ନିର୍ବାଚନୀ ର‍୍ୟାଲିରେ ଭୋଟରଙ୍କୁ ଧମକ ! ‘ଭୋଟ ଦେବନି ଯଦି ବିଜୁଳି, ପାଣି ସବୁ ବନ୍ଦ କରିଦେବୁ’ ବୋଲି କହିଲେ ପଶ୍ଚିମବଙ୍ଗ କୃଷି ମନ୍ତ୍ରୀ

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜନୈତିକ ଦଳଗୁଡ଼ିକ ନିଜ ନିଜ ଉପାୟରେ ଭୋଟରମାନଙ୍କୁ ଆକର୍ଷିତ କରିବାରେ ଲାଗିପଡ଼ିଛନ୍ତି। ତେବେ ଏହାରି ଭିତରେ କିଛି ନେତା ଭୋଟ ହାତେଇବା ପାଇଁ ନୈତିକତା ଭୁଲି ଭୋଟରମାନଙ୍କୁ ଡରାଉ ଧମାକାଉଥିବା ଜଣାପଡ଼ିଛି। ମମତା ସରକାରରେ କୃଷି ମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ(ଟିଏମ୍‌ସି) ବିଧାୟକ ତପନ ଦାସଗୁପ୍ତାଙ୍କ ନାଁରେ ଏଭଳି ଖବର ରହିଛି। ଭୋଟ ନ ଦେଲେ ଗମ୍ଭୀର ପରିଣାମ ଭୋଗିବାକୁ ପଡ଼ିବ ବୋଲି ସେ ଭୋଟରମାନଙ୍କୁ ଧମକ ଦେଇଛନ୍ତି। ଏକ ମିଡିଆ ରିପୋର୍ଟ ମୁତାବକ, ହୁଗଳିରେ ଆୟୋଜିତ ଏକ ବୈଠକରେ ସପ୍ତଗ୍ରାମ ବିଧାନସଭାର ଟିଏମ୍‌ସି ଆଶାୟୀ ତପନ ଦାସଗୁପ୍ତା ଭୋଟରମାନଙ୍କୁ ଏହା କହିଛନ୍ତି।

ଭୋଟ ନାହିଁ ତ ବିଜୁଳି କି ପାଣି ନାହିଁ

ମନ୍ତ୍ରୀ ତପନ ଦାସଗୁପ୍ତା ଶନିବାର ଏକ ର‍୍ୟାଲିରେ କହିଛନ୍ତି ଯେ ‘ଯେଉଁ ଅଞ୍ଚଳରେ ମୋତେ ଭୋଟ ମିଳିବନି, ସେହି ଅଞ୍ଚଳରେ ବିଦ୍ୟୁତ୍‌ ଏବଂ ପାଣି ପହଞ୍ଚିବ ନାହିଁ। ଏହା ନିଶ୍ଚିତ। ସେମାନେ ଏଥିପାଇଁ ଭାଜପାକୁ କହିପାରନ୍ତି’। ସୂଚନାଥାଉ କି, ଦାସଗୁପ୍ତା ୨୦୧୧ରେ ବାମ ମୋର୍ଚ୍ଚାର ନିଜ ପ୍ରତିଦ୍ୱନ୍ଦ୍ୱୀଙ୍କୁ ହରାଇ ହୁଗଳି ସପ୍ତଗ୍ରାମର ବିଧାୟକ ହୋଇଥିଲେ। ୨୦୧୬ ନିର୍ବାଚନରେ ମଧ୍ୟ ସେ ଏହି ଆସନ ଜିତିଥିଲେ। ଏବେ ୨୦୨୧ ନିର୍ବାଚନ ଲଢ଼ିବା ପାଇଁ ଦାସଗୁପ୍ତାଙ୍କୁ ଗୋଟିଏ ଆସନ ଦିଆଯାଇଛି।

କହି ରଖୁଛୁ, ଏହା ପ୍ରଥମ ଥର ନୁହେଁ ଯେ ତୃଣମୂଳ କଂଗ୍ରେସର କୌଣସି ଆଶାୟୀ ବିଧାନସଭା ନିର୍ବାଚନରେ ଦଳକୁ ଭୋଟ ନ ଦେଲେ ଗମ୍ଭୀର ପରିଣାମ ଭୋଗିବାକୁ ଧମକ ଦେଇଛନ୍ତି। ନିର୍ବାଚନ ପୂର୍ବରୁ ମଧ୍ୟ ଟିଏମ୍‌ସି ବିଧାୟକ ହମିଦୁଲ୍‌ ରହମାନ ଭୋଟରମାନଙ୍କୁ ଏଭଳି ଧମକାଇଥିବା ଖବର ଆସିଥିଲା।

ଦିନାଜପୁରରେ ଏକ ଜନସଭାରେ ହମିଦୁଲ୍‌ ରହମାନ କହିଥିଲେ ଯେ ନିର୍ବାଚନ ପରେ ଦେଶଦ୍ରୋହୀମାନଙ୍କୁ ହଟାଯିବ। ସେ ଏହା କହି ଟିଏମ୍‌ସି ପାଇଁ ଭୋଟ ଦେବାକୁ ଲୋକଙ୍କୁ ପ୍ରଲୋଭିତ କରାଇଥିଲେ। ଆଉ ମଧ୍ୟ କହିଥିଲେ କି, ଯେଉଁ ଲୋକ ପଶ୍ଚିମବଙ୍ଗ ସରକାରର ସମସ୍ତ ଲାଭ ଉଠାଇବା ପରେ ମଧ୍ୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ବିଶ୍ୱାସଘାତକତା କରିଥାଆନ୍ତି, ସେମାନଙ୍କୁ ଦେଶଦ୍ରୋହୀ ଭଳି କାମ ଦିଆଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.