ୟୁକ୍ରେନ ରାଜଧାନୀ କିଭ୍ରେ ମିସାଇଲ ମାଡ଼: ରୁଷ ସେନା ସହ ଘମାଘୋଟ ଲଢ଼େଇ

କେନ୍ୟୁଜ୍(ବ୍ୟୁରୋ): ରୁଷ୍ ସେନାର ଘନଘନ ଏୟାର ଷ୍ଟ୍ରାଇକ୍ । କିଭ୍ ଉପରେ ତୁହାକୁ ତୁହା ମିଶାଇଲ ମାଡ଼ । ବର୍ଷୁଛି ବୋମା, ଜଳୁଛି ସହର। ଛାରଖାର ହୋଇଗଲାଣି ୟୁକ୍ରେନ୍ ରାଜଧାନୀ । ସାମରିକ ପ୍ରତିଷ୍ଠାନ ପରେ ଆବାସିକ ବିଲ୍ଡିଂ ଉପରେ କ୍ଷେପଣାସ୍ତ୍ର ମାଡ଼ । ଭାଙ୍ଗି ଯାଉଛି ନଭଶ୍ଚୁମ୍ବୀ ଅଟ୍ଟାଳିକା। ରାସ୍ତା ଉପରେ ଯୁଦ୍ଧ ବିଧ୍ୱସ୍ତ ବିଲ୍ଡିଂର ଭଗ୍ନାବଶେଷ । କିଭ୍ ରାଜରାସ୍ତାରେ ଘମାଘୋଟ ହେଉଛି ଲଢ଼େଇ । ସହରକୁ ଚାରିପଟୁ ଘେରି ଆକ୍ରମଣ କରୁଛି ରୁଷ ସେନା । ୟୁକ୍ରେନ୍ର ପ୍ରାୟ ୨୦୦ ସାଧାରଣ ନାଗରିକଙ୍କ ମୃତ୍ୟୁ ହେଲାଣି ।
୧୧ ଶହରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏମାନଙ୍କ ଭିତରେ ୩୦ରୁ ଅଧିକ ଶିଶୁ ଥିବା ସୂଚନା ଦେଇଛି ୟୁକ୍ରେନ୍ ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ରୁଷ ଆକ୍ରମଣରେ ୟୁକ୍ରେନ୍ର ୨୦୦ ରୁ ଅଧିକ ସାମରିକ ପ୍ରତିଷ୍ଠାନ ଧ୍ୱଂସ ହୋଇଗଲାଣି । ଆକାଶ ଓ ସମୁଦ୍ରରୁ କ୍ରୁଜ୍ କ୍ଷେପଣାସ୍ତ୍ର ମାଡ଼ କରୁଛି ପୁଟିନ୍ ସେନା । ସେପଟେ ରୁଷିଆ ଉପରେ ୟୁକ୍ରେନ୍ ସେନା ଭାରି ପଡ଼ିଥିବା ଦାବି କରିଛି କିଭ୍ । ରୁଷିଆର ୮୦ ଟ୍ୟାଙ୍କ୍, ୫୦୦ ରୁ ଅଧିକ ସାମରିକ ଯାନ, ୭ ହେଲିକପ୍ଟର ଓ ୧୦ଟି ଏୟାରକ୍ରାଫ୍ଟ ସହ ୨୦ଟି କ୍ରୁଜ୍ ମିଶାଇଲ୍ ଧ୍ୱଂସ । ରୁଷିଆର ସାଢ଼େ ୩ ହଜାର ସୈନ୍ୟ ନିହତ ହୋଇଥିବା ଓ ୨୦୦ ସୈନ୍ୟଙ୍କୁ ବନ୍ଦୀ କରାଯାଇଥିବା ଦାବି କରିଛି ୟୁକ୍ରେନ୍ ପ୍ରତିରକ୍ଷା ବିଭାଗ ।
ଯୁଦ୍ଧର ଦ୍ୱିତୀୟ ଦିନରେ ଶାନ୍ତି ପ୍ରସ୍ତାବ ଦେଇଥିଲା ମସ୍କୋ । ଅସ୍ତ୍ର ପରିତ୍ୟାଗ କଲେ ଆଲୋଚନା ପାଇଁ ରୁଷ୍ ପ୍ରସ୍ତୁତ ବୋଲି ପୁଟିନ କହିଥିଲେ । କିନ୍ତୁ ତୃତୀୟ ଦିନରେ ଲଢ଼େଇ ତେଜିଛି । ୟୁକ୍ରେନ୍ ଅସ୍ତ୍ର ପରିତ୍ୟାଗ କରିବ ନାହିଁ ବୋଲି ଏକ ଭିଡିଓ ପୋଷ୍ଟ କରି ପୁଟିନ୍ଙ୍କୁ ସଫାସଫା ଶୁଣାଇ ଦେଇଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଦମିର ଜେଲେନ୍ସ୍କି । ଆମେ ଭୂଖଣ୍ଡକୁ ସୁରକ୍ଷା ଦେବୁ । ଆମ ଅସ୍ତ୍ର ହିଁ ଆମର ସତ୍ୟ ବୋଲି କହିଛନ୍ତି ଜେଲେନ୍ସ୍କି । ତେବେ ୟୁକ୍ରେନ୍ ଯୁଦ୍ଧ ଚାହୁଁନାହିଁ ବୋଲି ମଧ୍ୟ ସେ ଜଣାଇଛନ୍ତି । ଯୁଦ୍ଧର ଘନଘଟା ଭିତରେ ଆତଙ୍କିତ ୟୁକ୍ରେନ୍ ନାଗରିକ । ଜୀବନ ଉପରେ ଭରସା ତୁଟି ଯାଇଛି । ଲକ୍ଷାଧିକ ଲୋକ ଦେଶ ଛାଡ଼ି ପୋଲାଣ୍ଡ ପଳାଇଲେଣି ।
ସେପଟେ ରୁଷ ସେନା ଯେତିକି ଆଗକୁ ବଢ଼ୁଛି ସେତିକି ଘମାଘୋଟ ହେଉଛି ଲଢ଼େଇ । କିଭ୍ ସହରର କେନ୍ଦ୍ରରୁ ୩୦ କିଲୋମିଟର ଦୂରରେ ରୁଷ ସେନା । ଅଟକାଇବାକୁ ଉଦ୍ୟମ କରୁଛି ୟୁକ୍ରେନ୍ । ରୁଷ ଟ୍ୟାଙ୍କ୍କୁ ଅଟକାଇବାକୁ ଜଣେ ୟୁକ୍ରେନ୍ ସୈନ୍ୟ ବ୍ରିଜ୍ ଉପରେ ନିଜକୁ ଉଡ଼ାଇ ଦେଇଛନ୍ତି। ୟୁକ୍ରେନ୍ ଲଢ଼େଇରୁ ନାଟୋ ଦୂରେଇ ରହିଛି। ହେଲେ ଆରମ୍ଭ ହୋଇ ଗଲାଣି ରୁଷ ବିରୋଧୀ ମେଣ୍ଟ । କିଛି ଦେଶ ବ୍ୟକ୍ତିଗତ ଭାବେ ୟୁକ୍ରେନ୍କୁ ସାମରିକ ସହାୟତା ଆରମ୍ଭ କରିଛନ୍ତି । ଆମେରିକା, ବ୍ରିଟେନ୍ ସମେତ ୨୮ଟି ଦେଶ ଅସ୍ତ୍ରଶସ୍ତ୍ର ସହ ମେଡିକାଲ ସହାୟତା ପ୍ରଦାନ କରିବେ । ଅସ୍ତ୍ରଶସ୍ତ୍ର ଓ ଯୁଦ୍ଧ ଉପକରଣ ପଠାଇଥିବା ଟ୍ଵିଟ୍ କରି ସୂଚନା ଦେଇଛନ୍ତି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍ । ସମୁଦ୍ରରେ ବି ଆରମ୍ଭ ହୋଇ ଗଲାଣି ଉତ୍ତେଜନା। ରୁଷିଆର ଏକ ବିଶାଳ ପଣ୍ୟବାହୀ ଜାହାଜକୁ ଅଟକାଇଛି ଫ୍ରାନ୍ସ। ୧୨୭ ମିଟର ଲମ୍ବର ଏହି ଜାହାଜକୁ ନିଜ ବନ୍ଦରକୁ ନେଇଛି ଫ୍ରାନ୍ସ