, ଏହି ପ୍ରକାର ନୀତିଗୁଡ଼ିକର କ’ଣ ନକାରାତ୍ମକ ପ୍ରଭାବ ପଡ଼ିଥାଏ ଏବଂ ଏହା ଆର୍ଥିକ ଦୃଷ୍ଟିରୁ ଉଚିତ୍‌ କି ନୁହେଁ, ତାହା ସ୍ଥିର କରିବା ଭୋଟରଙ୍କ କାମ। ଆୟୋଗ ନିଜ ଆଫିଡେଭିଟ୍‌ରେ କହିଥିଲା ଯେ ନିର୍ବାଚନ ପୂର୍ବରୁ କିମ୍ବା ପରେ କୌଣସି ବି ମାଗଣା ସେବା ବିତରଣ ସମ୍ବନ୍ଧିତ ଦଳର ଏକ ନୀତିଗତ ନିର୍ଣ୍ଣୟ।

ବାସ୍ତବରେ, ନିର୍ବାଚନ ସମୟରେ ଏ ନେଇ ସୁପ୍ରିମ୍‌କୋର୍ଟରେ ପିଟିସନ ଦାଖଲ କରାଯାଇଥିଲା, ଯେଉଁଥିରେ ମାଗଣା ପ୍ରତିଶ୍ରୁତି ଦେଉଥିବା ରାଜନୈତିକ ଦଳଗୁଡ଼ିକର ପଞ୍ଜୀକରଣ ରଦ୍ଦ କରିବାକୁ ଦାବି କରାଯାଇଥିଲା। ଏଥି ସହିତ ନିର୍ବାଚନ ଚିହ୍ନକୁ ଜବତ କରିବାକୁ ମଧ୍ୟ କୁହାଯାଇଥିଲା। ଏହି ପ୍ରସଙ୍ଗରେ ଭାରତର ପ୍ରଧାନ ବିଚାରପତି କହିଛନ୍ତି ଯେ ଏହା ବହୁତ ଗମ୍ଭୀର ପ୍ରସଙ୍ଗ। କହି ରଖୁଛୁ, ଭାଜପା ନେତା ତଥା ଓକିଲ ଅଶ୍ୱିନୀ ଉପାଧ୍ୟାୟ ସୁପ୍ରିମ୍‌କୋର୍ଟରେ ଏହି ପିଟିସନ ଦାଖଲ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.