ଭୁଲରେ ସିଂହ ଖୁଆଡ଼ରେ ପଶିଗଲା ବିଲୁଆ, ଦୀର୍ଘ ସମୟର ଛକାପଞ୍ଝା ପରେ ବଞ୍ଚିଗଲା ଜୀବନ; ଦେଖନ୍ତୁ ଭିଡିଓ

ଇନ୍ଦୋର: ସିଂହ ଖୁଆଡ଼ରେ ବିଲୁଆ। ଇନ୍ଦୋରର ଏକ ଚିଡ଼ିଆଖାନାରେ ସିଂହ ଖୁଆଡ଼ରେ ଏକ ବିଲୁଆ ପଶିଯାଇଥିଲା। କିନ୍ତୁ ଚତୁର ବିଲୁଆ ଉପସ୍ଥିତ ବୁଦ୍ଧି ଖଟାଇ ସିଂହକୁ ମାତ୍‌ ଦେବାରେ ସମର୍ଥ ହୋଇଛି ଓ ନିଜ ଜୀବନ ବଞ୍ଚାଇ ସୁରକ୍ଷିତ ଭାବେ ବାହାରକୁ ଆସିପାରିଛି। ଏହି ଘଟଣା ବେଳର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଘଟଣା ବୁଧବାରର ବୋଲି ଜଣାପଡ଼ିଛି।

ରିପୋର୍ଟ ମୁତାବକ, ଇନ୍ଦୋରର ସିଂହ ଖୁଆଡ଼ରେ ଏକ ବିଲୁଆ ପଶିଯାଇଥିଲା। ବିଲୁଆକୁ ଦେଖି ସିଂହ ଶିବା, ଶିବାନୀ ଓ ଶାବକ ମେଘା ଶିକାର କରିବାକୁ ଗୋଡ଼ାଇଥିଲେ। ପାଖାପାଖି ୪୫ ମିନିଟ୍‌ ଧରି ଛକାପଞ୍ଝା ଚାଲିଥିଲା। କିନ୍ତୁ ଚତୁର ବିଲୁଆ ୩ ସିଂହଙ୍କୁ ମାତ୍‌ ଦେବାରେ ସଫଳ ହୋଇଥିଲା। ବିଲୁଆଟି ଏକ ପାଣି ପାଇପ୍‌ ପାଖରେ ଲୁଚିଯାଇଥିଲା। ଫଳରେ ସିଂହମାନେ ତାକୁ ପାଇନଥିଲେ ଓ ସେ ନିଜ ଜୀବନ ବଞ୍ଚାଇପାରିଥିଲା।

ଦେଖନ୍ତୁ ଭିଡିଓ:

Video Credit: Punjab Kesari

ପର୍ଯ୍ୟଟକମାନେ ଏହି ଦୃଶ୍ୟ ଦେଖି ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କୁ ଖବର ଦେଇଥିଲେ। ସେମାନେ ପହଞ୍ଚି ବିଲୁଆକୁ ସିଂହ ଖୁଆଡ଼ରୁ ବାହାର କରିଥିଲେ। ଏହି ପୂରା ଘଟଣାକୁ ସେଠାରେ ଉପସ୍ଥିତ ପର୍ଯ୍ୟଟକ ମୋବାଇଲରେ କଏଦ କରିଥିଲେ, ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଏ ନେଇ କମଳା ନେହରୁ ଚିଡ଼ିଆଖାନାର ମୁଖ୍ୟ ଡା.ଉତ୍ତମ ଯାଦବ କହିଛନ୍ତି, ଏମିତି ଘଟଣା ପ୍ରାୟତଃ ଘଟେ। ଚିଡ଼ିଆଖାନାରେ ରହୁଥିବା ବନ୍ୟ ପ୍ରାଣୀଙ୍କ ତାର ଜାଲି ପୁରୁଣା ଓ ଦୁର୍ବଳ ହୋଇଗଲାଣି। ଏଣୁ ଜୀବଜନ୍ତୁ ବାହାରି ପଳାଇ ଆସୁଛନ୍ତି। ଏଭଳି ଘଟଣା ପ୍ରଥମ ନୁହେଁ ବୋଲି ସେ କହିଛନ୍ତି। ତେବେ ଏଠାରେ ପ୍ରଶ୍ନ ଉଠିଛି ଯଦି ପିଞ୍ଜରା ଦୁର୍ବଳ ଅଛି ତେବେ ଅନ୍ୟ ମାଂସାଶୀ ପ୍ରାଣୀ ମଧ୍ୟ ବାହାରକୁ ଚାଲି ଆସିବା ସମ୍ଭାବନା ରହିଛି। ଯାହା ପର୍ଯ୍ୟଟକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଛି। ଏଣୁ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.