ପୁଣି ଫେରିଲା ଜିକା ଭାଇରସ; କେରଳରୁ ଚିହ୍ନଟ ହେଲେ ପ୍ରଥମ ଆକ୍ରାନ୍ତ

ସାମ୍ପ୍ରତିକ ସମୟରେ ଦେଶରେ କରୋନା ଭୂତାଣୁ ସଂକ୍ରମଣ ସମସ୍ତଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଥିବା ବେଳେ କେତେକ ରାଜ୍ୟରେ ଡେଙ୍ଗୁ ରୋଗୀ ମଧ୍ୟ ବ୍ୟାପକ ଆକାରରେ ଚିହ୍ନଟ ହୋଇସାରିଛନ୍ତି। ଏବେ କେରଳରେ ଜିକା ଭାଇରସ୍ ଠାବ କରାଯାଇଛି। କେରଳର ତିରୁବନନ୍ତପୁରମ୍ ଅନ୍ତର୍ଗତ ପରସାଲା ଅଞ୍ଚଳର ଜଣେ ୨୪ ବର୍ଷୀୟା ମହିଳା ଏହି ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ବୀନା ଜର୍ଜ କହିଛନ୍ତି। ଏଠାକାର ଏକ ଘରୋଇ ହସ୍ପିଟାଲରେ ସନ୍ତାନ ପ୍ରସବଜନିତ କାରଣରୁ ଚିକିତ୍ସାଧୀନ ଥିବା ଏହି ମହିଳା ଜଣକଙ୍କଠାରେ ଗତ ଜୁନ୍ ୨୮ ତାରିଖରେ ଜିକା ଭାଇରସ୍ ସଂକ୍ରମଣଜନିତ ଲକ୍ଷଣ ଦେଖାଯାଇଥିଲା। ମହିଳା ଜଣକ ଗର୍ଭବତୀ ଥିବାରୁ ତାଙ୍କୁ ଗତ ଜୁନ୍ ୭ ତାରିଖରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଜିକା ଭାଇରସ୍ ସଂକ୍ରମିତ ହୋଇଥିବା ଏହି ମହିଳା ଜଣକଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଛି।

ଯଦିଓ ଉକ୍ତ ମହିଳା କୌଣସି ଅନ୍ୟ ରାଜ୍ୟକୁ ଯାଇଥିବାର ରେକର୍ଡ ନାହିଁ, ତଥାପି ତାଙ୍କ ଘର ତାମିଲନାଡ଼ୁ ସୀମାବର୍ତ୍ତୀ ଅଞ୍ଚଳରେ ବୋଲି ଜଣାପଡ଼ିଛି। ସପ୍ତାହକ ତଳେ ତାଙ୍କ ମା’ଙ୍କଠାରେ ମଧ୍ୟ ସମାନ ଲକ୍ଷଣ ପ୍ରକାଶ ପାଇଥିଲା। ଜିକା ଭାଇରସ୍ ସଂକ୍ରମିତଙ୍କଠାରେ ଡେଙ୍ଗୁ ରୋଗୀ ପରି ଲକ୍ଷଣ ପ୍ରକାଶ ପାଇଥାଏ। ଯେପରିକି ଏହି ଭୂତାଣୁ ଦ୍ୱାରା ସଂକ୍ରମିତଙ୍କଠାରେ ଜ୍ୱର, ଚର୍ମରେ ନାନାଦି ଦାଗ ହେବା ଓ ଜଏଣ୍ଟ୍‌ ପେନ୍ ଆଦି ଲକ୍ଷଣ ଦେଖାଦେଇଥାଏ। ଏହି ମହିଳା ଜଣକଙ୍କଠାରେ ଜିକା ଭାଇରସ୍ ରହିଥିବା ନିଶ୍ଚିତ ହୋଇଥିବା ବେଳେ ରାଜ୍ୟରେ ଆହୁରି ୧୩ ଜଣଙ୍କଠାରେ ଏହା ରହିଥିବା ଅନୁମାନ କରାଯାଉଛି। ଏନେଇ ପୁଣେସ୍ଥିତ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିର ରିପୋର୍ଟକୁ କେରଳ ସରକାର ଅପେକ୍ଷା କରିଛନ୍ତି। ସୂଚନାଯୋଗ୍ୟ ଯେ କେରଳ ଏବେ ଦୈନିକ ସଂକ୍ରମଣରେ ସବୁଠାରୁ ଆଗରେ ରହିଆସିଥିବା ବେଳେ ଗତ ବୁଧବାର ଦିନକ ଭିତରେ ୧୩ ହଜାର ୭୨୨ ଜଣ ସଂକ୍ରମିତ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ କୋଭିଡ୍ ରୋଗୀଙ୍କ ସଂଖ୍ୟା ୩୦.୨୫ ଲକ୍ଷରେ ପହଞ୍ଚିଛି, ଯେଉଁଥିରୁ ୧.୧୦ ଲକ୍ଷ ସକ୍ରିୟ ଅଛନ୍ତି। ଏହାଛଡ଼ା ୧୧ ହଜାର ୪୧୪ ଜଣଙ୍କର ମୃତ୍ୟୁ ହୋଇସାରିଛି ଏବଂ ମୋଟ ୨୯ ଲକ୍ଷରୁ ଊର୍ଦ୍ଧ୍ୱ ସଂକ୍ରମିତ ସୁସ୍ଥତା ଲାଭ କରିସାରିଥିବା ସ୍ବାସ୍ଥ୍ୟ ମନ୍ତ୍ରାଳୟ ଦେଇଥିବା ତଥ୍ୟରୁ ଜଣାପଡ଼ିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.