ସ୍ତ୍ରୀ ସହ ଝଗଡ଼ା ପରେ ମାସେ ହେଲା ୮୦ ଫୁଟ ତାଳଗଛ ଉପରେ ରହୁଛି ସ୍ୱାମୀ

ଲକ୍ଷ୍ନୌ : ସ୍ୱାମୀ ସ୍ତ୍ରୀ ଝଗଡ଼ା କିଛି ନୂଆ କଥା କି ନୂଆ ଘଟଣା ନୁହେଁ । ଅନେକ ସମୟରେ ଝଗଡ଼ା ପରେ ସେ ସ୍ୱାମୀ ହେଉ କି ସ୍ତ୍ରୀ କିଛି କିଛି କାଣ୍ଡ କରି ବସନ୍ତି । କେବେ ଏହା ଘର ଭିତରେ ରହିଯାଏ ତ ଆଉ କେବେ ଘରର ବନ୍ଧ ଡେଇଁ ବାହାରକୁ ଚାଲି ଆସେ । ଆଉ ଚର୍ଚ୍ଚାର ବିଷୟ ପାଲଟି ଯାଏ । ଏବେ ଏମିତି ଏକ ଘଟଣା ଘଟିଛି ଉତ୍ତର ପ୍ରଦେଶର ମାଉ ଜିଲ୍ଲା ଅନ୍ତର୍ଗତ କୋପାଗଞ୍ଜ ଅଞ୍ଚଳରେ ଘଟିଛି । ଯେଉଁଠି କଳି ଝଗଡ଼ା ପରେ ସ୍ୱାମୀ ଯାଇ ବସିଛି ତାଳ ଗଛ ଉପରେ । ମାସେ ହେଲା ସେହି ଗଛ ଉପରେ ରହୁଛି ଲୋକଟି ।

ଯାହା ସୂଚନା ରହିଛି, ଏହି ବ୍ୟକ୍ତିଙ୍କ ନାଁ ହେଉଛି ରାମ ପ୍ରଭେଶ । ବୟସ ୪୨ ବର୍ଷ । ପ୍ରାୟ ଛଅ ମାସ ଧରି ତାଙ୍କର ସ୍ତ୍ରୀ ସହ ଜୋର କଳି ଝଗଡ଼ା ଚାଲିଥିଲା । ଏମିତିକି ସ୍ତ୍ରୀ ତାଙ୍କୁ ମାଡ଼ ବି ମାରୁଥିଲା ବୋଲି ରାମ ପ୍ରଭେଶ ଅଭିଯୋଗ କରିଛନ୍ତି । ଏଥିରେ ବିଚଳିତ ହୋଇ ରାମ ଶେଷକୁ ନିଷ୍ପତ୍ତି ନେଲେ ଘର ଛାଡ଼ିବେ । ହେଲେ ସେ କୁଆଡ଼େ ପଳାଇଲେ ନାହିଁ । ଘର ପାଖରେ ଥିବା ଏକ ୮୦ ଫୁଟର ତାଳ ଗଛ ଉପରକୁ ଚଢ଼ିଗଲେ । ଆଉ ସେଇଠି ପ୍ରାୟ ମାସେ ହେବ ରହିଛନ୍ତି । ଘର ଲୋକ ତାଙ୍କୁ ଦଉଡ଼ି ସାହାଯ୍ୟରେ ଖାଇବା ପଠାଉଛନ୍ତି । ସେ ଖାଇ ସାରିବା ପରେ ବାସନଗୁଡ଼ିକୁ ପୁଣି ତଳକୁ ପଠାଇ ଦେଉଛନ୍ତି ।

ଅନ୍ୟପକ୍ଷରେ ଗାଁ ଲୋକଙ୍କ କହିବା କଥା, ରାମ ପ୍ରଭେଶ ବେଳେ ବେଳେ ରାତିରେ ଗଛ ତଳକୁ ଆସି ବୁଲନ୍ତି ଆଉ ଶୌଚ କରନ୍ତି । ପରେ ପୁଣି ଗଛ ଉପରକୁ ଚଢ଼ି ଯାଆନ୍ତି । ଅବଶ୍ୟ ଗ୍ରାମବାସୀ ତାକୁ ବହୁତ ବୁଝାଇଛନ୍ତି ଓ ତଳକୁ ଓହ୍ଲାଇ ଆସିବାକୁ କହିଛନ୍ତି । ହେଲେ ରାମ କିନ୍ତୁ ନିଜ ଜିଦ୍‌ ଛାଡ଼ି ନାହାନ୍ତି । ଏହାପରେ ଗାଁ ଲୋକେ ତାର ଭିଡିଓ କରି ଛାଡ଼ି ଦେଇଥିଲେ । ଗାଁ ମୁଖିଆ ଦୀପକ କୁମାର କହିଛନ୍ତି କି ରାମ ପ୍ରଭେଶ ଯେଉଁ ତାଳ ଗଛ ଉପରେ ଯାଇ ବସିଛି ତା ପାଖାପାଖି କିଛି ଘର ମଧ୍ୟ ରହିଛି । ଗଛ ଉପରୁ ବସି ଜଣେ ସେହି ସବୁ ଘରେ କଣ ହେଉଛି ଭଲ ଭାବେ ଦେଖି ପାରିବ । ତେଣୁ ଗାଁ ଲୋକେ ତାକୁ ବିରୋଧ କରୁଛନ୍ତି । ତଥାପି ରାମ ପ୍ରଭେଶ ଗଛରୁ ଓହ୍ଲାଉ ନାହିଁ । ତେଣୁ ସେମାନେ ପୋଲିସ୍‌କୁ ଡାକିବାକୁ ବାଧ୍ୟ ହେଲେ । ହେଲେ ପୋଲିସ୍‌ ଆସିଲା ଆଉ ରାମ ପ୍ରଭେଶକୁ ଗଛରୁ ଓହ୍ଲାଇ ଆସିବା ପାଇଁ ଅନୁରୋଧ କଲା । ତାପରେ ଭିଡିଓ ସୁଟିଂ କରି ଚାଲିଗଲା ।

ରାମ ପ୍ରଭେଶଙ୍କ ବାପା କହିଛନ୍ତି କି ଗାଁ ଲୋକ ପ୍ରତିଦିନ ତାଙ୍କ ପୁଅକୁ ଦେଖିବା ପାଇଁ ଗଛ ମୂଳକୁ ଆସୁଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.