ଯୋଶୀମଠ ସଙ୍କଟ ଭିତରେ ଅହମ୍ମଦାବାଦକୁ ନେଇ ISROର ଭୟଙ୍କର ରିପୋର୍ଟ, ପ୍ରତିବର୍ଷ କିଛି କିଛି ସେଣ୍ଟିମିଟର ଧସୁଛି ସହର!

ଯୋଶୀମଠ ସଙ୍କଟ ଭିତରେ ଏବେ ଅହମ୍ମଦାବାଦ ଉପରେ ISROର ଭୟଙ୍କର ରିପୋର୍ଟ। ISROର ସ୍ପେସ୍‌ ଆପ୍ଲିକେସନ ସେଣ୍ଟର ନିକଟରେ ଏକ ରିସର୍ଚ୍ଚ ରିପୋର୍ଟ ଜାରି କରିଛି, ଯାହାର ଖୁଲାସା ବର୍ତ୍ତମାନ ହୋଇଛି। ରିପୋର୍ଟ ଅନୁସାରେ, ଅହମ୍ମଦାବାଦର ସ୍ଥିତି ଏବେ ଭଲ ନାହିଁ। ଅର୍ଥାତ୍‌ ପ୍ରତିବର୍ଷ ସହରର କିଛି କିଛି ସେଣ୍ଟିମିଟର ଅଂଶ ଧସିବାରେ ଲାଗିଛି। କେବଳ ପାହାଡ଼ ଉପରେ ଗଢ଼ି ଉଠିଥିବା ଜନବସତି ଅଞ୍ଚଳ ଯୋଶୀମଠ, ନୈନିତାଲ, ଶିମଲା, ଚମ୍ପାବତ୍‌ କିମ୍ବା ଉତ୍ତରକାଶୀକୁ ହିଁ ଧସିଯିବାର ବିପଦ ନାହିଁ, ବରଂ ଯେଉଁ ସହରଗୁଡ଼ିକ ସମୁଦ୍ର ଉପକୂଳରେ ରହିଛି, ସେଗୁଡ଼ିକ ମଧ୍ୟ ଲୀନ ହେବାର ଯଥେଷ୍ଟ ଆଶଙ୍କା ରହିଛି।

ISROର ସ୍ପେସ୍‌ ଆପ୍ଲିକେସନ ସେଣ୍ଟରର ରିପୋର୍ଟ ଅନୁସାରେ, ଅହମ୍ମଦାବାଦ ସମେତ ଗୁଜରାଟର ଅନେକ ଉପକୂଳବର୍ତ୍ତୀ ଅଞ୍ଚଳ ସମୁଦ୍ର କ୍ଷୟ କାରଣରୁ ଧସିଯିବ ବା ଡୁବିଯିବ। ISRO ବୈଜ୍ଞାନିକ ରଥୀଶ୍‌ ରାମକୃଷ୍ଣନ୍‌ ଏବଂ ତାଙ୍କ ସାଥୀମାନେ ମିଶି ଏହି ରିସର୍ଚ୍ଚ ପେପର୍‌ ବାହାର କରିଛନ୍ତି, ଯାହାର ନାମ ରହିଛି ‘Shoreline Change Atlas of the Indian Coast- Gujarat- Diu & Daman’। ଏଥିରେ କୁହାଯାଇଛି କି, ଗୁଜରାଟର ୧୦୫୨ କିଲୋମିଟରର ଲମ୍ବା ଉପକୂଳ ସ୍ଥିର ରହିଛି। ୧୧୦ କିଲୋମିଟର ଉପକୂଳ କ୍ଷୟ ହେବାରେ ଲାଗିଛି ଏବଂ ୪୯ କିଲୋମିଟର ଉପକୂଳ ଦ୍ରୁତ ଗତିରେ କ୍ଷୟ ହେଉଛି।

ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି ଯେ ସମୁଦ୍ର ପତ୍ତନ ବୃଦ୍ଧି ଏବଂ ଜଳବାୟୁ ପରିବର୍ତ୍ତନ ହେଉଛି ଏହା ପଛର ବଡ଼ କାରଣ। ପଙ୍କ ଅର୍ଥାତ୍‌ ସେଡିମେଣ୍ଟସ୍‌ ଯୋଗୁ ଗୁଜରାଟରେ ୨୦୮ ହେକ୍ଟର ଜମି ବୃଦ୍ଧି ପାଇଛି। କିନ୍ତୁ ସମୁଦ୍ର କ୍ଷୟ କାରଣରୁ ରାଜ୍ୟ ନିଜର ୩୧୩ ହେକ୍ଟର ଜମି ହରାଇ ବସିଛି।

ଆଉ ଏକ ରିସର୍ଚ୍ଚ ସାମ୍ନାକୁ ଆସିଛି, ଯାହାକୁ କୃଣାଲ ପଟେଲ ଏବଂ ତାଙ୍କ ସହକର୍ମୀମାନେ କରିଛନ୍ତି। ଏଥିରେ ଗୁଜରାଟର ୪୨ ବର୍ଷର ଭୌଗୋଳିକ ଇତିହାସ ଉପରେ ରିସର୍ଚ୍ଚ କରାଯାଇଛି। ଏହା ଅନୁସାରେ, କଚ୍ଛ ଜିଲ୍ଲାରେ ସର୍ବାଧିକ ସମୁଦ୍ର କ୍ଷୟ ହୋଇଛି ଅର୍ଥାତ୍ ୪୫.୯ ପ୍ରତିଶତ ଜମି ନଷ୍ଟ ହୋଇଯାଇଛି। ପଟେଲ ଏବଂ ତାଙ୍କ ସହକର୍ମୀମାନେ ଗୁଜରାଟକୁ ଚାରୋଟି ହାଇ ରିସ୍କ ଜୋନ୍‌ରେ ବିଭକ୍ତ କରିଛନ୍ତି। ୭୮୫ କିଲୋମିଟରର ଉପକୂଳ ଅଞ୍ଚଳ ହାଇ ରିସ୍କ ଜୋନ୍‌ରେ ଥିବାବେଳେ ୯୩୪ କିଲୋମିଟରର ଅଞ୍ଚଳ ମଧ୍ୟମରୁ କମ୍‌ ରିସ୍କ ଜୋନ୍‌ରେ ରହିଛି। ଏହି ଅଞ୍ଚଳଗୁଡିକ ଏଥିପାଇଁ ବିପଦସଙ୍କୁଳ ଅବସ୍ଥାରେ ଅଛି, କାରଣ ଏଠାରେ ସମୁଦ୍ର ଜଳ ସ୍ତର ଦ୍ରୁତ ଗତିରେ ବଢ଼ୁଛି।

ରିସର୍ଚ୍ଚ ମୁତାବକ, ଗୁଜରାଟର ୧୬ ଉପକୂଳବର୍ତ୍ତୀ ଜିଲ୍ଲା ମଧ୍ୟରୁ ୧୦ ଜିଲ୍ଲାରେ କ୍ଷୟକ୍ଷତି ଘଟୁଛି। ସବୁଠାରୁ ଅଧିକ କଚ୍ଛରେ ଏବଂ ଏହାପରେ ଜାମଗନାଗର, ଭରୁଚ ଓ ଭଲସାଦରେ। ଏହାର କାରଣ ହେଉଛି, ଖମ୍ଭାତ ଗଲ୍ଫର ସମୁଦ୍ର ପୃଷ୍ଠର ତାପମାତ୍ରା ୧.୫୦ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇଛି। ସୌରାଷ୍ଟ୍ର ଉପକୂଳ ନିକଟରେ ୧ ଡିଗ୍ରୀ ସେଲସିୟସ୍ ଏବଂ କଚ୍ଛ ଗଲ୍ଫରେ ୦.୭୫ ଡିଗ୍ରୀ ସେଲସିୟସ୍ ବଢ଼ିଛି। ଗତ ୧୬୦ ବର୍ଷ ମଧ୍ୟରେ ତାପମାତ୍ରାରେ ଏତେ ଅଧିକ ବୃଦ୍ଧି ଘଟିଛି।

୧୯୬୯ ମସିହାରେ ଅହମ୍ମଦାବାଦ ଜିଲ୍ଲା ମାଣ୍ଡଭିପୁରା ଗାଁର ୮୦୦୦ ଗ୍ରାମବାସୀ ଏବଂ ଭାବନଗର ଜିଲ୍ଲା ଗୁଣ୍ଡାଲା ଗାଁର ୮୦୦ ଗ୍ରାମବାସୀଙ୍କୁ ବିସ୍ଥାପିତ ହେବାକୁ ପଡ଼ିଥିଲା। କାହିଁକି ନା, ସେମାନଙ୍କ ଚାଷଜମି ଏବଂ ଗାଁର କିଛି ଅଂଶ ସମୁଦ୍ରରେ ବୁଡ଼ି ଯାଇଥିଲା। ସ୍ଥାନୀୟ ଜଣେ ସାମାଜିକ କର୍ମୀ ପ୍ରଦ୍ୟୁମ୍ନସିଂ ଚୁଡ଼ାସ୍ମା କୁହନ୍ତି, ଖମ୍ଭାତ ଗଲ୍ଫର ପଶ୍ଚିମ ଉପକୂଳ ଗ୍ରାମଗୁଡିକ ମଧ୍ୟ ବିପଦରେ ଅଛି। ବର୍ଷାଦିନେ ବନ୍ୟା ଆସିଲେ ସମୁଦ୍ର ଫୁଲିବା ସମୟରେ ଏ ସମସ୍ତ ଗ୍ରାମ ଖାଲି ହୋଇଯାଏ।

ଦକ୍ଷିଣ ଗୁଜରାଟର ଭଲସାଡ଼ ଏବଂ ନଭସାରି ଜିଲ୍ଲାର ଅନେକ ଗାଁ ମଧ୍ୟ ଏହିପରି ବିପଦରେ ରହିଛି। ଉମରଗ୍ରାମ ତାଲୁକାର ପ୍ରାୟ ୧୫ ହଜାର ଲୋକଙ୍କ ଜୀବନ ଏବଂ ବ୍ୟବସାୟ ବିପଦରେ ଅଛି। କାରଣ, ସମୁଦ୍ର ପାଣି ସେମାନଙ୍କ ଘର ଭିତରେ ପଶିଯାଏ। ଉମରଗ୍ରାମ ତାଲୁକା ପଞ୍ଚାୟତର ପୂର୍ବତନ ମୁଖ୍ୟ ସଚିନ ମଚିଙ୍କ କହିବା ହେଲା, ଯେଉଁଭଳି ଭାବେ ଦମନ ପ୍ରଶାସନ ୭ରୁ ୧୦ କିଲୋମିଟର ଲମ୍ବା ସୁରକ୍ଷା ପ୍ରାଚୀର ନିର୍ମାଣ କରିଛି, ସେହିଭଳି ଗୁଜରାଟ ସରକାର ୨୨ କିଲୋମିଟର ଲମ୍ବା ସୁରକ୍ଷା ପ୍ରାଚୀର ନିର୍ମାଣ କରିବା ଉଚିତ୍।

ସମୁଦ୍ର ପତ୍ତନ ବୃଦ୍ଧି ହେତୁ ଏ ସମସ୍ତ ଗ୍ରାମ ବୁଡ଼ିଯିବାର ଆଶଙ୍କା ରହିଛି। ଯେତେବେଳେ କି, ଅହମ୍ମଦାବାଦ ମଧ୍ୟ ଧସିଯିବାର ଆଶଙ୍କା ଦେଖାଦେଇଛି। ଇନଷ୍ଟିଚ୍ୟୁଟ୍ ଅଫ୍ ସିସ୍ମୋଲୋଜି ରିସର୍ଚ୍ଚର ବୈଜ୍ଞାନିକ ରାକେଶ ଧୁମକାଙ୍କ ଅଧ୍ୟୟନ ମୁତାବକ, ଅହମ୍ମଦାବାଦ ପ୍ରତିବର୍ଷ ୧୨ରୁ ୨୫ ସେଣ୍ଟିମିଟର ଧସୁଛି। ଏହାର କାରଣ ହେଲା, ଭୂତଳ ଜଳ ଶୀଘ୍ର ନିଷ୍କାସିତ ହେବା। ଭୂତଳ ଜଳ ନିଷ୍କାସନ ଉପରେ ପ୍ରତିବନ୍ଧକ ଲଗାଯିବା ଉଚିତ୍। ଲୋକମାନେ ପାନୀୟ ଜଳ ପାଇଁ ଅଲଗା ବ୍ୟବସ୍ଥା କରିବା ଉଚିତ୍।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.