ହିମାଚଳ ନିର୍ବାଚନ ପୂର୍ବରୁ ବିଜେପିର ଘୋଷଣା: ସ୍କୁଲ ଛାତ୍ରୀଙ୍କୁ ସାଇକେଲ, କଲେଜ ଛାତ୍ରୀଙ୍କୁ ସ୍କୁଟର ଦେବାକୁ ପ୍ରତିଶ୍ରୁତି

ସିମ୍‌ଲା: ହିମାଚଳ ପ୍ରଦେଶରେ ନିର୍ବାଚନୀ ବିଗୁଲ ବାଜିବା ପରେ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଘୋଷଣା ପରେ ଘୋଷଣା ହେଉଛି। ବିଭିନ୍ନ ରାଜନୈତିକ ଦଳ ନିଜ ନିର୍ବାଚନୀ ଇସ୍ତାହାର ପ୍ରକାଶ କରି ଅନେକ ଘୋଷଣା କରିଛନ୍ତି। ଶନିବାର କଂଗ୍ରେସ ନିଜର ଇସ୍ତାହାର ଘୋଷଣା କରିଥିବା ବେଳେ ରବିବାର ବିଜେପି ନିଜର ନିର୍ବାଚନୀ ଇସ୍ତାହାର ଜାରି କରିଛି। ହିମାଚଳ ପ୍ରଦେଶର ଭୋଟ ଗ୍ରହଣକୁ ଆଉ ସପ୍ତାହରୁ କମ୍‌ ସମୟ ରହିଛି। ମାତ୍ର ୭ ଦିନ ପୂର୍ବରୁ ବିଜେପି ରାଜ୍ୟ ପାଇଁ ନିର୍ବାଚନ ଇସ୍ତାହାର ଘୋଷଣା କରିଛି।

ବିଜେପିର ଘୋଷଣା ଅନୁଯାୟୀ, ରାଜ୍ୟରେ ଦଳ କ୍ଷମତାକୁ ଆସିଲେ ୟୁନିଫର୍ମ ସିଭିଲ୍‌ କୋଡ୍‌ ନିୟମ ଲାଗୁ କରିବ। ସେହିପରି ବିଜେପି ଜିତିଲେ ସ୍କୁଲ ଛାତ୍ରୀଙ୍କୁ ସାଇକେଲ ଓ କଲେଜ ଛାତ୍ରୀଙ୍କୁ ସ୍କୁଟର ଦେବ ବୋଲି ଘୋଷଣା କରିଛି। କେବଳ ହିମାଚଳ ପ୍ରଦେଶରେ ନୁହେଁ, ଗୁଜରାଟରେ ମଧ୍ୟ ୟୁନିଫର୍ମ ସିଭିଲ କୋଡ୍‌ ଲାଗୁ ହେବ ବୋଲି ବିଜେପି ପ୍ରତିଶ୍ରୁତି ଦେଇଛି। ତା’ସହ ଉତ୍ତର ପ୍ରଦେଶ ଭଳି ହିମାଚଳ ପ୍ରଦେଶରେ ୱାକ୍‌ ଅଫ୍‌ ବୋର୍ଡର ସମ୍ପତ୍ତିର ସର୍ଭେ କରାଯିବ ବୋଲି ବିଜେପି କହିଛି। ୟୁପିରେ ୱାକଅଫ୍‌ ବୋର୍ଡର ସମ୍ପତ୍ତି ଯାଞ୍ଚ ପାଇଁ ପ୍ରଥମେ ପଦକ୍ଷେପ ନିଆଯାଇଥିଲା, ଯାହାକୁ ନେଇ ଅନେକ ସମାଲୋଚନା ବି ହୋଇଥିଲା।

କେବଳ ଏତିକି ନୁହେଁ, ନିର୍ବାଚନୀ ଇସ୍ତାହାରରେ ପୁଣିଥରେ ବିଜେପି ନିଯୁକ୍ତି ଦେବାକୁ ପ୍ରତିଶ୍ରୁତି ଦେଇଛି। ରାଜ୍ୟରେ ୫ ବର୍ଷ ଭିତରେ ୮ ଲକ୍ଷ ନିଯୁକ୍ତି ଦିଆଯିବ ବୋଲି ବିଜେପି କହିଛି। ଏହା ବାଦ୍‌ ରାଜ୍ୟରେ ପ୍ରମୁଖ ଉତ୍ପାଦନ ସେଓର ପ୍ୟାକେଜିଂ ଉପରେ ଜିଏସ୍‌ଟିକୁ ୧୮ରୁ ୧୨ ପ୍ରତିଶତକୁ ହ୍ରାସ କରାଯିବା ନେଇ ବିଜେପି ପ୍ରତିଶ୍ରୁତି ଦେଇଛି। ସେହିପରି ସରକାରୀ ଚାକିରିରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ରଖିବାକୁ ବିଜେପି ଘୋଷଣା କରିଛି।

ରବିବାର ବିଜେପି ସଭାପତି ଜେପି ନଡ୍ଡା ଓ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ନିର୍ବାଚନୀ ଇସ୍ତାହାର ଉନ୍ମୋଚନ କରିଛନ୍ତି। ନିଜ ଦଳର ନିର୍ବାଚନୀ ଇସ୍ତାହାର କରିବା ସହ କଂଗ୍ରେସର ନିର୍ବାଚନୀ ଇସ୍ତାହାରକୁ କଡ଼ା ସମାଲୋଚନା କରିବାକୁ ଯାଇ ବିଜେପି କହିଛି କଂଗ୍ରେସର ଇସ୍ତାହାର ଦୂରଦୃଷ୍ଟି ସମ୍ପନ୍ନ ନୁହେଁ।

Also Read: ମୋଦିଙ୍କ ପରେ ଏବେ ଭାରତର ଖୁବ୍‌ ପ୍ରଶଂସା କଲେ ରୁଷ ରାଷ୍ଟ୍ରପତି ପୁଟିନ୍‌, କହିଲେ ଏମିତି କଥା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.